ବିଦ୍ୟୁତ ଆଘାତରେ ପମ୍ପ ଅପରେଟର ମୃତ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚକ୍ରୋଡା ଗ୍ରାମ ପଞ୍ଚାୟତର ନରିଲୋ ଗ୍ରାମରେ ଜନୈକ ଯୁବକଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ହରିହର ମଲ୍ଲିକ (୩୩)। ହରିହର ଏହି ପଞ୍ଚାୟତ ଅଧିନରେ ପମ୍ପ ଅପରେଟର(ଏସଇଏମ) ଭାବେ କାର୍ଯ୍ୟ କରୁଥିଲେ। ବୁଧବାର ସକାଳ ପ୍ରାୟ ସାଢେ ୧୦ଟାରେ ହରିହର ପଞ୍ଚାୟତରେ ଥିବା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ଛାତ ଉପରେ ଥିବା ପାଣି ଟାଙ୍କି ସଫା କରୁଥିଲେ। ସେହି ଛାତ ଉପରେ ନୂତନ ନିର୍ମାଣଧିନ ଆରୋଗ୍ୟ କେନ୍ଦ୍ରକୁ ଜନୈକ ଠିକାଦାର ଚୋରାରେ ବିଦ୍ୟୁତ ସଂଯୋଗ ନେଇଥିଲେ। ଏ ନେଇ କୌଣସି ସୁରକ୍ଷା ବ୍ୟବସ୍ଥା ସେ କରି ନଥିଲେ। ଫଳରେ ଏହା ଅନ୍ୟମାନଙ୍କ ପଇଁ ବିପଦ ସୃଷ୍ଟି କରିଥିଲା। ହରିହର ଯେଉଁ ଛାତରେ କାମ କରୁଥିଲେ ସେହି ଛାତ ଉପର ଦେଇ ଚୋରା ବିଦ୍ୟୁତ ତାର ଯାଇଥିଲା। ହରିହର ପାଣି ଟଙ୍କି ସଫା କରୁଥିବା ସମୟରେ ବିଦୁତ ତାର ସଂସ୍ପର୍ଶରେ ଆସିଯିବାରୁ ସେ ଗୁରୁତର ହୋଇ ଛାତ ଉପରେ ଜମିଥିବା ବର୍ଷା ପାଣିରେ ପଡିଯାଇଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳକୁ ଯାଇଥିଲେ। କିନ୍ତୁ ଉଦ୍ଧାର କରିବାକୁ ଯାଇଥିବା ଲୋକ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ପରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇ ହରିହରଙ୍କୁ ସେଠାରୁ ଉଦ୍ଧାର କରାଯାଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ମୃତଦେହକୁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ସଂପୃକ୍ତ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏଥିସହ ପିଡିତ ପରିବାରକୁ କ୍ଷତିପୂରଣ ଓ ମୃତକଙ୍କ ପତ୍ନୀଙ୍କୁ ଚାକିରୀ ଦାବିରେ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ଧାରଣା ଦେଇଥିଲେ। ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ ଓ ପତ୍ନୀଙ୍କୁ ଚାକିରୀ ମିଳିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି ମୃତ୍ୟୁକୁ ନେଇ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥରବା ପୋଲିସ କହିଛି। ହରିହରଙ୍କ ଏକ ୬ ବର୍ଷର ପୁଅ ଓ ୩ ବର୍ଷର ଝିଅ ଅଛନ୍ତି। ତାଙ୍କ ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ