ଗଜପତିରେ ନିର୍ଦ୍ଧାରିତ ଦର ଠାରୁ 3 ଗୁଣ ଅଧିକ ଦରରେ ସାର କିଣୁଛନ୍ତି ଚାଷୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲାରେ ଚାଷୀଙ୍କୁ ମିଳୁନି ସାର। ଯଦ୍ୱାରା ଚାଷୀ ବାଧ୍ୟ ହୋଇ ମୂଳ ଦର ଠାରୁ 3 ଗୁଣ ଅଧିକ ଟଙ୍କା ଦେଇ ସାର କିଣିବା ପାଇଁ ବାଧ୍ୟ ହେଉଛନ୍ତି. ଏନେଇ ସମଗ୍ର ଜିଲ୍ଲାରେ ଚାଷୀମାନଙ୍କ ଠାରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି. ତୁରନ୍ତ ଏହାର ସମାଧାନ କରାନଗଲେ ଚାଷୀ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି. ଚାଷୀମାନେ କହିଛନ୍ତି ସାର ନ ମିଳିବା ଯୋଗୁ ବହୁ ସମସ୍ୟା ଦେଖା ଦେଇଛି. ଚାଷୀ ଜିଲାର ଯେ କୌଣସି ଲ୍ୟାମ୍ପକୁ ଗଲେ ସାର ପାଉନାହାନ୍ତି। ବଜାରରୁ ନିର୍ଦ୍ଧାରିତ ମୂଲ୍ୟ ଠାରୁ ତିନି ଗୁଣ ଅଧିକ ମୂଲ୍ୟରେ ସାର କିଣିବାକୁ ବାଧ୍ୟ ହେଉଛଛି. ଗୁଆ ସାରି ଧାନଗଛ ବଢିବା ସମୟରେ ଚାଷୀଙ୍କୁ ସାର ଆବଶ୍ୟକ ହୋଇଥାଏ। ଏପରି ସ୍ଥିତିରେ ସାର ମିଳୁ ନ ଥୁବାରୁ ଚାଷୀ ଚିନ୍ତାରେ ପଡିଛନ୍ତି । ୟୁରିଆ ସାର ବ୍ୟାଗ ପିଛା ୨୬୬.୫୦ ଥିବାବେଳେ ଚାଷୀ ବଜାରରୁ ଏହାକୁ ୭୦୦ ରୁ ୯୦୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି | ଡିଏପି ସାର ବ୍ୟାଗ ପିଛା ୧୩୫୦ ଟଙ୍କା ହୋଇଥିବା ବେଳେ ବଜାର ମୂଲ୍ୟ ୧୮୦୦ ଟଙ୍କା ରହିଛି। ସେହିଭଳି ପଟାସ ସାର ବ୍ୟାଗ ପିଛା ୧୮୫୦ ଥିବା ବେଳେ ବଜାରରେ ତାହା ୨୫୦୦ ଟଙ୍କାରେ ବିକ୍ରି ହେଉଥୁବା ଚାଷୀ ଗଣେଶ ପାତ୍ର, ସାଇ ପାତ୍ର, କାଳିଆ ପ୍ରଧାନ କହିଛନ୍ତି। ବଜାର ଦରକୁ ତର୍ଜମା କଲେ ଗଜପତି ଜିଲାରେ ସାରର କଳାବଜାର ହେଉଥିବା ସ୍ପଷ୍ଟ ହେଉଛି। ଏହାକୁ ନେଇ ବିଧାୟକ ରୁପେଶ ପାଣିଗ୍ରାହୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସାରର ଅଭାବକୁ ନେଇ ଅନେକ ସମୟରେ ଲ୍ୟାମ୍ପ ନିକଟରେ ଗଣ୍ଡଗୋଳିଆ ପରିସ୍ଥିତି ଉପଢୁଛି। ଆଗକୁ ସାର ନ ମିଳିଲେ ଚାଷୀ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ଏ ସମ୍ପର୍କରେ ଅଞ୍ଚଳର କେତେ ଜଣ ଲ୍ୟାମ୍ପ ସମ୍ପାଦକଙ୍କୁ ପଚାରିବାରୁ ସେମାନେ କହିଲେ, ଏବେ ଚାଷୀଙ୍କ ପାଇଁ ସାରର ଆବଶ୍ୟକତା ଅଲ୍କା ରହିଛି। ଚାହିଦା ମୁତାବକ ସରକାରୀ ସ୍ତରରୁ ସାର ଆସି ନ ଥିବାରୁ ଅଭାବ ଦେଖାଦେଉଛି I ତେବେ ଏନେଇ ଜିଲା କୃଷି ଅଧିକାରୀ ଏମ. ପ୍ରକାଶ ରାଓ କହିଛନ୍ତି, ଚଳିତବର୍ଷ ଗଜପତି ଜିଲାରେ ୫୦୮୦ ମେଟ୍ରିକ ଟନ ସାର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲାକୁ ୩୮୧୮.୮୦୦ ମେଟ୍ରିକ ଟନ୍ (ପ୍ରାୟ ୭୦ ପ୍ରତିଶତ) ସାର ଆସିଛି । ସାର ଯୋଗାଇ ଦେବା ପାଇଁ ସରକାରଙ୍କୁ ଅବଗତ କରାଯାଇଛି । ସାର ପହଞ୍ଚିଲେ ଚାଷୀଙ୍କୁ ଯୋଗାଣ ହେବ ବୋଲି ସେ କହିଛନ୍ତି। ଜିଲାରେ ସାରର କଳା ବଜାର ନେଇ ହେଉଥିବା ଅଭିଯୋଗର ତଦନ୍ତ ହେବ। ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯିବ ବୋଲି ରାଓ ସୂଚନା ଦେଇଛନ୍ତି। ଜିଲାରେ ସାରର କଳାବଜାର ନେଇ ଶନିବାର ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ସାର ବଣ୍ଟନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଅବ୍ୟବସ୍ଥା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଏହାର ତଦନ୍ତ କରିବାକୁ ସେ ଜିଲାପାଳଙ୍କୁ କହିବା ସହ ଏହାର ଭିଜିଲାନ୍ସ ତଦନ୍ତ ହେବା ଆବଶ୍ୟକ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।