ମଂଜୁରୀପ୍ରାପ୍ତ ୩୫ ଡାକ୍ତରଙ୍କ ଜାଗାରେ ଅଛନ୍ତି ମାତ୍ର ୧୧ ଜଣ

ଆସିକା (ୱାଇଏନ୍‍ଏସ୍‍) ଚାହୁଁ ଚାହୁଁ ୭ବର୍ଷ ବିତିଯାଇଛି । ତଥାପି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗତ ୨୦୧୭ ମସିହା ଅକ୍ଟୋବର ମାସ ୧୭ତାରିଖରେ ଆସିକା ଚିକିତ୍ସାଳୟକୁ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପ୍ରଦାନ ଘୋଷଣା କେବଳ ନାମଫଳକରେ ସୀମିତ ରହିଯାଇଥିବା ଯୋଗୁଁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଓ ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଏ ସଂପର୍କରେ ମିଳିଥିବା ସୂଚନା ଅନୁଯାୟୀ ଗତ ୨୦୧୭ ମସିହା ଆଲୋକର ପର୍ବ ଦୀପାବଳୀ ପାଳନର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାର ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ କେନ୍ଦ୍ରପଡା ଜିଲ୍ଲାର ପଟାମୁଣ୍ଡାଇ, ନବରଙ୍ଗପୁର ଜିଲ୍ଲାର ଉମରକୋଟ, ମାଲ୍‌କାନ୍‌ଗିରି ଜିଲ୍ଲାର ମାଥିଲି ଓ କୁଦୁମୁଲୁଗୁମ୍ମା ଏବଂ ନୂଆଁପଡା ଜିଲ୍ଲାର ଖରିଆର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପ୍ରଦାନ ଘୋଷଣା କରାଯାଇଥିଲା । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ଘୋଷଣା କରାଯିବା ପରେ ସେତେବେଳେ ଆସିକା ଅଞ୍ଚଳବାସୀଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯିବା ସାଙ୍ଗକୁ ଏହା ଆସିକା ଅଞ୍ଚଳବାସୀଙ୍କୁ ରାଜ୍ୟ ସରକାରଙ୍କ ଦୀପାବଳୀ ଭେଟି ବୋଲି ଆଲୋଚନା ହେବା ସହ ବିଭିନ୍ନ ମହଲରେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଓ ଶୁଭେଚ୍ଛାର ସୁଅ ଛୁଟିଥିଲା । ତେବେ ରାଜ୍ୟ ସରକାରଙ୍କ ଘୋଷଣାକୁ ଇତି ମଧ୍ୟରେ ୭ବର୍ଷ ପୁରିଯାଇଥିଲେ ମଧ୍ୟ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପ୍ରଦାନ କେବଳ ସାଇନ୍ ବୋର୍ଡରେ ସୀମିତ ରହିଯାଇଥିବା ଅଭିଯୋଗ ହେଉଛି । ରାଜ୍ୟ ସରକାରଙ୍କ ଆମ ହସ୍‍ପିଟାଲ୍‍ ଯୋଜନାରେ ଆସିକା ଡାକ୍ତରଖାନାର ଭିତ୍ତିଭୂମୀ ବିକାଶ ସହ ଶଯ୍ୟା ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟ ଉପରେ ଆସିକା ବ୍ଳକ ଓ ଏନ୍‌ଏସି ସମେତ ଧରାକୋଟ, ଶେରଗଡ, କବିସୂର୍ଯ୍ୟନଗର, ବୁଗୁଡା ତଥା ଏହାର ଆଖପାଖ ଅଞ୍ଚଳର ହଜାର ହଜାର ଜନତା ନିର୍ଭର କରୁଥିବା ବେଳେ ଦୈନିକ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ୱ ରୋଗୀ ବର୍ହିଚିକିତ୍ସା ବିଭାଗକୁ ସ୍ୱାସ୍ଥ୍ୟ ସେବା ପାଇଁ ଆସୁଥିବା ବେଳେ ମାସିକ ପ୍ରାୟ ୮ଶହରୁ ୧ ହଜାର ଗର୍ଭବତୀ ପ୍ରସୂତି ଲାଗି ଭର୍ତ୍ତି ହୋଇଥାନ୍ତି । ସେହିଭଳି ବିଭିନ୍ନ ଥାନା ଇଲାକାର ମୃତଦେହକୁ ମଧ୍ୟ ଏଠାରେ ବ୍ୟବଚ୍ଛେଦ କରାଯାଇଥାଏ । ତେବେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆସିକା ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପ୍ରଦାନ ଘୋଷଣା କେବଳ ସାଇନ୍ ବୋର୍ଡରେ ସୀମିତ ରହିଯାଇଥିବା ଯୋଗୁଁ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ଜନସାଧାରଣ ଯେପରି ଉନ୍ନତ ମାନର ସ୍ୱାସ୍ଥସେବା ପାଇପାରିବେ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅଲଟ୍ରା ସାଉଣ୍ଡ ସେବା, ଡାଏଲିସିସ୍‍ ସେବା, ନିଦାନ ସେବା, ରଂଜନ ରଶ୍ମୀ ସେବା ଓ ରକ୍ତ ସଂରକ୍ଷଣ ୟୁନିଟ୍ କାର୍ଯ୍ୟକାରୀ ସମେତ ବହୁ ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯାଉଥିଲେ ମଧ୍ୟ ଖାଲିପଡିଥିବା ଡାକ୍ତର ପଦବୀ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ସାଧାରଣରେ ଗଭୀର ଉଦ୍‌ବେଗ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି। ସୁରକ୍ଷିତ ତଥା ନିରାପଦ ମାତୃତ୍ୱ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ପ୍ରତ୍ୟେକ ମାସ ୯ ତାରିଖରେ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପ୍ରଧାନମନ୍ତ୍ରୀ ମାତୃତ୍ୱ ସୁରକ୍ଷା ଯୋଜନା ସଂପର୍କିତ ସଚେତନତା କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଉଛି । ଆସିକା ଉପଖଣ୍ଡ ଚିକିତ୍ସାଳୟରେ ମଂଜୁରୀପ୍ରାପ୍ତ ୩୫ ଜଣ ଡାକ୍ତରଙ୍କ ଜାଗାରେ ମାତ୍ର ୧୧ଜଣ ଡାକ୍ତର କାର୍ଯ୍ୟରତ ଥିବା ବେଳେ ୨୩ ଜଣ ନର୍ସିଂ ଅଫିସରଙ୍କ ଜାଗାରେ ୧୦ ଜଣ କାର୍ଯ୍ୟରତ ଅଛନ୍ତି । ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପ୍ରତିଦିନ ଚିକିତ୍ସା ଲାଗି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ସମେତ କାର୍ଯ୍ୟରତ ସମସ୍ତ ଡାକ୍ତର ଓ ନର୍ସିଂ ଅଫିସରମାନେ ଯଥାସାଧ୍ୟ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଆସୁଥିବା ଦେଖିବାକୁ ମିଳୁଛି । ଦୀର୍ଘ ଦିନ ହେଲା ଆସିକା ଉପଖଣ୍ଡ ଚିକିତ୍ସାଳୟରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ନିଶ୍ଚେତକ ବିଶେଷଜ୍ଞ, ଆସିଷ୍ଟାଣ୍ଟ ସର୍ଜନଙ୍କ ସମେତ ବହୁ ଡାକ୍ତର ପଦବୀ ଖାଲି ପଡିଥିବା ଯୋଗୁଁ ଅନେକ ସମୟରେ ରୋଗୀ ସେବା ବ୍ୟାହତ ହୋଇପଡୁଥିବା ଅଭିଯୋଗ ହେଉଛି। ୬୦ ଶଯ୍ୟା ବିଶିଷ୍ଟ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ଲାଗି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଚାଲିଥିବାରୁ ଜିଲ୍ଲା ପ୍ରଶାସନ ତଥା ସ୍ୱାସ୍ଥ୍ୟ ବିଭାଗ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଖାଲି ପଡିଥିବା ଡାକ୍ତର ଓ ନର୍ସିଂ ଅଫିସର ପଦବୀ ପୁରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ