ଆସିକା ଏସ୍ଡିଏଚ୍ରେ ବର୍ଣ୍ଣକେୟାର୍ ୟୁନିଟ୍ ପ୍ରତିଷ୍ଠା ଦାବୀ
ଆସିକା (ୱାଇଏନ୍ଏସ୍) :ଆସିକା ସହର ତଥା ଏହାର ଆଖପାଖ ଗ୍ରାମାଞ୍ଚଳରେ ବିଭିନ୍ନ ସମୟରେ ନିଆଁରେ ପୋଡିହୋଇ ଚିକିତ୍ସା ଲାଗି ଆସୁଥିବା ରୋଗୀମାନଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଏକ ବର୍ଣ୍ଣକେୟାର୍ ୟୁନିଟ୍ ସ୍ଥାପନ କରିବା ଦିଗରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟ ଉପରେ ଆସିକା ବ୍ଳକ ଓ ଏନ୍ଏସି ସମେତ ଧରାକୋଟ, ଶେରଗଡ, କବିସୂର୍ଯ୍ୟନଗର, ବୁଗୁଡା, ପୁରୁଷୋତ୍ତମପୁର, ସୋରଡା, ପୋଲସରା, ହିଞ୍ଜିଳିକାଟୁ ସମେତ ଆଖପାଖ ଗ୍ରାମାଞ୍ଚଳର ହଜାର ହଜାର ଜନତା ନିର୍ଭର କରୁଥିବା ବେଳେ ବିଭିନ୍ନ ସମୟରେ ନାନା କାରଣରୁ ନିଆଁରେ ପୋଡିହୋଇ ଗୁରୁତର ଅବସ୍ଥାରେ ବହୁ ରୋଗୀ ଚିକିତ୍ସା ଲାଗି ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥାନ୍ତି । ତେବେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଆବଶ୍ୟକୀୟ ସୁବିଧାସୁଯୋଗ ଅଭାବରୁ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥାଏ । ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ନିଆଁରେ ପୋଡିହୋଇ ଆସୁଥିବା ରୋଗୀଙ୍କୁ ଉନ୍ନତ ମାନର ଚିକିତ୍ସାସେବା ପାଇଁ ବର୍ଣ୍ଣକେୟାର୍ ୟୁନିଟ୍ ସ୍ଥାପନର ଆବଶ୍ୟକତା ଜରୁରୀ ବୋଲି ମତ ପ୍ରକାଶ ପାଉଛି । ରନ୍ଧନ ଗ୍ୟାସ ଲିକ୍ ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ନାନା କାରଣରୁ ନିଆଁରେ ପୋଡିହୋଇ ବହୁ ପୁରୁଷ ଓ ମହିଳା ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି ହେଉଥିଲା ବେଳେ ଆବଶ୍ୟକୀୟ ଭିତ୍ତିଭୂମୀ ଅଭାବରୁ ସେମାନଙ୍କର ବଞ୍ଚିବାର ଆଶା କ୍ଷୀଣ ହୋଇଥାଏ । ନିଆଁରେ ପୋଡିହୋଇ ଚିକିତ୍ସା ଲାଗି ଭର୍ତ୍ତି ହେଉଥିବା ରୋଗୀଙ୍କୁ ଆବଶ୍ୟକ ପଡିଥାଏ ଉନ୍ନତ ମାନର ଚିକିତ୍ସା ବା ଅବଜର୍ଭେସନ୍ । ବିଶେଷକରି ସଂକ୍ରମଣରୁ ରୋଗୀଙ୍କୁ ରକ୍ଷା କରିବା ପାଇଁ ଶୀତତାପ ନିୟନ୍ତ୍ରିତ କକ୍ଷ, ଶରୀରକୁ ଘୋଡେଇ ରଖିବା ପାଇଁ ସ୍ୱତନ୍ତ୍ର କଭର୍ ଭଳି ବ୍ୟବସ୍ଥା ଦରକାର । ମାତ୍ର ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଏସବୁର ବ୍ୟବସ୍ଥା ଲାଗି କୌଣସି ସୁବିିଧା ନାହିଁ । ଅତୀତରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆର୍ଥିକ ଅନୁଦାନରେ ପ୍ରାୟ ୧ କୋଟିିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ୫-ଟି ଉପକ୍ରମରେ ସାମିଲ୍ କରାଯାଇ ଆମ ହସ୍ପିଟାଲ୍ ଯୋଜନାରେ ରୁପାନ୍ତରିକରଣ କରାଯିବା ସାଙ୍ଗକୁ ଭିତ୍ତିଭୂମୀର ସୁଦୃଢ କରାଯାଇ ଗତ ୨୦୨୪ ମସିହା ଫେବୃୟାରୀ ମାସ ୧୭ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସି ମାଧ୍ୟମରେ ଉଦ୍ଘାଟନ କରାଯାଇଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ନିଆଁରେ ପୋଡିହୋଇ ଚିକିତ୍ସା ଲାଗି ଭର୍ତ୍ତି ହେଉଥିବା ରୋଗୀମାନଙ୍କ ବାସ୍ତବ ସମସ୍ୟା ଓ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଏକ ବର୍ଣ୍ଣକେୟାର୍ ୟୁନିଟ୍ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବାକୁ ଓଡିଶା ଅମଲା ସଂଘର ରାଜ୍ୟ ମୁଖ୍ୟ ପୃଷ୍ଟପୋଷକ ପ୍ରସନ୍ନ କୁମାର ତ୍ରିପାଠୀ ଅନୁରୋଧ କରିଛନ୍ତି । (