ବିପର୍ଯ୍ୟୟ ପରିଚାଳନା ବୈଠକ
ଛତ୍ରପୁର (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଓ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ବୈଠକ ବୁଧବାର ଦିନ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ଯ ଉନ୍ନୟନ ସଂସ୍ଥାର ଜଉଗଡ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ଜରୁରୀକାଳିନ ବିଭାଗର ଡେପୁଟି କଲେକ୍ଟର ଅଭିଷେକ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କହିଥିଲେ ଯେ, ଗଞ୍ଜାମ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା । ଏଣୁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ପଡିବ । ପ୍ରାକୃତିକ ବିପର୍ଯ୍ୟୟ ଆସିବାର ଆଗୁଆ ସୂଚନା ବର୍ତ୍ତମାନ ସମୟରେ ଆମେ ପାଇପାରୁଛେ । ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ହେଲେ ପ୍ରାକ୍ ସତର୍କତା ଓ ସଚେତନତା ନିହାତି ଜରୁରି । ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା ତାଙ୍କ ବକ୍ତବ୍ୟରେ କହିଥିଲେଯେ, ଠିକ୍ ସମୟରେ ଠିକ୍ ପଦକ୍ଷେପ ନେଲେ ବିପର୍ଯ୍ୟୟର ମୁକାବିଲା କରିପାରିବା । ବିପର୍ଯ୍ୟୟ ସମୟରେ ଜନ ସାଧାରଣ କିପରି ନିଜକୁ ତଥା ଗୃହପାଳିତ ପଶୁପକ୍ଷୀଙ୍କୁ ରକ୍ଷା କରିପାରିବେ ସେଥିପ୍ରତି ପ୍ରଚାର ପ୍ରସାର ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ପଡିବ । ଓସଡମାର ସାଧାରଣ ପରିଚାଳିକା ( ଅବଜରଭର୍) ତପସ୍ବିନୀ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେଯେ, ଗଞ୍ଜାମ ସାଧାରଣତଃ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ଭାବେ ଜଣାଶୁଣା । 1999 ମସିହା ଓ 2013 ମସିହାରେ ଦୁଇଦୁଇଟି ବାତ୍ୟାର ମୁକାବିଲା କରିପାରିଛି । ଏଣୁ ସମସ୍ତ ବିଭାଗର ସମନ୍ବୟ ରହିଲେ ଏହି ବିପର୍ଯ୍ୟୟକୁ ସହଜରେ ମୁକାବିଲା କରିପାରିବା ବୋଲି କହିଥିଲେ । ବର୍ତ୍ତମାନ ସମୟରେ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ ଏତେ ଉନ୍ନତ ଯେ, ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟିବା ପୂର୍ବରୁ ପ୍ରାକ୍ ସୂଚନା ପାଇପାରୁଛୁ । ଯାହା ଫଳରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିପାରୁଛେ । ସମସ୍ତ ବ୍ଲକ୍ ସ୍ତରରେ ଓ ସହରାଞ୍ଚଳରେ ଆଜି ଅପରାହ୍ନରେ ଟେବୁଲ୍ ଟପ୍ ଅଭ୍ଯାସ କାର୍ଯ୍ୟକ୍ରମ କରାଯିବ । ସେହିପରି ଆସନ୍ତା କାଲି ଜିଲ୍ଲାର ସମସ୍ତ ୧୧୦ ଗୋଟି ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକରେ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଅନୁଷ୍ଠିତ ହେବ । ସେଥିରେ ଦୈବୀ ଦୁର୍ବିପାକରୁ କିଭଳି ରକ୍ଷା ପାଇପାରିବେ ତାହା ପ୍ରଦର୍ଶନ କରାଯିବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ସତର୍କତା ଅବଲମ୍ବନ କରାଯିବ ତାହା ଜନ ସାଧାରଣଙ୍କୁ ପ୍ରଦର୍ଶିତ କରି ସଚେତନ କରାଯିବ । ଗଞ୍ଜାମ, ଛତ୍ରପୁର, ରଙ୍ଗେଇଲୁଣ୍ଡା, ଓ ଚିକିଟି ବ୍ଲକ୍ ରେ ସୁନାମୀ ପ୍ରବଣ କାର୍ଯ୍ୟକ୍ରମ ଚାଲୁ ରହିଛି । ରଙ୍ଗେଇଲୁଣ୍ଡାବ୍ଲକ୍ ର ଭେଙ୍କଟ ରାଇପୁର ଗ୍ରାମ କୁ 2020 ମସିହାରେ ସୁନାମୀ ରେଡି ମାନ୍ୟତା ମିଳିଛି । 2024 ମସିହାରେ ଗଞ୍ଜାମ ଜିଲ୍ଲାର 4 ଗୋଟି ଗ୍ରାମ ଯଥା- ପ୍ରୟାଗୀ, କଣ୍ଟିଆଗଡ, ଉପୁଲାପୁଟି ଓ ମାର୍କଣ୍ଡି ସୁନାମୀ ରେଡି ମାନ୍ୟତା ପାଇଛି । ସେହିପରି 2025 ମସିହାରେ 3ଗୋଟି ବ୍ଲକ୍ର 10 ଗୋଟି ଗ୍ରାମକୁ ସୁନାମୀ ରେଡି ପାଇଁ ଯୋଜନା ରହିଛି । ବଜ୍ରପାତ ଓ ସର୍ପାଘାତରୁ ରକ୍ଷା ପାଇବା ପାଇଁ ମଧ୍ୟ ସଚେତନତା ହିଁ ଜରୁରି ହୋଇ ପଡିଛି । ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ସମୟରେ ବିଭିନ୍ନ ବିଭାଗକ କାର୍ଯ୍ୟଶୈଳୀ ବିଷୟରେ ସମସ୍ତ ଲାଇନ୍ ବିଭାଗୀୟ କର୍ମକର୍ତ୍ତାଙ୍କ ଠାରୁ ପଚାରି ବୁଝିଥି୍ଲେ । ଏଥିରେ ସମସ୍ତ ଲାଇନ୍ ବିଭାଗ ଯଥା – ଜିଲ୍ଲା ଜରୁରୀକାଳିନ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ଜଳସେଚନ, ପୂର୍ତ୍ତ, ଅଗ୍ନିଶମ ସେବା ବିଭାଗ, ଶକ୍ତି ବିଭାଗ, ସାଧାରଣ ବଣ୍ଟନ ବିଭାଗ, ପଶୁ ସମ୍ପଦ, ରାସ୍ତା ଓ କୋଠାବାଡି, ଆରକ୍ଷୀ ବିଭାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଇତ୍ୟାଦି ଯୋଗଦେଇ ନିଜ ନିଜ ବିଭାଗକ କାର୍ଯ୍ୟଶୈଳୀ ବୁଝାଇଥିଲେ । ବିପର୍ଯ୍ୟୟ ସମୟରେ ସମସ୍ତ ସ୍ବେଚ୍ଛାସେବୀ ସଂଗଠନ, ରେଡକ୍ରସ୍ ସଂସ୍ଥା, ଲୋକ ପ୍ରତିନିଧି, ଏନ.ଡି.ଆର୍.ଏଫ୍., ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ ସେବା ବିଭାଗ ଏବଂ ରାଜ୍ୟ ସ୍ତରରୁ ଓସଡମା, ଏସ୍.ଆର୍.ସି. ଆଦି କର୍ମଚାରୀଗଣ କିଭଳି ସେବା ଯୋଗାଇବେ ତାହା ବର୍ଣ୍ଣନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଓସଡମାର ସାଧାରଣ ପରିଚାଳିକା ( ଅବଜରଭର୍) ତପସ୍ବିନୀ ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ଜରୁରୀକାଳିନ ବିଭାଗର ଡେପୁଟି କଲେକ୍ଟର ଅଭିଷେକ ସାହୁ ମଞ୍ଚାସୀନ ଥିବାବେଳେ ଓସ୍ଡମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ ଓ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀଗଣ ଯୋଗଦେଇଥିଲେ ।