ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ମୋଟର ସାଇକେଲ୍ ଶୋଭାଯାତ୍ରା
ବାଲେଶ୍ୱର,(ଓ୍ବାଇଏନଏସ): ଦେଶବ୍ୟାପୀ ଧର୍ମଘଟକୁ ବାଲେଶ୍ୱରରେ ସଫଳ କରିବାପାଇଁ ଶତାଧିକ ମୋଟର ସାଇକେଲ୍ ଆରୋହୀ ବାଲେଶ୍ୱର ରେଳଷ୍ଟେସନରୁ ଅପରାହ୍ନରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡ଼େରେସନ୍ମାନଙ୍କର ଆହ୍ୱାନରେ ଏହି ଧର୍ମଘଟକୁ ବାଲେଶ୍ୱରବାସୀ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବାକୁ ଶୋଭାଯାତ୍ରାକାରୀମାନେ ବିଭିନ୍ନ ନାରା ଦେଇ ନିବେଦନ କରିଥିଲେ। ପୁଞ୍ଜିପତି ଓ ମାଲିକମାନଙ୍କ ସପକ୍ଷରେ ଶ୍ରମଆଇନ୍ ସଂଶୋଧନକୁ ବାତିଲ କରିବା, ଦରଦାମ ବୃଦ୍ଧି ବନ୍ଦକରିବା, ବେକାରଙ୍କୁ ନିଯୁକ୍ତି ପ୍ରଦାନ କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ, ପୁରୁଣା ପେନ୍ସନ୍ ବ୍ୟବସ୍ଥା ଲାଗୁ କରିବା, ସମାନ କାମକୁ ସମାନ ଦରମା ପ୍ରଦାନ ଓ ସ୍କିମ୍ ୱାର୍କରର୍ସଙ୍କୁ ଶ୍ରମିକମାନ୍ୟତା ଦେବା, ଇ.ପି.ଏଫ୍ ପେନ୍ସନ୍ ସର୍ବନିମ୍ନ ମାସିକ ୯ ହଜାର ଏବଂ ସର୍ବନିମ୍ନ ବେତନ ମାସିକ ୨୬ ହଜାର ଟଙ୍କା ପ୍ରଦାନ ଆଦି ଦାବିରେ ଆସନ୍ତାକାଲି ସମସ୍ତ ଶିଳ୍ପାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ,ଦୋକାନ ବଜାର, ଅଫିସ୍ ଦପ୍ତର, କୋର୍ଟ କଚେରୀ, ଶିକ୍ଷାନୁଷ୍ଠାନ, ଗାଡ଼ି, ମୋଟର, ରେଳ ଓ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରଖି କେନ୍ଦ୍ର ସରକାରଙ୍କ ବିରୋଧରେ ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରିବାକୁ ଶୋଭାଯାତ୍ରାକାରୀମାନେ ଅନୁରୋଧ କରିଥିଲେ।