ସୁନାର ଫସଲକୁ ବର୍ଷା ଭୟ :ଅମଳ ଚିନ୍ତାରେ ଅସ୍ତରଙ୍ଗ ବ୍ଲକ ଅଂଚଳର ଚାଷୀ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ବିଲରେ ସୁନା ଫଳିଛି। ଅମଳ ହୋଇ ଘରକୁ ଆସିବାର ତୟାର। ଚାଷୀ ଧାନ କାଟିବାକୁ ପ୍ରସ୍ତୁତି ଚଳାଇଛି। କିଛି ଜାଗାରେ ଚାଷୀ ସୁନାର ଫସଲ ଧାନ କାଟୁଥିବା ବେଳେ କିଛି ବିଲରେ ବିଡା ବାନ୍ଧୁଛି। ଆଉ କିଛି ଚାଷୀ କଟା ଧାନକୁ ବିଲରୁ ଖଳା ଓ ଘରକୁ ବୋହୁଥିବାର ଦେଖିବାକୁ ମିଳୁଛି। ମୋଟ ଉପରେ କହିବାକୁ ଗଲେ ୩ ରୁ ୪ପ୍ରତିଶତ ଚାଷୀ ବିଲରୁ ଧାନ ଅମଳ କରିବା ଆରମ୍ଭ କରିଛନ୍ତି। ଏହି ସମୟରେ ପାଣିପାଗ ବିଭାଗ ବଙ୍ଗୋପସାଗର ରେ ଲଘୁଚାପ ଦାନା ବାନ୍ଧିଛି ବୋଲି ସୂଚନା ଦେଇଛନ୍ତି। ଚଳିତ ମାସ ୨୪ତାରିଖ ରୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ପ୍ରାକ ଅନୁମାନ କରିଛନ୍ତି। ଏଥିରେ ଉପକୂଳବର୍ତ୍ତୀ ଜିଲ୍ଲା ରେ ବର୍ଷା ପାଇଁ ପ୍ରଭାବିତ ହୋଇପାରେ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳର ୧୫ଗୋଟି ପଂଚାୟତ ରେ ୬ହଜାର ଉର୍ଦ୍ଧ ହେକ୍ଟର ଚାଷ ଜମିରେ ଧାନ ଚାଷ ହୋଇଛି। ଏଭଳି ସ୍ଥିତିରେ ବିଲରେ ଧାନ ବର୍ଷା ହେଲେ ନଷ୍ଟ ହେବାର ଆଶଙ୍କା ରହିଛି। ବିଲରେ ପାଣି ଜମିଲେ ଧାନ କାଟିବା କଷ୍ଟକର ହେବା ସହ ମେସିନ ମଧ୍ୟ ବିଲକୁ ଯାଇପାରିବନି। ବର୍ଷା ହେଲେ ଧାନ ଗଛ ଶୋଇପଡିବ।ପାଣିରେ ବୁଡି ଧାନ ଗଜା ହେବା ସହିତ ବର୍ଷକର ପରିଶ୍ରମ ବୃଥାରେ ଯିବ। ତେଣୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାର କରଜ କରି କରିଥିବା ବର୍ଷକର ଆହାର ହରାଇବ ବୋଲି ଚାଷୀ ଚିନ୍ତାରେ ପଡିଯାଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମୁଖ୍ୟତଃ ଲୋକେ ଧାନ ଚାଷ ଉପରେ ନିର୍ଭର କରନ୍ତି। ଏଠାକାର ମୁଖ୍ୟତଃ ଖରିଫ ଧାନ ଚାଷ କରାଯାଏ।ପ୍ରତିବର୍ଷ ପ୍ରାୟ ୫ଲକ୍ଷ ୨୦ହଜାର କୁଇଣ୍ଟାଲ ଧାନ ଅମଳ କରାଯାଏ। ଚଳିତ ବର୍ଷ ଅଧିକ ଅମଳର ଲକ୍ଷ୍ୟ ରଖାଯାଇଛି। ଅସ୍ତରଙ୍ଗ ବ୍ଲକ ଅଂଚଳରେ ଚାଷୀ ମୁଖ୍ୟତଃ ସ୍ବର୍ଣ୍ଣ, କଳା ଚମ୍ପା, ହଜାରେ ୯, ସବୱାନ ଧାନ ଚାଷ କରିଛନ୍ତି। ଧାନ ଅଧିକ ଅମଳ ପାଇଁ ବହୁ ଚାଷୀ ବାହାର ବଜାର ରୁ ବିହନ ଆଣି ରୋଇଛନ୍ତି। ହେଲେ ଅମଳ ପୂର୍ବରୁ ଚାଷୀ ଧାନ ଗଛିତ ରଖିବା ନେଇ ବହୁ ସମସ୍ୟାର ସମ୍ମୁଖୀନ ହେବ ବୋଲି ଚିନ୍ତାରେ ପଡିଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ଅସ୍ତରଙ୍ଗ ବ୍ଲକରେ ସରକାର ଙ୍କ ପକ୍ଷରୁ କରାଯାଇଥିବା ଧାନ ଖଳା ଏବେ କାର୍ଯ୍ୟରେ ଲାଗୁନି। କିଛି ଜାଗାରେ କାଗଜ ପତ୍ରରେ ଖଳା ଥିବା ବେଳେ ଆଉ କିଛି ଜାଗାରେ ଥିଲେ ହେଁ ଆଉ ତାର ଅସ୍ତିତ୍ବ ମିଳୁନି। ବ୍ଲକର ଶତାଧିକ ଚାଷୀ ଖରିଫ ଧାନ ଚାଷ କରିଥିଲେ ବି କିଛି ଗ୍ରାମରେ ସରକାରୀ ଧାନ ଖଳା ରହିଥିବାରୁ ସେଠାରେ ଧାନ ଅମଳ କରିବା ସମ୍ଭବପର ହେଉନାହିଁ। କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଚାଷୀ ଧାନ ଅମଳ କରି ରଖିବା ସମ୍ଭବ ହେଉନାହିଁ। ଆଗକୁ ଆସୁଥିବା ଲଘୁଚାପ ଜନିତ ବର୍ଷା ପାଇଁ ଅସ୍ତରଙ୍ଗ ବ୍ଲକ ଚାଷୀ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ବୋଲି ଚାଷୀ ଅରକ୍ଷିତ ସ୍ୱାଇଁ କହିଛନ୍ତି।


