ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି ପ୍ଳାଷ୍ଟିକ ଓ ପଲିଥିନ୍‍

ଆସିକା (ୱାଇଏନ୍‍ଏସ୍‍) ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଜନ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଜୁନ୍‍ ମାସ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇ ଆସୁଛି । ୧୯୭୨ ମସିହାରେ ମାନବ ପର୍ଯ୍ୟାବରଣ ଦିବସରେ ଯୁକ୍ତରାଷ୍ଟ୍ର ଆମେରିକା ଏକ ମହାସଭା ଆୟୋଜନ କରିଥିଲା । ଏହି ଆଲୋଚନା ତଥା ମହାସଭାରେ ବିଶିଷ୍ଟ ପରିବେଶବିତ୍‍ ମାନେ ଯୋଗଦେଇ ଲୋକଙ୍କ ମଧ୍ୟରେ ପରିବେଶ ପ୍ରତି ସଚେତନ ସୃଷ୍ଟି କରିବା ସକାଶେ ସ୍ୱତନ୍ତ୍ର ଭାବେ ଗୋଟିଏ ଦିବସ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାର ଦୁଇ ବର୍ଷ ପରେ ଅର୍ଥାତ୍‍ ୧୯୭୪ ମସିହା ଠାରୁ ପ୍ରତ୍ୟେକ ବର୍ଷ ଜୁନ୍‍ ମାସ ୫ ତାରିଖରେ ସାରା ବିଶ୍ୱରେ ପରିବେଶ ଦିବସ ପାଳନ କରାଯାଇଆସୁଛି । ପଲିଥିନ୍‍ ଓ ପ୍ôଳାଷ୍ଟିକର ବହୁଳ ବ୍ୟବହାର ସାଙ୍ଗକୁ ଭୂତଳ ଜଳ ସୁପରିଚାଳନାରେ ସଂକଟ ଦେଖାଦେଇଛି । ଗତ ୨୦୧୮ ମସିହା ଅକ୍ଟୋବର ମାସ ୨ ତାରିଖ ଗାନ୍ଧୀଜୟନ୍ତୀ ଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ଳାଷ୍ଟିକ୍‍ ଓ ପଲିଥିନ୍‍ ପ୍ରଚଳନର ବିକ୍ରୀ, ଆମଦାନୀ, ଗଚ୍ଛିତ ଓ ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲେ ମଧ୍ୟ ସରକାରଙ୍କ ଏହି ନିର୍ଦ୍ଦେଶ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଓ ଉଦାସୀନ ମନୋବୃତ୍ତି ଯୋଗୁଁ ବାଟବଣା ହେବା ସାଙ୍ଗକୁ କେବଳ କାଗଜ କଲମ ଓ ବୈଠକରେ ସୀମିତ ରହିଯାଇଛି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ପ୍ଳାଷ୍ଟିକ୍‍ ଓ ପଲିଥିନ୍‍ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ପରିବେଶ ସୁରକ୍ଷା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଜୁନ୍‍ ମାସ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯୀଉଥିଲା ବେଳେ ଅଧିକାଂଶ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ ଦିନକୁ ଦିନ ନାନା କାରଣରୁ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି । ପରିବେଶ ନଷ୍ଟ ହେଉଥିବାରୁ ଦିନକୁ ଦିନ ଅନେକ ପ୍ରଜାତିର ପକ୍ଷୀ ଲୋପ ପାଇଗଲେଣି । ଘରଚଟିଆର ଚିକିରି ମିଚିର ଶବ୍ଦ ଆଉ ଶୁଣିବାକୁ ମିଳୁନାହିଁ । ଶଙ୍ଖଚିଲ୍ଲ ହୁଅନ୍ତୁ କି ଶାଗୁଣା ପକ୍ଷୀ ଏବେ ପ୍ରାୟତଃ ପୂର୍ବପରି ଦେଖିବାକୁ ମିଳୁନାହିଁ । ପରିବେଶ ସହ ଖାପ ଖୁଆଇ ନପାରି ଅନେକ ଜୀବ ଏହି ଧରାପୃଷ୍ଟରୁ ଦିନକୁ ଦିନ ଲୋପ ପାଇବାରେ ଲାଗିଛନ୍ତି । ପରିବେଶର ସୁରକ୍ଷା ପାଇଁ କାର୍ଯ୍ୟକାରୀ କରାଯାଉଥିବା ବହୁବିଧ ନିତୀନିୟମ ସଠିକ୍‍ ଭାବେ କାର୍ଯ୍ୟକାରୀ ହେଉନାହିଁ । ପରିବେଶ ପ୍ରଦୂଷଣର ମୁଖ୍ୟକାରଣ ପାଲଟିଥିବା ପ୍ଳାଷ୍ଟିକ୍‍ ଓ ପଲିଥିଲ୍‍କୁ ବର୍ଜନ କରିବା ଦିଗରେ ଆସିକା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଛି । ପ୍ଳାଷ୍ଟିକ ଓ ପଲିଥିନ୍‍ ପଦାର୍ଥର ବହୁଳ ବ୍ୟବହାର ଯୋଗୁଁ ଆମ ପରିବେଶ କେତେ ଅସୁରକ୍ଷିତ ହୋଇପଡୁଛି ତାହା ବହୁ ବ୍ୟକ୍ତି ଜାଣି ମଧ୍ୟ ସଚେତନତାର ଅଭାବ ଯୋଗୁଁ ବହୁଳ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ସାଧାରଣ ଜନତା ଓ ସଚେତନ ନାଗରିକ, ବୁଦ୍ଧିଜୀବୀ ଏକାଠି ହୋଇ ପରିବେଶର ସୁରକ୍ଷା ପାଇଁ ଚିନ୍ତା କରିବାର ସମୟ ଆସିଛି ବୋଲି ମତ ପ୍ରକାଶ ପାଉଛି । ପରିବେଶ ପାଇଁ ସାଂପ୍ରତିକ ପରିସ୍ଥିତିରେ ସବୁଠାରୁ ବଡ ବିପଦ ଯଦି କିଛି ଥାଏ ତାହା ହେଉଛି ପ୍ଳାଷ୍ଟିକ ଓ ପଲିଥିନ୍‍ । ଏହି ପ୍ଳାଷ୍ଟିକ ଓ ପଲିଥିନ୍‍ର ବ୍ୟବହାର ଆମ ସମାଜରେ ଏତେ ମାତ୍ରାରେ ବଢିଛି ଯେ ଏହା ଧିରେ ଧିରେ ଆମ ଦୈନନ୍ଦିନ ଜୀବନର ଏକ ଅନିଚ୍ଛାକୃତ ଅତ୍ୟାବଶ୍ୟକୀୟ ସାମଗ୍ରୀ ହୋଇପଡିଛି । ପ୍ଳାଷ୍ଟିକ୍‍ ଓ ପଲିଥିନ୍‍ର ବହୁଳ ବ୍ୟବହାର ଯୋଗୁଁ କନା ବ୍ୟାଗ୍‍ ବା ମୁଣି ଆମ ଜୀବନରୁ ପ୍ରାୟତଃ ଅପସରି ଗଲାଣି । ସହଜରେ ଉପଲବ୍ଧ ଏବଂ ବ୍ୟବହାର ପାଇଁ ପଲିଥିନ୍‍ ସୁବିଧାଜନକ ହୋଇଥିବାରୁ ଏଥିରେ ଜିନିଷ ନେବା ଆଣିବା ଅଧିକାଂଶ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି । ଦୋକାନ ବଜାର, ହୋଟେଲ ଠାରୁ ଆରମ୍ଭ କରି ଦେବାଳୟ ପର୍ଯ୍ୟନ୍ତ ପଲିଥିିନ୍‍ର ବହୁଳ ବ୍ୟବହାର ହେଉଛି । ଏହି ପଲିଥିନ୍‍ ଯେ ଆମ ପରିବେଶ ପାଇଁ କେତେ ବିପଦ୍‍ଜନକ୍‍ ତାହା ଜାଣି ବି ଦୂରେଇବା ପାଇଁ ସାଧାରଣ ଜନତା ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି । ଲୋକେ ସଚେତନ ନହେଲେ ପଲିଥିନ୍‍ର ବହୁଳ ବ୍ୟବହାର ବନ୍ଦ ହେବା କଷ୍ଟକର ଓ ପ୍ରଦୂଷଣମୁକ୍ତ ସମାଜ ଗଠନ କରିବା କାଠିକର ପାଠ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ