ପ୍ରାଚୀ ଉପତ୍ୟକାର ଗଣପର୍ବ ଶାରଦୀୟ ଦୁର୍ଗା ପୂଜା

ସନ୍ତୋଷ କୁମାର ଦାଶ

ଓଡ଼ିଶା ରେ ଶକ୍ତି ଉପାସନା ବହୁ ପ୍ରାଚୀନ। ଶକ୍ତି ଉପାସନା କ୍ଷେତ୍ରରେ ପ୍ରାଚୀ ଉପତ୍ୟକା ପ୍ରସିଦ୍ଧି ଲାଭ କରିଛି। ଶକ୍ତି ବିନା ଶିବ ପ୍ରାଣ ହୀନ ବୋଲି ବିଭିନ୍ନ ଶାସ୍ତ୍ର ରେ ବର୍ଣ୍ଣିତ ହୋଇଛି। ସେହି ଶକ୍ତି ହେଉଛନ୍ତି ମା ଦୁର୍ଗା ଦୁର୍ଗତିନାଶିନୀ। ଜଗତ ର ଦୁର୍ଗତି ନାଶ କରିବାକୁ ତାଙ୍କ ର ଆବିର୍ଭାବ ହୋଇଥିଲା। ଏଣୁ ସେ ମା ଦୁର୍ଗା। ଅତ୍ୟାଚାରୀ ମହିଷାସୁର କୁ ବଧ କରି ମା ପୃଥିବୀ କୁ ରକ୍ଷା କରିଥିଲେ ଆସୁରିକ ଅତ୍ୟାଚାର ରୁ।ଓଡ଼ିଶା ର ଗାଁ ଗାଁ ରେ ପୂଜା ପାଉଥିବା ଗ୍ରାମ ଦେବତୀ ମାନଙ୍କୁ
ମା ଦୁର୍ଗା ଙ୍କ ସହଚରୀ ଚଣ୍ଡି,ଚାମୁଣ୍ଡା ବୋଲି ବିବେଚନା କରାଯାଇ ଶାରଦୀୟ ପାର୍ବଣ ପୂଜା ଧୁମ୍ ଧାମରେ ପାଳନ କରାଯାଇ ଥାଏ।ପୁଣ୍ୟତୋୟା ପ୍ରାଚୀ ନଦୀ ଏକ ପୁରାତନ ନଦୀ। ଅତୀତ ରେ କାଠଯୋଡ଼ି, ଦେବୀ,କୁଶଭଦ୍ରା ନଦୀ ଅପେକ୍ଷା ପ୍ରାଚୀ ନଦୀ ମହାନଦୀ ର ମୁଖ୍ୟ ଶାଖା ନଦୀ ଥିବା ଐତିହାସିକ ମାନେ ପ୍ରକାଶ କରିଛନ୍ତି।ପ୍ରାଚୀ ଉପତ୍ୟକା ରେ ପ୍ରଥମେ ମାନବ ସଭ୍ୟତା ଗଢ଼ି ଉଠିଥିବା ବହୁ ପ୍ରମାଣ ମିଳି ସାରିଛି। ମାନବ ସଭ୍ୟତା ଗଢ଼ି ଉଠିବା ପରେ ପ୍ରାଚୀ ଉପତ୍ୟକା ରେ ବିଭିନ୍ନ ଦେବ ଦେବୀ ଙ୍କ ମନ୍ଦିର ମଧ୍ଯ ନିର୍ମାଣ ହୋଇଥିଲା। ଶକ୍ତି ପୂଜା ପ୍ରାଚୀ ଉପତ୍ୟକା ରେ ଦିନେ ଶୀର୍ଷ ସ୍ଥାନକୁ ଯାଇଥିଲା ଓ ଏହି ଉପତ୍ୟକା ର ବରାହୀ ପୀଠ ( ଚଉରାଶି) ଓ ଚଉଷଠି ଯୋଗିନୀ ପୀଠ (ବାଲିଅନ୍ତା) ରେ ତନ୍ତ୍ର ସାଧନା ଶିକ୍ଷା ପ୍ରଦାନ କରା ଯାଉଥିଲା ବୋଲି ବିଶିଷ୍ଟ ଐତିହାସିକ ଶ୍ୟାମ ସୁନ୍ଦର ତ୍ରିପାଠୀ ତାଙ୍କ ଗବେଷଣାତ୍ମକ ଗ୍ରନ୍ଥ “ବୁଦ୍ଧିଜୀମ ଆଣ୍ଡ ଅଦର ରିଲି ଜିଅସ କଲ୍ଟ ଅଫ ସାଉଥ ଇଷ୍ଟ ଇଣ୍ଡିଆ ” ରେ ପ୍ରକାଶ କରିଛନ୍ତି। ପ୍ରାଚୀ ଉପତ୍ୟକା ଅଞ୍ଚଳ ରେ ଶହ ଶହ ସଂଖ୍ୟାରେ ଦୁର୍ଗା ଓ ଚଣ୍ଡୀ ଚାମୁଣ୍ଡା ମୂର୍ତ୍ତୀ ପୂଜା ପାଉ ଥିବା ଦେଖିବାକୁ ମିଳେ। ଏଥି ସହିତ ବହୁ ଶକ୍ତି ମୂର୍ତ୍ତୀ ମଧ୍ଯ ବିଭିନ୍ନ ସ୍ଥାନ ରେ ଅପୂଜା ହୋଇ ପଡ଼ି ରହିଛି। ୬ଷ୍ଠ ରୁ ୧୬ଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରାଚୀ ଉପତ୍ୟକା ରେ ତନ୍ତ୍ର, ଶକ୍ତି ଓ ଦୁର୍ଗା ପୂଜା କାୟା ବିସ୍ତାର କରିଥିଲା ବୋଲି ପ୍ରାଚୀ ଗବେଷକ ହଂସନାଥ ସାହୁ ପ୍ରକାଶ କରିଛନ୍ତି। ଐତିହାସିକ ଓ ପ୍ରାଚୀ ଗବେଷକ ମାନଙ୍କ ମତରେ ବୈଷ୍ଣବ ଧର୍ମ ର ବହୁଳ ପ୍ରସାର ତଥା ତାନ୍ତ୍ରିକ ପ୍ରଥା ପ୍ରତି ଲୋକ ମାନଙ୍କ ଘୃଣାଭାବ ଫଳରେ ତନ୍ତ୍ର ପୂଜା ତାର ଅସ୍ତିତ୍ବ ହରାଇ ବସିଲା। କିନ୍ତୁ ଗାଁ ଗାଁ ରେ ଚଣ୍ଡୀ ଚାମୁଣ୍ଡା ମୂର୍ତ୍ତୀ ଗୁଡ଼ିକୁ ଗ୍ରାମବାସୀ ମାନେ ଗ୍ରାମ ଦେବତୀ ଭାବେ ପୂଜା କଲେ। ଦୂର୍ଗାପୂଜା କୁ ଜନସାଧାରଣ ଆପଣାଇ ନେଲେ। ଏଣୁ ପ୍ରାଚୀ ଉପତ୍ୟକା ରେ ଦୂର୍ଗା ପୂଜା ପ୍ରାୟ ୬ଷ୍ଠ ଶତାବ୍ଦୀ ଠାରୁ ଚାଲି ଆସୁଥିବା ଅନୁମାନ କରାଯାଉଛି। ଆଶ୍ୱିନ ମାସ ର ମୂଳାଷ୍ଟମୀ ତିଥି ଠାରୁ ଦଶହରା/ ବିଜୟା ଦଶମୀ ପର୍ଯ୍ୟନ୍ତ ବିଭିନ୍ନ ଶକ୍ତି ପୀଠ ମାନଙ୍କରେ ପାରମ୍ପରିକ ପ୍ରଥା ଅନୁସାରେ ଶାରଦୀୟ ପାର୍ବଣ ପୂଜା ଅନୁଷ୍ଠିତ ହୋଇ ଆସୁଛି। ପ୍ରାଚୀ ଉପତ୍ୟକା ରେ ଦ୍ଵି ଭୁଜା ଠାରୁ ଦ୍ଵାଦଶ ଭୁଜା ଦୁର୍ଗା ମୂର୍ତ୍ତି ମାନ ପୂଜା ପାଉଥିବା ଦେଖିବାକୁ ମିଳେ। ଐତିହାସିକ ଏସ ଏସ ତ୍ରିପାଠୀ ଙ୍କ ଗ୍ରନ୍ଥ ର ତଥ୍ୟ ଅନୁସାରେ କାକଟପୁର ର ସମେଶ୍ୱର ଶମ୍ଭୁ ମନ୍ଦିର କାନ୍ଥ, ଗାରେଡ଼ି ପାଞ୍ଚଣ ର ବୁଦ୍ଧନାଥ ମନ୍ଦିର, ଅସ୍ତରଙ୍ଗ ର ଜିଓଳ ଗ୍ରାମ ଠାରେ ବିରଳ ଦ୍ୱିଭୁଜା ଦୁର୍ଗା ପୂଜା ପାଇ ଆସୁଥିବାବେଳେ ତିରୁଣା, ନିଜାଗଡ଼, ତେନ୍ତୁଳିଗୁଆଁ, ଭାରଡା ପାଟଣା, ଭିଲିଗ୍ରାମ, ମାଧବ,ନୂଆସାତଙ୍କ ଗ୍ରାମ ରେ ଚତୁଃଭୁଜା ଦୁର୍ଗା ଓ ଅସ୍ତରଙ୍ଗ ଠାରେ ଏକମାତ୍ର ଷଡ ଭୁଜା ଦୁର୍ଗା ପୂଜା ପାଉଥିବା ଦେଖିବାକୁ ମିଳେ। ମଙ୍ଗଳପୁର, ରାମେଶ୍ୱର,ପିତାପଡା, ଆମଣାକୁଦ, ଦାରୁଠେଙ୍ଗ, ବଳଭଦ୍ରପୁର ପ୍ରଭୃତି ଗ୍ରାମ ରେ ଅଷ୍ଟଭୁଜା ଦୁର୍ଗା ପୂଜା ପାଉଥିବାବେଳେ ଆମ୍ବାପଡ଼ା,ସମେଶ୍ୱର, ନିଭରଣ, ନିଆଳି, ଲତାହରଣ, ଅଡଶପୁର ପ୍ରଭୃତି ସ୍ଥାନ ରେ ଦଶଭୁଜା ଦୁର୍ଗା ପୂଜା ପାଇ ଆସୁଛନ୍ତି। ଏକ ମାତ୍ର ନିଆଳି ଆମଣାକୁଦ ଠାରେ ଦ୍ଵାଦଶ ଭୁଜା ଦୁର୍ଗା ପୂଜା ପାଉଥିବା ଦେଖିବାକୁ ମିଳେ। ଏତଦ୍ ବ୍ୟତୀତ ପ୍ରାଚୀ ଉପତ୍ୟକା ର ପିତାପଡ଼ା, ମୋଟିଆଁ,ନିଆଳି, ଚଉରାଶି,ଲତାହରଣ,ସାନହୁଲି,ସମେଶ୍ୱର, କପିଳେଶ୍ଵର,କାକଟପୁର ର ମଙ୍ଗଳା ମନ୍ଦିର ଠାରେ ବିରଳ ଚାମୁଣ୍ଡା ମୂର୍ତ୍ତୀ ମାନ ପୂଜା ପାଇ ଆସୁଛନ୍ତି। ପ୍ରାଚୀ ଉପତ୍ୟକା ରେ ୬ଷ୍ଠ ଶତାବ୍ଦୀ ଠାରୁ ୯ମ ଶତାବ୍ଦୀ ପର୍ଯ୍ୟନ୍ତ ଦୁର୍ଗା ପୂଜା ଓ ତନ୍ତ୍ର ପୂଜା ର ପ୍ରଭାବ ବିସ୍ତାର ହୋଇଥିଲା ବୋଲି ଐତିହାସିକ ତଥା ଗବେଷକ ଡ. ହରେକୃଷ୍ଣ ମହତାବ ତାଙ୍କ ଓଡ଼ିଶା ଇତିହାସ ପୁସ୍ତକ ରେ ପ୍ରକାଶ କରିଛନ୍ତି।୧୫୨୦-୧୫୬୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ପ୍ରାଚୀ ଉପତ୍ୟକା ର ବିଭିନ୍ନ ସ୍ଥାନ ରେ ଖଣ୍ଡାୟତ ମାନଙ୍କର ଗଡ଼ ପ୍ରତିଷ୍ଠା ହୋଇଥିଲା । ଗଡ଼ ମାନଙ୍କ ରେ ମା କନକ ଦୁର୍ଗା ଇଷ୍ଟ ଦେବୀ ଭାବେ ପୁଜା ପାଉଥିଲେ। ଗଡ଼ ମାନଙ୍କ ରେ ଶାରଦୀୟ ଦୁର୍ଗା ପୂଜା ଏକ ପାରିବାରିକ ଉତ୍ସବ ରେ ପରିଣତ ହୋଇଥିଲା। ଗଡୁଆ ଖଣ୍ଡାୟତ ମାନେ ନିଜ ନିଜ ର ଅସ୍ତ୍ର ଶସ୍ତ୍ର ଗୁଡ଼ିକୁ ଏହି ସମୟ ରେ ଦେବୀ ଦୁର୍ଗା ଙ୍କ ପାଖରେ ପୁଜା କରିବା ପରମ୍ପରା ରହିଛି। ଏବେ ବି ଏହି ପରମ୍ପରା ବଞ୍ଚିରହିଛି। ପ୍ରାଚୀ ଉପତ୍ୟକା ର ଦୁର୍ଗା ଓ ଚଣ୍ଡୀ,ଚାମୁଣ୍ଡା ମନ୍ଦିର ଗୁଡ଼ିକରେ ମହାଷ୍ଟମୀ ଦିନ ବିଳମ୍ବିତ ରାତିରେ ପଶୁ ବଳି ଦେବାର ପରମ୍ପରା ରହିଥିଲା। ଏବେ କିଛି ସ୍ଥାନ ରେ ପଶୁ ବଦଳ ରେ ପାଣି କଖାରୁ( କୁଷ୍ମାଣ୍ଡ) ବଳି ଦିଆଯାଉଛି।ପ୍ରାୟ ଷଷ୍ଠ ଶତାବ୍ଦୀ ଠାରୁ ପ୍ରାଚୀ ଉପତ୍ୟକା ରେ ଶାରଦୀୟ ପାର୍ବଣ ପୂଜା ପାଳିତ ହୋଇ ଆସୁଥିବାରୁ ଦୁର୍ଗା ପୂଜା ଏହି ଅଞ୍ଚଳ ରେ ଏକ ଗଣ ପର୍ବ ଭାବେ ପାଳିତ ହୋଇ ଆସୁଛି ବୋଲି ପ୍ରତ୍ନତତ୍ତ୍ଵ ବିଭାଗ ର ପୂର୍ବତନ ଅଧ୍ୟକ୍ଷ ଡ଼. ପ୍ରଶାନ୍ତ କୁମାର ରାୟ ତାଙ୍କ ସର୍ଭେ ରିପୋର୍ଟ ” ପ୍ରାଚୀ ଭ୍ୟାଲି” ରେ ପ୍ରକାଶ କରିଛନ୍ତି। ଜୟ ମା ଦୁର୍ଗା ଦୁର୍ଗତି ନାଶିନି।

ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ