ଝାଡାବାନ୍ତିକୁ ନେଇ ହାଇକୋର୍ଟଙ୍କ ଉଦବେଗ: ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦେବାକୁ ସିଏମସିକୁ ନିର୍ଦ୍ଦେଶ

କଟକ (ଓ୍ବାଇଏନଏସ): କିଛି ଦିନ ହେବ ଝାଡାବାନ୍ତି ଓ ହଇଜା ରୋଗ ବ୍ୟାପୁଥିବା ବେଳେ କଟକ ସହରର ପରିମଳ ବ୍ୟବସ୍ଥାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ବିଶେଷକରି ସହରର ବିପର୍ଯ୍ୟସ୍ତ ପରିମଳ ସହ ଦୂଷିତ ଖାଦ୍ୟ ବିକ୍ରି ଓ ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା ସମ୍ପର୍କରେ ଆଡଭୋକେଟ କମିଟି ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ହାଇକୋର୍ଟ କଟକ ମହାନଗର ନିଗମ(ସିଏମସି) ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ତଲବ କରିଛନ୍ତି । ଝାଡାବାନ୍ତି ଓ ହଇଜା ନିରାକରଣ ପାଇଁ କଣ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ସତ୍ୟପାଠ ଦାଖଲ କରିବାକୁ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କଟକ ସହର ସମସ୍ୟା ପ୍ରସଂଗରେ ରୁଜୁ ମାମଲାର ଶୁଣାଣି କରି ଜଷ୍ଟିସ ସଂଗମ କୁମାର ସାହୁ ଓ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝାଡାବାନ୍ତି ବ୍ୟାପୁଥିବା ବେଳେ କଟକ ଜିଲ୍ଲାର ମଧ୍ୟ କେତେକ ଅଞ୍ଚଳରେ ଏହି ରୋଗ ବ୍ୟାପୁଥିବା ଜଣାପଡିଛି । ଏଭଳି ସ୍ଥିତିରେ କଟକ ସହରରେ ମଧ୍ୟ ଦୂଷିତ ଜଳ ଓ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ପାଇଁ ରୋଗ ବ୍ୟାପିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଏଣୁ ଏହାର ପ୍ରତିକାର ପାଇଁ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ ଉପରେ ଅଦାଲତ ଗୁରୁତ୍ୱାରୋପ କରିଥିଲେ । କଟକ ଅତିରିକ୍ତ ଜିଲ୍ଲାପାଳ,ସିଏମସି କମିସନର ,ସିଟି ଇଞ୍ଜିନିୟର ଓ ୱାଟକୋର ଅଧିକାରୀ ଭର୍ଚୁଆଲରେ ଉପସ୍ଥିତ ରହି ସେମାନଙ୍କ ପକ୍ଷ ରଖିଥିଲେ । ସହରରେ ମୋଟ ୩ହଜାର ନଲକୂପରୁ ୨ହଜାର ନଳକୂପର ବିଶୋଧନ କରାଯାଇଛି ଓ ବିଭିନ୍ନ ରାସ୍ତାକଡ ଖାଦ୍ୟ ସାମଗ୍ରୀ ପ୍ରତିଷ୍ଠାନରେ ଚଢଉ କରାଯାଉଛି ବୋଲି କୁହାଯାଇଥିଲା । ଅନ୍ୟପଟରେ ରାସ୍ତାକଡ ଖାଦ୍ୟ ପସରାକୁ ୭ଦିନ ବନ୍ଦ ରଖାଯିବା ଉଚିତ ବୋଲି ଆଡଭୋକେଟ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ବେଳେ ଏ ସମ୍ପର୍କରେ ସମ୍ପୃକ୍ତ ବିଭାଗ ବିଚାର କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ୩ରେ ହେବ ବୋଲି ଧାର୍ଯ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ