କଟକରେ କାୟା ମେଲାଇଲାଣି ଡାଇରିଆ
କଟକ,(ଓ୍ବାଇଏନଏସ): କଟକରେ କାୟା ମେଲାଉଛି ଡାଇରିଆ। ବିଶେଷକରି ଯାଜପୁର ଜିଲ୍ଲାକୁ ଲାଗି କରି ଥିବା କଟକ ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଯଦିଓ ଏହାର ସଂଖ୍ୟା ସରକାରୀ ସୂତ୍ରରେ ୧୫ ରୁ ଅଧିକ ଦେଖା ଯାଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ଥିବା କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। କେଉଁ କାରଣରୁ କଟକ ଟାଙ୍ଗୀ ଅଞ୍ଚଳରେ ଡାଇରିଆ ଦେଖା ଗଲା ତାହାର କାରଣ ଜଣା ପଡିନଥିବା ବେଳେ, ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିଂଦେ ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିଂ ଦେ କହିଛନ୍ତି ‘‘ସେଠାକାର ପାଣିର ନମୁନା ପଠାଯାଇଛି । ରିପୋର୍ଟ ଆସିଲେ କାରଣ ଜଣା ପଡିବ ବୋଲି ଜିଲ୍ଳାପାଳ କହିଛନ୍ତି । ସେଠାରେ ସ୍ଵାସ୍ଥ୍ୟ କର୍ମୀମାନଙ୍କୁ ଆଲର୍ଟ କରାଯାଇଛି । ଡାଇରିଆ ଚିହ୍ନଟ ହୋଇଥିବା ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପିଇବା ପାଣି ଯୋଗାଇ ଦିଆଯାଉଛି’’। ବର୍ତ୍ତମାନ କଟକ ଜିଲ୍ଲାରେ ୪୦ ଜଣ ଡାଇରିଆ ଆକ୍ରାନ୍ତ ମାମଲା ଆକ୍ଟିଭ ରହିଛି । ସେମାନଙ୍କ ମଧ୍ୟରୁ ୩ ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ବାଙ୍କୀ ଏବଂ କଟକ ସଦର ଅନ୍ତର୍ଗତ ଝିଙ୍କିରିଆ ଅଞ୍ଚଳରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବାଙ୍କୀରେ ୪୦ ଜଣ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତାହାର କାରଣ ମଧ୍ୟ ଜଣା ପଡିଥିଲା । ପିଇବା ପାଣିରେ ନାଳ ପାଣି ମିଶିବାରୁ ପାଣି ଦୂଷିତ ହୋଇ ଡାଇରିଆ ହୋଇଥିଲା । ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ବିଶେଷକରି ସେଠାକାର ଲୋକଙ୍କୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଥିଲା । ପାଣିକୁ ସମ୍ପୂର୍ଣ୍ଣ ଭାବରେ ବିଶୋଧନ କରାଯାଇଛି । ଫଳରେ ସେଠାକାର ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି । କଟକ ସଦର ଅଞ୍ଚଳର ଝିଙ୍କିରିଆରେ ଯେଉଁ ଡାଇରିଆ ଆକ୍ରାନ୍ତ ଦେଖା ଦେଇଥିଲେ ସେମାନେ ସମସ୍ତେ ସୁସ୍ଥ ହୋଇଛନ୍ତି । ପାଣିର ନମୁନା ରିପୋର୍ଟ ଠିକ ଆସିଥିବାରୁ ସେଠାରୁ ପୁନର୍ବାର ପାଣି ପିଇବାକୁ କୁହାଯାଇଛି । କଟକ ଜିଲ୍ଲା ଉପରେ କଡା ନଜର ରଖାଯାଇଥିବା କଟକ ଜିଲ୍ଳାପାଳ ସୂଚନା ଦେଇଛନ୍ତି । ନରସିଂହପୁରରେ ଝାଡ଼ାବାନ୍ତି ଦେଖା ଯାଇଥିଲା। ଗୋଟିଏ ପରିବାରର ୫ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ। ବାସୀ କେକ ଖାଇ ଗୋଟିଏ ପରିବାରର ୫ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଥିବା ଜିଲ୍ଳାପାଳ ସ୍ପଷ୍ଟ କରିଛନ୍ତି। ତେବେ ଏହି ଘଟଣାରେ ଜଣେ ୬୫ ବର୍ଷୀୟ ବୃଦ୍ଧା ଙ୍କର ମୃତୁ ଘଟିଛି। ସେ ଅନେକ ରୋଗରେ ପୀଡିତ ଥିଲେ ବୋଲି ଜିଲ୍ଲାପାଳ କହିଛନ୍ତି।