ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟରେ ରାଗିଂ ସଚେତନତା ସପ୍ତାହ ଉଦଯାପିତ
ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟରେ ରାଗିଂ ସଚେତନତା ସପ୍ତାହ ଉଦଯାପିତ ହୋଇଯାଇଛି। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ‘ ପ୍ରେମ୍ ‘ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭାପତି ଡ. ଜାକୋବ ଥଣ୍ଡିଆଲ ଏବଂ ସମ୍ମାନିତ ଅତିଥି ଭାବେ ‘ ପ୍ରେମ ‘ ର ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ରତନ କୁମାର ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ରାଗିଂ ଠାରୁ ଦୂରରେ ରହି ଭଲ ମଣିଷ ଭାବେ ନିଜକୁ ଗଠନ କରିବା ତଥା ନିଜର ଲୁକ୍କାୟିତ ପ୍ରତିଭାର ବିକାଶ ନିମନ୍ତେ ଉଦଯୋଗୀ ହେବାକୁ ପରାମର୍ଶ ଦେଇଥିଲେ। ଡ. ମନୋରଞ୍ଜନ ବିଷୋୟୀଙ୍କ ସଂଯୋଜନାରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ସଂଯୋଜକ ଡ. ଗୌତମ ସାବତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅଗଷ୍ଟ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ରାଗିଂ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ତର୍କ, କୁଇଜ୍, ସ୍ଲୋଗାନ, ଲୋଗୋ, ଡିଜାଇନିଂ ପରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଜି ଉଦଯାପନୀ ସମାରୋହରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଛାତ୍ରକଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ତଥା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହିଥିବା ବେଳେ ଏପରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଛାତ୍ରଛାତ୍ରୀ ମାନେ ବେଶ ଉତ୍ସାହିତ ଜଣାପଡୁଥିଲେ l