ଝିଅ ବାହା ପାଇଁ ବ୍ୟାଙ୍କରୁ ନେଉଥିଲେ ଟଙ୍କା: ଲୁଟି ନେଲେ ଦୁର୍ବୃତ୍ତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ସ୍ଥିତ ଜନଗହଳି ପୂର୍ଣ୍ଣ ବସଷ୍ଟାଣ୍ଡ – ପୁଞ୍ଜିକଂୟା ଛକ ମୁଖ୍ୟରାସ୍ତା କଡ଼ରେ ଥିବା ଷ୍ଟେଟବ୍ୟାଙ୍କ ସମ୍ମୁଖରୁ ୨ ଦୁର୍ବୃତ୍ତ ଜଣେ ମହିଳାଙ୍କ ଠାରୁ ୧.୨୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ ବୀର ଲକ୍ଷ୍ମୀନାରାୟଣପୁର ଗ୍ରାମର ହିନା ନାଇକ ଝିଅ ବାହାଘର ପାଇଁ ସୋମବାର ଇଣ୍ଡିଆନ୍ ବ୍ୟାଙ୍କ କୁ ଯାଇ ଜମାଖାତା ରୁ ୧ ଲକ୍ଷ ୨୦ ହଜାର ଟଙ୍କା ଉଠାଇଥିଲେ। ମଧ୍ୟାହ୍ନ ପ୍ରାୟ ୧୨ ଟାରେ ସାଙ୍ଗରେ ଥିବା ତାଙ୍କ ପୁତୁରା ନାରାୟଣ ନାଇକ ଙ୍କ ବାଇକ ରେ ବସି କିଛି ଘରକରଣା କିଣିବାକୁ ଯାଉଥିବା ବେଳେ ୨ ଦୁର୍ବୃତ୍ତ ଏକ କଳାରଙ୍ଗର ବଜାଜ ପଲସର ବାଇକ ରେ ତାଙ୍କୁ ବ୍ୟାଙ୍କ ନିକଟରୁ ପିଛା କରି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାସ୍ତାରେ ମହିଳା ଧରିଥିବା ଟଙ୍କା ବ୍ୟାଗ କୁ ଝାମ୍ପୀ ନେଇ ଆଖି ପିଛୁଳାକେ ବ୍ରହ୍ମପୁର ରାସ୍ତା ରେ ଚମ୍ପଟ ମାରିଥିଲେ।ଏନେଇ ହୀନା ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ର ଥାନା ମାମଲା ନଂ.୩୮୬/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ସଦଳବଳେ ଘଟଣାସ୍ଥଳରେ ପହଞ୍ଚି କିଛି ବ୍ୟକ୍ତି ଙ୍କୁ ପଚରା ଉଚୁରା କରିବା ସହ ବିଭିନ୍ନ ଦୋକାନ ର ସିସିଟିଭି ଫୁଟେଜ ଗୁଡ଼ିକୁ ଯାଞ୍ଚ କରିଥିଲେ ସୁଦ୍ଧା ଲୁଟେରା ଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ସହରର ସମସ୍ତ ବ୍ୟାଙ୍କ ଶାଖା , ବସଷ୍ଟାଣ୍ଡ ଓ ବଜାର ଇଲାକାରେ ଥାନା ପକ୍ଷରୁ ପୋଲିସ ମୁତୟନ କରାଯିବା ପାଇଁ ସ୍ଥାନୀୟ ବାସିନ୍ଦା ଙ୍କ ପକ୍ଷରୁ ଦାବୀ କରାଯାଇଛି।


