ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟଣାରେ କ୍ଷତିପୂରଣ ଦାବିରେ ରାସ୍ତାରୋକ

ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ସୋସୋ ଥାନା ଅଧୀନସ୍ଥ ବେରୁଣପଦି ଗତକାଲି ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା ମଣି ଚରଣ ଜେନାଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଦାବିକରି ଆଜି ଗ୍ରାମବାସୀଙ୍କ ପକ୍ଷରୁ ଆନ୍ଦୋଳନ ହୋଇଛି। ଗତକାଲି ମଣି ଚରଣ ଜେନା ବାଉଁଶ କଣି ଧରି ଘରକୁ ଫେରୁଥିବା ବେଳେ ରାସ୍ତା ଉପରେ ଓହଳିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ରୁ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ମୃତଦେହ ବ୍ୟବଚ୍ଛେଦ ହୋଇ ଆନନ୍ଦପୁର ଡ଼ାକ୍ତରଖାନାରୁ ଫେରିବା ପରେ ପରିବାର ଲୋକେ ଓ ଗ୍ରାମବାସୀ ମାନେ ବିଦ୍ୟାଧରପୁର ସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହକୁ ରଖି ରାସ୍ତାରେ ବସି ରହିଥିଲେ।  ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସେମାନେ ଅଭିଯୋଗ କରିଛନ୍ତି। ଦୀର୍ଘଦିନ ହେଲା ହାତ ପାହାନ୍ତା ଭଳି ଓହଳି ପଡିଥିବା ତାରକୁ ଟାଣିବା ପାଇଁ କହୁଥିଲେ ମଧ୍ଯ ଟାଟା ପାୱାର କର୍ତ୍ତୃପକ୍ଷ କର୍ଣ୍ଣପାତ କରୁ ନଥିବାରୁ ଏପରି ଅଘଟଣ ଘଟିଲା, ତେଣୁ ମୃତକ ଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଥିଲେ।  ଧାରଣା ସ୍ଥଳରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ, ପୁର୍ବତନ ସମବାୟ ସମିତି ସଭାପତି ପ୍ରଣବ ମହାନ୍ତି, ମୃତକଙ୍କ ଭାଇ ମଧୁସୁଦନ ଜେନା, ଦୀନବନ୍ଧୁ ବେହେରା, ଉଦ୍ୟାନ୍ସୁ ସାହୁ, ଦିଲୀପ କୁମାର ଜେନା, ଦେବେନ୍ଦ୍ର ପ୍ରଧାନ, ଅଞ୍ଜନ କୁମାର ଜେନା, ବୈଷ୍ଣବ ଜେନା, ସଞ୍ଜୟ କୁମାର ଜେନାଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ। ଖବରପାଇ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ତୁରନ୍ତ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ହାଟଡିହି ତହସିଲଦାର ଜ୍ୟୋତ୍ସ୍ନାରାଣୀ ନାୟକ, ସୋ ସୋ ଥାନା ଆଇଆଇସି ବିଜୟ କୁମାର ବିହାରୀ, ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ବିଦ୍ୟୁତ ବିଭାଗ ପକ୍ଷରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବ ବୋଲି ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ସଂସ୍କାର କାର୍ଯ୍ଯ ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ୨୦ହଜାର ଓ ରେଡକ୍ରସ ତରଫରୁ ୧୦ହଜାର ଟଙ୍କା ଯୋଗାଇ ଦେବାକୁ ଅଧିକାରୀ ମାନେ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା। ମରଶରୀରକୁ ଗାଁ କୁ ନେଇ ଏକ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ କରଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ