ପୁଣ୍ୟ କାର୍ତ୍ତିକରେ ବୃକ୍ଷ ପୂଜା ପରମ୍ପରା
ସନ୍ତୋଷ କୁମାର ଦାଶ
ବର୍ଷକ ବାର ମାସ ମଧ୍ୟରୁ କାର୍ତ୍ତିକ ମାସ କୁ ପୁଣ୍ୟ ଓ ଧର୍ମ ମାସ ବୋଲି ବିବେଚନା କରାଯାଏ। ଏହି ମାସ ରେ ଶ୍ରଦ୍ଧାଳୁ ମାନେ କାର୍ତ୍ତିକ ବ୍ରତ ରଖି ଶୁଦ୍ଧ ନିରାମିଷ ଭୋଜନ ଗ୍ରହଣ କରିଥାନ୍ତି। ଏହି ମାସ ରେ ବିଭିନ୍ନ ବୃକ୍ଷ କୁ ପୂଜା କରିବା ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ରହି ଆସିଛି। ତୁଳସୀ, ଅଁଳା, ବେଲ,ବର, ଅଶ୍ବସ୍ତ ବୃକ୍ଷ ସବୁ କୁ ଶ୍ରଦ୍ଧାଳୁ ମାନେ ପୂଜା କରିଥାନ୍ତି। ଏଗୁଡ଼ିକ ସବୁ ଔଷଧୀୟ ବୃକ୍ଷ। ଅତୀତ ରେ ମଣିଷ ସୁଖ,ଶାନ୍ତି ,ନିରୋଗ ରେ ରହିବାକୁ ଏହି ସବୁ ବୃକ୍ଷ ସବୁର ବ୍ୟବହାର କରୁଥିଲା। ଯେହେତୁ ଏହି ଔଷଧୀୟ ବୃକ୍ଷ ସବୁ ମଣିଷ ଜୀବନ କୁ ସୁସ୍ଥ ଓ ନିରୋଗ ରଖୁଥିଲା ସେହି କାରଣରୁ ଆଦିମ କାଳରୁ ବୃକ୍ଷ ପୂଜନ ପରମ୍ପରା ରହି ଆସିଛି ଆମ ସଂସ୍କୃତି ରେ। ବିଭିନ୍ନ ବୃକ୍ଷ ପୂଜା ପାଇବା ସମ୍ପର୍କ ରେ ଅନେକ ଲୋକକଥା ଓ କିମ୍ୱଦନ୍ତୀ ରହିଛି। କାର୍ତ୍ତିକ ମାହାତ୍ମ୍ୟ ରେ ଦର୍ଶାଯାଇଛି ଯେ , ସ୍ଵୟଂ ମା ଲକ୍ଷ୍ମୀ ଉଭୟ ହରି ହର ଙ୍କୁ ସନ୍ତୁଷ୍ଟ କରିବାକୁ ଅଁଳା ନବମୀ ଦିନ ଅଁଳା ବୃକ୍ଷ କୁ ପୂଜା କରିଥିଲେ ଓ ସେହି ବୃକ୍ଷ ମୂଳରେ ହବିଷାନ୍ନ ଭୋଜନ କରିଥିଲେ। କାର୍ତ୍ତିକ ମାସ ରେ ତୁଳସୀ ବୃକ୍ଷ କୁ ପୂଜା କଲେ ବିଷ୍ଣୁ ଭଗବାନ ସନ୍ତୁଷ୍ଟ ହୋଇଥାନ୍ତି । ଏଣୁ କାର୍ତ୍ତିକ ବ୍ରତଧାରୀ ଶ୍ରଦ୍ଧାଳୁ ମହିଳା ମାନେ କାର୍ତ୍ତିକ ମାସ ସାରା ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୁଜା କରିଥାନ୍ତି। ବ୍ରହ୍ମ ଦେବ ପଳାଶ ଗଛ ରେ ବାସ କରୁଥିବା ବେଳେ ଭଗବାନ ଶିବ ବଟବୃକ୍ଷ ରେ ଆଉ ବିଷ୍ଣୁ ନାରାୟଣ ଅଶ୍ବସ୍ତ ବୃକ୍ଷ ରେ ବାସ କରୁଥିବା ବିଶ୍ୱାସ ରହିଛି। ବୃକ୍ଷ ମାନଙ୍କ ମଧ୍ୟରେ ବଟ ବୃକ୍ଷ ମୋକ୍ଷ ର ପ୍ରତୀକ ।ଏହି ବୃକ୍ଷ କୁ ଯେଉଁ ପ୍ରାଣୀ ରୋପଣ କରେ ତାହାର ସାତ ଜନ୍ମର ପାପ ନାଶ ଯାଏ ।ଯେଉଁ ଜନ ବଟ ବୃକ୍ଷ କୁ ପାଳେ ଓ ମନରେ ଇଷ୍ଟ ନାମ କୁ ଜପ କରେ ଓ ସୁରକ୍ଷା ଦିଏ ସେହି ଜନ ସଂସାର ରୁ ନିସ୍ତରି ଯାଏ । ବିଷ୍ଣୁ ଭଗବାନ ବାସ କରୁଥିବା ଅଶ୍ବସ୍ତ ବୃକ୍ଷ କୁ ଯେଉଁ ମାନେ ରୋପଣ କରନ୍ତି ଓ ଯତ୍ନ କରନ୍ତି ସେମାନଙ୍କର ପୂର୍ବ ଜନ୍ମରେ କରିଥିବା ପାପ ସହିତ ଏ ଜନ୍ମର ପାପ ଖଣ୍ଡନ ହୋଇଥାଏ। ଗୋଟିଏ ଆସନରେ ଯେଉଁ ଜନ ହର ଓ ହରି ଙ୍କୁ ଆହ୍ୱାନ କରି ପୂଜାକରେ ଓ ଯଜ୍ଞ କରେ ତାଙ୍କର ସର୍ବସିଦ୍ଧି ହୁଏ । ସକଳ ପାପ ଦୂରୀଭୂତ ହୁଏ । ମୃତ୍ୟୁ ପରେ ତାକୁ ବୈକୁଣ୍ଠ ରେ ବାସ ମିଳେ । ଯେଉଁ ମାନେ ବଟ , ଅଶ୍ବସ୍ତ ଓ ପଳାଶ ଗଛକୁ କାଟିଥାନ୍ତି ସେମାନେ ସର୍ବ ଦେବତାଙ୍କୁ ଦ୍ରୋହ କରନ୍ତି। ଦେବତା ଓ ଭଗବାନ ଙ୍କୁ ଦ୍ରୋହ କରିବା ରୁ ହିଁ ସେମାନେ ଘୋର ନର୍କ ରେ ବାସ କରନ୍ତି । ଏହି କାର୍ତ୍ତିକ ମାସରେ ଯେଉଁ ଜନ ତୁଳସୀ, ବେଲ ,ଅଁଳା, ବଟ,ଅଶ୍ବସ୍ତ ବୃକ୍ଷ କୁ ପୂଜା କରେ ସେ ମଣିଷ ଜୀବନ ରୁ ମୁକ୍ତିଲାଭ କରି ସ୍ୱର୍ଗ ପ୍ରାପ୍ତି କରେ। ଏଣୁ କାର୍ତ୍ତିକ ମାସ ରେ ଶ୍ରଦ୍ଧାଳୁ ମାନେ ବିଭିନ୍ନ ବୃକ୍ଷ କୁ ଭକ୍ତି ଓ ନିଷ୍ଠାର ସହିତ ପୂଜା କରି ଆସୁଛନ୍ତି। ପୁଣ୍ୟ ମାସ କାର୍ତ୍ତିକ ରେ ବୃକ୍ଷ ପୂଜା କରିବା ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ରହି ଆସିଛି କାହିଁ କେଉଁ ଯୁଗରୁ।।
ତୁଳସୀପୁର। ପୁରୀ।
୯୪୩୯୩୬୧୮୮୮।


