ବ୍ଳକସ୍ତରୀୟ “ନିଷ୍ଠା” ତାଲିମ୍ ଶିବିର ଉଦ୍ଘାଟିତ
ଆସିକା (ୱାଇଏନ୍ଏସ୍): ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସମାଜର ମୂଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବହୁବିଧ ଯୋଜନା ଗୁଡିକର ସଫଳ ରୂପାୟନ କ୍ଷେତ୍ରରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ଦକ୍ଷତା ବୃଦ୍ଧି କରିବା ପାଇଁ ସମଗ୍ର ଶିକ୍ଷା ଗଞ୍ଜାମର ପରାମର୍ଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ବାବନପୁର କ୍ଳଷ୍ଟରର ଦି ଆସିକା ସୁଗର ଇଣ୍ଡଷ୍ଟ୍ରିଜ୍ ଉଚ୍ଚ ବିଦ୍ୟାଳୟ ପରିସରରେ ପଞ୍ଚଦିବସୀୟ ନିଷ୍ଠା ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତିଙ୍କ ପରାମର୍ଶକ୍ରମେ ସହାୟକ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ଶିକ୍ଷାନୁଷ୍ଠାନର ପ୍ରଧାନିଶିକ୍ଷକ ପ୍ରଦୀପ୍ତ କୁମାର ସାମନ୍ତରାୟ, ବାବନପୁର କ୍ଳଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାଧାମୋହନ ଡାକୁଆ ଏହି ତାଲିମ୍ ଶିବିରର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋକପାତ କରିଥିଲେ । ସମଗ୍ର ଶିକ୍ଷା ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି ବ୍ଳକସ୍ତରୀୟ ନିଷ୍ଠା ତାଲିମ୍ ଶିବିରରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଖାରିଆ, ବାବନପୁର, ହରିଡାପଦର, ବଡଖୋଲି, ଭେଟନଇ, କାଳଷଣ୍ଢପୁର କ୍ଳଷ୍ଟର ଅଧୀନସ୍ଥ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ୫୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ୍ ଦିଆଯାଉଥିଲା ବେଳେ ସମ୍ବଳ ଶିକ୍ଷକ ଓ ଶିକ୍ଷୟିତ୍ରୀ ଭାବେ ମନ୍ଦାକିନୀ ରଥ, ମନୋଜ କୁମାର ତ୍ରିପାଠୀ, ଶୁଭେନ୍ଦୁ ଶେଖର ଜେନା, ଶିବଶଙ୍କର ସ୍ୱାଇଁ ପ୍ରମୁଖ ଯୋଗଦେଇ ଭାରତୀୟ ପୁନର୍ବାସ ସଂସ୍ଥାନ ଅଧିନିୟମ, ଜାତୀୟ ନ୍ୟାସ ଅଧିନିୟମ, ସଂଶୋଧିତ ଶିକ୍ଷା ଅଧିନିୟମ, ଅକ୍ଷମତା ଥିବା ବ୍ୟକ୍ତିମାନଙ୍କର ଅଧିକାର ଏବଂ ଅଧିନିୟମ, ଜାତୀୟ ଶିକ୍ଷାନୀତି ଅର୍ନ୍ତନିବେଶୀ ଶିିକ୍ଷା ସହ ଭିନ୍ନକ୍ଷମ ବିଭାଗୀକରଣ, ଭିନ୍ନକ୍ଷମମାନଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ, ବିଭିନ୍ନ ଅକ୍ଷମତା ଥିବା ଛାତ୍ରଛାତ୍ରୀମାନଙ୍କ ସମସ୍ୟା, ପାଠ୍ୟକ୍ରମ ଅନୁକୂଳନ, ସାର୍ବଜନୀନ ଶିକ୍ଷଣ ଢାଞ୍ଚା, ଅନ୍ତର୍ନିବେଶୀ ଶ୍ରେଣୀ ଗୃହରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ପ୍ରସସ୍ଥ ଆପ୍ର କାର୍ଯ୍ୟକାରିତା, ସକରାତ୍ମକ ଆଚରଣ, ଭାଷା, ପରିବେଶ, ଗଣିତ, ବିଜ୍ଞାନ ଶିକ୍ଷଣ, ଗୃହଭିତ୍ତିକ ଶିକ୍ଷା ବ୍ୟବସ୍ଥା, ବ୍ୟକ୍ତିଗତ ଶିକ୍ଷଣ ଯୋଜନା, ପାଠ୍ୟକ୍ରମରେ ଯୋଗ, କଳା, ନାଟକ ଓ ନୃତ୍ୟ ଆଦି ସାମିଲ୍ କରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ମୁହଁରେ ହସ ଫୁଟାଇବା, ପ୍ରଶସ୍ତ ଆପ୍, ସକରାତ୍ମକ ଆଚରଣ, ଭାଷା, ପରିବେଶ, ଗଣିତ,ବିଜ୍ଞାନ ଶିକ୍ଷଣ, ଗୃହ ଭିତ୍ତିକ ଶିକ୍ଷା, ବ୍ୟକ୍ତିଗତ ଶୈକ୍ଷିକ ଯୋଜନା ଉପରେ ତାଲିମ୍ ପ୍ରଦାନ କରୁଥିବା ଲକ୍ଷ୍ୟ କରାଯାଇଛି । ସମଗ୍ର ଶିକ୍ଷା ଆସିକାର ଗୋଷ୍ଠୀ ସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି ନିଷ୍ଠା ତାଲିମ୍ ଶିବିରକୁ ସୁପରିଚାଳନା କରିବା ଦିଗରେ ଦି ଆସିକା ସୁଗର୍ ଇଣ୍ଡଷ୍ଟ୍ରିଜ୍ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀକାନ୍ତ ପଟ୍ଟନାୟକ, ପ୍ରଜ୍ଞାପରମିତା ପ୍ରଧାନ, ଅନିଲ୍ କୁମାର ନାୟକଙ୍କ ସମେତ ଶିକ୍ଷା ବିଭାଗର ବହୁ କର୍ମଚାରୀ ପରିଚାଳନାରେ ସକ୍ରିୟ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।