ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ବୟୋ ଯୋଜନା ଶୁଭାରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା): ଆଜି ବାଲେଶ୍ଵର ଜିଲ୍ଲାର ସମସ୍ତ ୭୧ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ୦୪ ଟି ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ସର୍ବମୋଟ ୭୫ଟି ସ୍ଥାନରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା କାର୍ଡ଼ ବିତରଣର ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ୧୧୦୦ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କାର୍ଡ଼ ବିତରଣ କରାଯାଇଛି । ଏଥି ସହିତ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସଚେତନ ରଥର ଶୁଭାରମ୍ଭ କରାଯାଇଛି । ଏହି ରଥ ଜିଲ୍ଲାର ସମସ୍ତ ଅଞ୍ଚଳରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଭ୍ରମଣ କରିବା ସହିତ ସରକାରଙ୍କର ଏହି ଯୋଜନା ବିଷୟରେ ପ୍ରଚାର ଦ୍ଵାରା ସମସ୍ତଙ୍କୁ ଅବଗତ କରିବ । ଏହି ପରିପ୍ରେକ୍ଷୀରେ ଜିଲ୍ଲାସ୍ତରୀୟ କାର୍ଡ଼ ବିତରଣର ଉତ୍ସବ ସୁନହଟ ସ୍ଥିତ ରୋୟାଲ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ବିଧାୟକ ସଦର ମାନସ କୁମାର ଦତ୍ତଙ୍କ ସମେତ ଅଧ୍ୟକ୍ଷା ବାଲେଶ୍ୱର ପୌରପାଳିକା ସବିତା ରଥ, ସାଂସଦଙ୍କ ପ୍ରତିନିଧି ଉମାକାନ୍ତ ମହାପାତ୍ର, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ସମସ୍ତ କାଉନସିଲର, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡ଼. ସୁଶାନ୍ତ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ବାଲେଶ୍ୱର ପୌରପାଳିକା ନିର୍ଲିପ୍ତ ମହାନ୍ତି ପ୍ରମୁଖ ମଂଚାସୀନ ଥିଲେ। ଏଠାରେ ସୂଚନା ଥାଉ କି ଉକ୍ତ କାର୍ଯ୍ୟକ୍ରମରେ କଟକ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା।


