ଅଧ୍ୟାପକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ବୁଗୁଡା (ଅନୀଲ କୁମାର ମହାରଣା) : ବୁଗୁଡା ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗର ଅଧ୍ଯାପକ ଡକ୍ଟର ବିନୋଦ କୁମାର କରଙ୍କ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ରଜବନ୍ଧୁ ମହାବିଦ୍ୟାଳୟକୁ ବଦଳି ହୋଇଥିବା ବେଳେ ଜୁନ ୨୯ ତାରିଖ ଦିନ ଅଧ୍ୟାପକ ଶ୍ରୀ କରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କଲେଜ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ଯକ୍ଷ ହରିକୃଷ୍ଣ ନାୟକ ଅଧ୍ଯକ୍ଷତା କରିଥିବା ବେଳେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁଙ୍କ ସମେତ ଅଧ୍ୟାପକ ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ ମଞ୍ଚାସୀନ ଥିଲେ। ଗତ ୨୬ ଅକ୍ଟୋବର ୨୦୧୯ ମସିହାରେ ଅଧ୍ଯାପକ ବିନୋଦ କୁମାର କର ପିପୁଲ୍ସ କଲେଜରେ ଯୋଗଦାନ କରି ଅଧ୍ଯାପନା କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି। ଶ୍ରୀ କରଙ୍କ ନିଷ୍ଠାପର ପ୍ରଚେଷ୍ଟା ଫଳରେ ଲଗାତର ଭାବେ ଚାରି ବର୍ଷ ଧରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଟପ୍ ଟେନ୍ ତାଲିକାରେ ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ସ୍ଥାନ ପାଇବା ସହ ଗୋଲ୍ଡ ମେଡାଲ ହାସଲ କରି କଲେଜର ଗୌରବ ବୃଦ୍ଧି କରିପାରିଛି। କାର୍ଯ୍ୟକ୍ରମରେ ବିଭାଗୀୟ ଅଧ୍ୟାପକ ଓ ଛାତ୍ରଛାତ୍ରୀ ନିଜ ବକ୍ତବ୍ୟରେ ବିଦାୟୀ ଅଧ୍ଯାପକଙ୍କ କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା ଓ ଅଧ୍ଯାପନା ଦକ୍ଷତାର ଭୂୟସୀ ପ୍ରଶଂସା କରିଥିଲେ। ଅନ୍ଯପକ୍ଷରେ ଅଧ୍ଯାପକ କର ମଧ୍ୟ ସ୍ବବକ୍ତବ୍ଯରେ ସରକାରୀ ଚାକିରି ଜୀବନର ପ୍ରଥମ କର୍ମକ୍ଷେତ୍ର ପିପୁଲ୍ସ କଲେଜ ତାଙ୍କ ପାଇଁ ଚିରଦିନ ଅବିସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିବା ସହ ଉପସ୍ଥିତ ଅଧ୍ଯୟନରତ ଏବଂ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରିଥିଲେ। ବଦଳି ହୋଇଥିବା ଅଧ୍ୟାପକ କରଙ୍କୁ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର ଓ ଅନେକ ଉପହାର ପ୍ରଦାନ ପୂର୍ବକ ବିଦାୟକାଳୀନ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଛାତ୍ରୀ ମନିଷା ଡାକୁଆ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଛାତ୍ରୀ ଗିତାଞ୍ଜଳୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।