ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା ଦିବସ ପାଳିତ
ବୁଗୁଡା, (ଅନୀଲ କୁମାର ମହାରଣା) : ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ସେପ୍ଟେମ୍ବର ମାସ ଦ୍ଵିତୀୟ ଶନିବାର ଦିନ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ପାଳିତ ହୋଇଯାଇଛି। ଚଳିତ ବର୍ଷର ଥିମ “First Aid and Climate change” ଶୀର୍ଷକ ଆଲୋଚନାରେ ଯୁବ ରେଡ କ୍ରସ ପରାମର୍ଶଦାତା ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଯୁବ ରେଡ କ୍ରସ ର ୮୦ ଜଣ ସ୍ବେଛାସେବୀ ଅଂଶ ଗ୍ରହଣ କରିଥିଲେ। ଜଳବାୟୁ ପରିବର୍ତ୍ତନ ସାଙ୍ଗେ ପ୍ରାଥମିକ ଉପଚାର ର ଆବଶ୍ୟକତା ଉପରେ ବିଶେଷ ଆଲୋଚନା ହୋଇଥିଲା। ଶିକ୍ଷା ବିଭାଗ ଅଧ୍ୟାପକ ଶଙ୍କର ଆଶିଷ ପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଦୈନନ୍ଦିନ ଜୀବନରେ ପ୍ରାଥମିକ ଉପଚାର କୌଶଳ ପ୍ରତ୍ୟେକ ବ୍ୟକ୍ତି ବିଶେଷ ଜାଣିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଏହି ଶୈକ୍ଷିକ କାର୍ଯ୍ୟକ୍ରମରେ ପ୍ରାଣିବିଜ୍ଞାନ ଅଧ୍ୟାପିକା ପ୍ରଜ୍ଞ୍ୟା ପାରମିତା ସାହୁ, ରାମବଲ୍ଲଭ ରାଉତ, ଅର୍ଚନା କୁମାରୀ ମୁନି, ଅରୁଣ କୁମାର ପ୍ରଧାନ, ଶୁଭେନ୍ଦୁ ଶେଖର ପ୍ରଧାନ, ସନ୍ତୋଷ କୁମାର ଗୌଡ଼, ସଚ୍ଚିଦାନନ୍ଦ ପ୍ରଧାନ ଅଂଶ ଗ୍ରହଣ କରିଥିଲେ। ଯୁବ ରେଡ କ୍ରସ ସଂଯୋଜକ ତଥା ପ୍ରାଥମିକ ଉପଚାର କ୍ଷେତ୍ରରେ ଭାରତୀୟ ରେଡ କ୍ରସ ସୋସାଇଟି ଓଡିଶା ଷ୍ଟେଟ ବ୍ରାଞ୍ଚ ଦ୍ୱାରା ତାଲିମ ପ୍ରାପ୍ତ ସାଧନ ବ୍ୟକ୍ତିତ୍ୱ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ସ୍ବେଛାସେବୀମାନଙ୍କୁ ଦୁର୍ଘଟଣା ପରିଚାଳନା, ରିକୋଭରି ପୋଜିସନ, ସି.ପି.ଆର, ରକ୍ତସ୍ରାବ, ଅସ୍ଥି ଭଗ୍ନ, ଚୋକିଙ୍ଗ, ମୁର୍ଚ୍ଛା, ପୋଡାଜଳା, ପାଣିରେ ବୁଡିଯିବା, ସାପ ଓ ପାଗଳା କୁକୁର କାମୁଡିବା, ହାର୍ଟ ଆଟକ, ବ୍ରେନ ଷ୍ଟ୍ରୋକ, ପୀଡିତଙ୍କୁ ସ୍ଥାନାନ୍ତର, ବଜ୍ରପାତ ଭଳି ବିପର୍ଯ୍ୟୟ ବେଳେ ସ୍ବେଛାସେବୀ କେମିତି ନିଜକୁ ପ୍ରସ୍ତୁତ ରଖିବେ ସେହି ସବୁ କୌଶଳକୁ ସହଜ ଓ ସରଳ ଭାବରେ ଉପସ୍ଥାପନ କରିଥିଲେ। ସମସ୍ତ ବିଷୟ କୁ ଉଭୟ ଥିଓରୀ ଓ ପ୍ରାକଟିକାଲ କରି ଶିକ୍ଷା ଦେଇଥିଲେ। ଶେଷରେ ଅଧ୍ୟାପିକା ପ୍ରଜ୍ଞ୍ୟା ପାରମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।