ଶିକ୍ଷକ ଡେପୁଟେଶନ ଓ ନିଯୁକ୍ତିକୁ ନେଇ ବଢୁଛି ଅସନ୍ତୋଷ: ଚାକିରିରୁ ଇସ୍ତଫା ଦେବାକୁ ଚେତାବନି
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକରେ ଶିକ୍ଷକ ଡେପୁଟେଶନ ଓ ନିଯୁକ୍ତିକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବ୍ଲକରେ ଛାତ୍ରଛାତ୍ରୀଙ୍କ ଅନୁପାତ ଅନୁଯାୟୀ ଅଧିକ ଶିକ୍ଷକ ନିଯୁକ୍ତି ଥିଲେ ବି ବେନିୟମ ଭାବେ ଡେପୁଟେସନ କରାଯିବା ଯୋଗୁଁ ଏବେ ଅନେକ ବିଦ୍ୟାଳୟରେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେଉଁଠି କମ୍ ଶିକ୍ଷକ ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି ତ ଆଉ କେଉଁଠି ମେଞ୍ଚାଏ ଶିକ୍ଷକ ବସି ବସି ଘରକୁ ଫେରୁଛନ୍ତି। କିଛିଦିନ ତଳେ କେନ୍ଦୁଝର ଜିଲ୍ଲାରେ ୭୯ ଜଣ ନୂତନ ସିଆରସିସିଙ୍କୁ ନିଯୁକ୍ତି ଦିଆଗଲା l ଏହି କ୍ରମରେ ହାଟଡିହି ବ୍ଲକରେ ୧୧ ଜଣ ନୂତନ ସିଆରସିସି ୧୧ ଗୋଟି ସ୍ଥାନରେ ଯୋଗଦେଲେ । ସରକାରଙ୍କ ନିର୍ଦେଶ ଅନୁଯାୟୀ ପୁରୁଣା ସିଆରସିସି ମାନେ ସେମାନଙ୍କ ପ୍ୟାରେଣ୍ଟ ସ୍କୁଲ କୁ ଫେରିବା ନିୟମ ରହିଛି। କିନ୍ତୁ ହାଟଡିହି ବ୍ଲକରେ ତାହାକୁ କାର୍ଯ୍ୟକାରି କରା ନଯାଇ ଭିନ୍ନ ସ୍କୁଲକୁ ଡେପୁଟେସନ କରାଗଲା। ଯାହାକୁ ନେଇ କିଛି ବିଦ୍ୟାଳୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିଜୟ କୁମାର ସା ସଡଙ୍ଗ ସିଆରସିସି ଭାବେ କାର୍ଯ୍ଯ କରୁଥିଲେ। ସିଆରସିସି କାର୍ଯ୍ୟକାଳ ପୂରିବା ପରେ ତାଙ୍କୁ ତାଙ୍କ ପ୍ୟାରେଣ୍ଟ ସ୍କୁଲ ତାମ୍ପଳା ସ୍କୁଲକୁ ଫେରାଇ ଦିଆ ନଯାଇ ନନ୍ଦିପଦା ସ୍କୁଲକୁ ଡେପୁଟେସନ କରାଯିବାରୁ ତାମ୍ପଳା ସ୍କୁଲରେ ଶିକ୍ଷକ ଅଭାବ ଦେଖାଦେଇଛି। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୮ଟି ଶ୍ରେଣୀ ଥିବାବେଳେ ଶିକ୍ଷକ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବାରୁ ଗତ ଶନିବାର ଦିନ ସ୍କୁଲ ପରିଚାଳନା କମିଟିର ସଭାପତି, ସରପଞ୍ଚଙ୍କ ପ୍ରତିନିଧି ଓ ଗ୍ରାମବାସୀ ମାନେ ଆସି ବିଇଓଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଉକ୍ତ ଶିକ୍ଷକଙ୍କୁ ତାଙ୍କ ପ୍ୟାରେଣ୍ଟ ସ୍କୁଲ ତାମ୍ପଳାକୁ ଫେରାଇ ଦିଆଯାଉ ବୋଲି ଦାବି କରିଛନ୍ତି। ସେହିପରି ଢେଙ୍କା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ୯୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୩ଜଣ ଶିକ୍ଷକ ନିଯୁକ୍ତ ଥିଲେ। କିନ୍ତୁ ବ୍ଲକ ଶିକ୍ଷା ଅଧିକାରୀ ଏଠାର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଡେପୁଟେସନ୍ ରେ ମୋଟରାଗଡିଆ ସ୍କୁଲକୁ ନେଇଯାଇଛନ୍ତି। ଶାଳଣିଆଁ କ୍ଳଷ୍ଟରରୁ ଅନ୍ୟ ଜଣେ କନିଷ୍ଠ ଶିକ୍ଷୟତ୍ରୀଙ୍କୁ ଡେପୁଟେସନ୍ ରେ ଆଣି ଢେଙ୍କା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି କରିଛନ୍ତି। ଯାହାକି ସମ୍ପୂର୍ଣ୍ଣ ବେଆଇନ ବୋଲି କିଛି ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଭିଯୋଗ କରିଛନ୍ତି। ଏପରି ସ୍ଥଳେ ଢେଙ୍କା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ପୂର୍ବରୁ ଥିବା ଜଣେ ଅସୁସ୍ଥ ଶିକ୍ଷୟତ୍ରୀ ସସ୍ମିତା ଜେନାଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ବ ନେବାକୁ ବାଧ୍ୟ କରାଯାଉଛି। ସେ ଅସୁସସ୍ଥା କାରଣରୁ ପ୍ରଧାନ ଶିକ୍ଷୟତ୍ରୀ ପଦବୀ ନେବାକୁ ସମ୍ପୂର୍ଣ୍ଣ ଅରାଜି ଥିବାବେଳେ ତାଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ବ ନିର୍ବାହ ପାଇଁ ବାଧ୍ୟ କରାଯାଉଥିବା ସେ କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି। ଏପରି ବାଧ୍ୟ କଲେ ସେ ଚାକିରୀ ରୁ ଇସ୍ଥଫା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏଠାରେ ପ୍ରଶ୍ନ ଉଠେ ଯେ ଏହି ଫେରି ଆସିଥିବା ସିଆରସିସିଙ୍କ ମଧ୍ୟରୁ ଜଣକୁ ମୋଟରାଗଡିଆ ସ୍କୁଲକୁ ଦିଆ ନଯାଇ ଏତେ ଏପଟ ସେପଟ କରିବାର କାରଣ କଣ ବୋଲି ଅନେକ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ କିଛି ସ୍ଥାନରେ ଆବଶ୍ୟକତାକୁ ଦେଖି ଏପରି କରଯାଇଛି। ଯଦି କିଛି ପରିବର୍ତ୍ତନ ଆବଶ୍ୟକ ଥିବ ତେବେ ଦେଖାଯିବ ବୋଲି କହିଛନ୍ତି।