ବେଆଇନ ଖନନକୁ ନେଇ ଜନସ୍ୱାର୍ଥ ମାମଲା
କଟକ, (ଓ୍ବାଇଏନଏସ):ବଳରାମପୁର ସଂରକ୍ଷିତ ଜଙ୍ଗଲରେ ଥିବା କଳାପଥର ଖଣିରେ ବେଆଇନ ଖନନକୁ ନେଇ ତଥ୍ୟ ରଖିଲେ ଯାଜପୁର ଜିଲ୍ଲାପାଳ । ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଳରାମପୁର ସଂରକ୍ଷିତ ଜଙ୍ଗଲରେ ଥିବା କଳାପଥର ଖଣିରେ ବେଆଇନ ଭାବେ ପଥର ଉତ୍ତୋଳନ କାର୍ଯ୍ୟ କରାଯାଉଥିବା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ହାଇକୋର୍ଟଙ୍କ ପାଖରେ ତଥ୍ୟ ରଖିଲେ ଯାଜପୁର ଜିଲ୍ଲାପାଳ ପି.ଅନ୍ବେଷା ରେଡ୍ଡୀ । ହାଇକୋର୍ଟର ଏହି ମାମଲାର ଶୁଣାଣି ସମୟରେ ଯାଜପୁର ଜିଲ୍ଲାପାଳ ପି.ଅନ୍ବେଷା ରେଡ୍ଡୀ, ଖଣି ଅଧିକାରୀ ଝସକେତନ ସେଠୀ ଓ ଯାଜପୁର ସର୍କଲ ଖଣି ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକ ଭର୍ଚୁଆଲରେ ହାଜର ହୋଇଥିଲେ । କଟକ ଡିଭିଜନ ଡିଏଫଓଙ୍କ ୨୦୨୪, ସେପ୍ଟେମ୍ବର ୨୦ର ଚିଠି ମିଳିବା ପରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଜିଲ୍ଲାପାଳ ତଥ୍ୟ ଉପସ୍ଥାପନ କରିଥିଲେ । ୬ଟି କଳାପଥର ଖଣିର ଲିଜଧାରୀଙ୍କୁ ତୁରନ୍ତ ଖଣିଜଦ୍ରବ୍ୟ ଉତ୍ତୋଳନ ବନ୍ଦ ପାଇଁ ଖଣି ଅଧିକାରୀ ଚିଠି କରିଥିଲେ । ଏକ ଯୁଗ୍ମଯାଞ୍ଚ ମଧ୍ୟ କରାଯାଇଥିଲା । ଖଣିଜଦ୍ରବ୍ୟ ପରିବହନ ପାଇଁ ଆବଶ୍ୟକ ଇ-ଟ୍ରାଞ୍ଜିଟ୍ ପାସ୍ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ବେଆଇନ ଖଣି ଖନନ ଉପରେ ଅଙ୍କୁଶ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଜିଲ୍ଲାପାଳ ଦର୍ଶାଇଥିଲେ। ସେହିପରି ଅଧିକାରୀଙ୍କ ତରଫରୁ ଉପସ୍ଥାପନ କରାଯାଇଥିବା ତଥ୍ୟରୁ ଡିଏଫଓଙ୍କ ଚିଠି ଉପରେ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି, ସେନେଇ ସ୍ଥିତି ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇନଥିଲା । ଏଭଳି ସ୍ଥିତିରେ ଯାଜପୁର ଜିଲ୍ଲାପାଳ, ଖଣି ଅଧିକାରୀ ଓ ଧର୍ମଶାଳା ତହସିଲଦାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିଏଫଓଙ୍କ ୨୦୨୪, ସେପ୍ଟେମ୍ବର ୨୦ର ଚିଠି ହସ୍ତଗତ ହେବା ପରେ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ସତ୍ୟପାଠରେ ଉଲ୍ଲେଖ କରାଯିବ ବୋଲି ହାଇକୋର୍ଟ କହିଛନ୍ତି । ଏଥିସହ ମାମଲାରେ କଟକ ଡିଏଫଓଙ୍କୁ ପକ୍ଷଭୁକ୍ତ କରିବା ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଜୁନ ୨୪କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ପୀତବାସ ଦାଶ ଓ ଅନ୍ୟ ୩ଜଣଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ବଳରାମପୁର ସଂରକ୍ଷିତ ଜଙ୍ଗଲରେ ବେଆଇନ କଳାପଥର ଖନନ ଅଭିଯୋଗ ନେଇ ଏହି ମାମଲା ହାଇକୋର୍ଟରେ ଦାୟର ହୋଇଛି । ମେ ୨୦ରେ ହାଇକୋର୍ଟ ମାମଲାର ଶୁଣାଣି କରି ଯାଜପୁର ଜିଲ୍ଲାପାଳ, ଖଣି ଅଧିକାରୀ ଓ ଖଣି ଉପ-ନିର୍ଦ୍ଦେଶକଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।


