ବିନା ସୂଚନା ଫଳକରେ ଚାଲିଛି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ କୋରୁଅ ପଂଚାୟତ ଗାରୋଇ(ଗହିରପଡା)ଠାରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି। ଉକ୍ତ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଉକ୍ତ ଗ୍ରାମର ବୈଶିଷ୍ଟ ସ୍ୱାଇଁ, ଅଶୋକ ନାୟକ, କୃଷ୍ଣଚନ୍ଦ୍ର ନାୟକ, ଦୁଃଶାସନ ନାୟକ, ସୁକାନ୍ତ ବିଶ୍ୱାଳ,ରଂଜିତ ବିଶ୍ୱାଳ ଆଦି କାର୍ଯ୍ୟ ନିମ୍ନମାନର ହେଉଥିବା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ରଶ୍ମିରଂଜନ ଦାସଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ନିର୍ମାଣ କରାଯାଉଥିବା ପ୍ରକଳ୍ପରୁ ଗହିରପଡା ଗ୍ରାମର ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ଲକ୍ଷ୍ୟ ରଖାଯାଇଛି। ଏହି ଗ୍ରାମଟି ଦେବୀନଦୀ ପାଶ୍ୱର୍ରେ ଅବସ୍ଥିତ ହୋଇଥିବାରୁ ଏଠାରେ ନଳକୂପରୁ ସାଧାରଣତଃ ଲୁଣି ପାଣି ବାହାରିଥାଏ। ତେଣୁ ଉକ୍ତ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ବିଭାଗ ପକ୍ଷରୁ ଏହି ପ୍ରକଳ୍ପଟି ନିର୍ମାଣ କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ କାର୍ଯ୍ୟ ଚାଲୁ ଥିବା ବେଳେ ନାଲିଇଟାରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ସରକାରୀ ନିର୍ମାଣ କାର୍ଯ୍ୟରେ ସିମେଂଟ ଇଟା ବ୍ୟବହାର କରିବାର ନିୟମ ରହିଥିଲେ ମଧ୍ୟ ଠିକାଦାର ଖୋଲାଖୋଲି ଭାବେ ନାଲି ଇଟା ବ୍ୟବହାର କରୁଛନ୍ତି। ସେହିପରି ନିର୍ମାଣ ପୂର୍ବରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଲଗାଯିବାର ନିୟମ ରହିଥିଲେ ମଧ୍ୟ କାର୍ଯ୍ୟ ସ୍ଥଳରେ କୌଣସି ସୂଚନା ଫଳକ ନଥିବା ଦେଖାଦେଇଛି। ସେହିପରି କାର୍ଯ୍ୟରେ ନିମ୍ନମାନର ସିମେଂଟ ବ୍ୟବହାର କରାଯାଉଛି। ଯାହାକି ପ୍ରକଳ୍ପର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଉକ୍ତ ପ୍ରକଳ୍ପ କାର୍ଯ୍ୟକୁ ତଦନ୍ତ କରାଯାଇ ସଠିକ ଭାବେ କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି। ଏବିଷୟରେ ବିଭାଗର ସହକାରୀ ଯନ୍ତ୍ରୀ ରଶ୍ମିରଂଜନ ଦାସଙ୍କୁ ପଚାରିବାରେ କାର୍ଯ୍ୟ କ’ଣ ହୋଇଛି ଦେଖିବା ପରେ ଯାହା ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।