ରାସ୍ତା ନିର୍ମାଣରେ ଠିକା ସଂସ୍ଥାଙ୍କ ଅବହେଳା : ଟାୟାର ଜାଳି ରାସ୍ତାରୋକ କଲେ ଗ୍ରାମବାସୀ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି – ରାୟଗଡ଼ାକୁ ସଂଯୋଗ କରୁଥିବା ୩୨୬ ନଂ ଜାତୀୟ ରାଜପଥ ର ଦିଗପହଣ୍ଡି ଠାରୁ ଡେଙ୍ଗାଉସ୍ତା ଗ୍ରାମ ରାସ୍ତା ନିର୍ମାଣ କାର୍ଯ୍ୟରେ ଠିକା ସଂସ୍ଥାଙ୍କ ଅବହେଳା ପ୍ରତିବାଦରେ ଦିଗପହଣ୍ଡି ଥାନା ମୌଳାଭଞ୍ଜା ଗ୍ରାମବାସୀ ଶୁକ୍ରବାର ସକାଳ ପ୍ରାୟ ସାଢେ ୬ ଟାରେ ଦିଗପହଣ୍ଡି – ତପ୍ତପାଣି ରାସ୍ତାରେ ଟାୟାର ଜାଳି ଦୀର୍ଘ ୩ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ରାସ୍ତାରୋକ କରିଥିଲେ । ଯାହାଫଳରେ ବ୍ରହ୍ମପୁରରୁ ଗଜପତି ଜିଲ୍ଲା ଏବଂ ଆଖପାଖ ଗ୍ରାମାଞ୍ଚଳକୁ ଯାତାୟାତ କରୁଥିବା ଯାନବାହାନ ଚଳାଚଳ ବ୍ୟାହତ ହୋଇଥିବା ବେଳେ ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥିଲା । ଜାତୀୟ ରାଜପଥ ସମ୍ପ୍ରସାରଣ ନିମନ୍ତେ ଏକ ଠିକା ସଂସ୍ଥା ପକ୍ଷରୁ ଦୀର୍ଘ ଦିନ ଧରି ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଉକ୍ତ ଠିକା ସଂସ୍ଥା ପକ୍ଷରୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉନଥିବାରୁ ରାସ୍ତାରେ ଗୋଡ଼ି ମେଟାଲ ଗୁଡ଼ିକ ଏଣେତେଣେ ପଡ଼ିରହିଛି । ଯାହାଫଳରେ ପ୍ରତ୍ୟେକ ଦିନ ସେହି ରାସ୍ତାରେ ଛୋଟବଡ ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଛନ୍ତି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଠିକାଦାର ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣରେ ନିୟମିତ ଭାବେ ଅବହେଳା କରି ଆସୁଛନ୍ତି । ପୂର୍ବରୁ ଜୁନ୍ ୨୭ ରେ ଏକ ଦୁର୍ଘଟଣା ଘଟି ଜଣେ ବାଇକ ଚାଳକ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଯିବା ସହ ବହୁ ସଂଖ୍ୟକ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ । ଦିଗପହଣ୍ଡି ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ସାରିବାକୁ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ବର୍ତ୍ତମାନ ତାହା ଅସମ୍ପୂର୍ଣ୍ଣ ଭାବରେ ପଡ଼ି ରହିଛି । ପ୍ରତିବାଦରେ ପୁଣିଥରେ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଶୁକ୍ରବାର ସକାଳ ସାଢ଼େ ୬ ରୁ ଠାରୁ ସାଢେ ୧୦ ଟା ପର୍ଯ୍ୟନ୍ତ ୪ ଘଣ୍ଟା ବ୍ୟାପୀ ରାସ୍ତା ଅବରୋଧ କରିଥିଲେ । ଖବରପାଇ ଦିଗପହଣ୍ଡି ଥାନା ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ରଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ । ଶେଷରେ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଆସିବା ସହ ରାସ୍ତାକାମ ଖୁବଶୀଘ୍ର ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଉତ୍ତେଜିତ ଗ୍ରାମବାସୀ ରାସ୍ତାରୋକ ପ୍ରତ୍ୟାହୃତ କରିଥିବା ଜଣାପଡିଛି ।