ଏକାଦଶତମ ଛତ୍ରପୁର ପଂଚାୟତ ସମିତି ବୈଠକ

ଛତ୍ରପୁର, (ଓ୍ବାଇଏନଏସ)  : ଛତ୍ରପୁର ବ୍ଲକ ୍‌ଅଧୀନରେ ବର୍ଷ ବର୍ଷ ଧରି ଗୋଟିଏ ବିଦ୍ୟାଳୟରେ ବହୁ ଶିକ୍ଷକମାନେ ରହିଛନ୍ତି । ସେମାନେ ପିଲାଙ୍କୁ ପାଠପଢ଼ାଇବା ବଦଳରେ ରାଜନୀତି ସହ ଅନ୍ୟାନ୍ୟ କାର୍ଯ୍ୟରେ ଜଡିତ ରହୁଛନ୍ତି । ସେହି ଶିକ୍ଷକମାନଙ୍କ ବିସ୍ତାର ଏତେ ବଢ଼ିଗଲାଣି ଯେ ସେମାନେ ନିଜେ ନିଜକୁ ସେହି ଅଂଚଳର ସରପଂଚ ବୋଲି ମନେ କରୁଛନ୍ତି । ଏଭଳି ବିଶୃଙ୍ଖଳାକାରୀ ଶିକ୍ଷକମାନଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ଅନ୍ୟତ୍ର ବଦଳି କରାଯାଉ ବୋଲି ଆଜିର ଛତ୍ରପୁର ପଂଚାୟତ ସମିତିର ଏକାଦଶତମ ବୈଠକରେ ଛତ୍ରପୁର ବ୍ଲକ ସରପଂଚ ସଂଘର ସଭାପତି ତଥା ଟାଙ୍ଗଣାପଲ୍ଲୀ ସରପଂଚ ବି.ସୁଦାମ ଅଭିଯୋଗ କରିଛନ୍ତି । ଛତ୍ରପୁର ବ୍ଲକ ଅଧୀନ ଗୋଟିଏ ବିଦ୍ୟାଳୟରେ ୬ ବର୍ଷରୁ ଅଧିକା ସମୟ ଧରି ଥିବା ଶିକ୍ଷକମାନଙ୍କୁ ତୁରନ୍ତ ବଦଳି କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖାଯିବ । ଏଥିଲାଗି ଆଜିର ବୈଠକରେ ପଂଚାୟତ ପ୍ରତିନିଧିମାନଙ୍କ ତରଫରୁ ଏକ ରେଜ୍ୟୁଲେସନ୍ ପାସ୍ କରି ଜିଲ୍ଲାପାଳଙ୍କ ନିକଟକୁ ପଠାଯିବକୁ ସ୍ଥିର ହୋଇଥିଲା । ସେହିପରି ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀମାନଙ୍କୁ ଯେଉଁ ସଂସ୍ଥା ଦ୍ୱାରା ପୋଷାକ ଦିଆଯାଉଛି । ସେହି ସଂସ୍ଥା ପକ୍ଷରୁ ପ୍ରତି ପିଲାଙ୍କ ମାପ ନେଇ ପୋଷାକ ଦେବା ପାଇଁ ନଚେତ ଗୋଟିଏ ପ୍ରକାର ମାପରେ ପୋଷାକ ଦିଆଯାଉଥିବା ପିଲାଙ୍କ ପାଇଁ ପୋଷାକ ପିନ୍ଧିବାରେ ସମସ୍ୟା ରହୁଛି । ଏହାସହିତ ଶିକ୍ଷାବର୍ଷ ଶେଷ ହେବାକୁ ଥିବା ବେଳେ କେତେକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋଷାକ ମିଳିନଥିବା ନେଇ ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍‌.ଚକ୍ରପାଣି ରେଡ୍ଡୀ ଅଭିଯୋଗ କରିଥିଲେ । ଆଜି ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଏକାଦଶତମ ଛତ୍ରପୁର ପଂଚାୟତ ସମିତି ବୈଠକ ଅନୁଷ୍ଠିତ ବ୍ଲକ ଅଧ୍ୟକ୍ଷା କିରନ୍ କୁମାରୀ ଦାସ ସଭାପତିତ୍ୱ କରି ଜନସାଧାରଣଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଦଳମତ ନିର୍ବିଶେଷରେ ସମସ୍ତେ ସାମୂହିକ ବିକାଶ ଦିଗରେ ଧ୍ୟାନ ଦେଇ ବ୍ଲକ ପ୍ରଶାସନ ଓ ଜନପ୍ରତିନିଧି ମଧ୍ୟରେ ଉତମ ସମନ୍ୱୟ ରହିବା ଆବଶ୍ୟକ । ମୃତିକା ସଂରକ୍ଷଣ ବିଭାଗ ଦ୍ୱାରା ବିଭିନ୍ନ  କାର୍ଯ୍ୟ ଗୁଡିକ ସଠିକ ଭାବେ ହୋଇନଥିବା ଅଭିଯୋଗ ଆସିଛି । ବିଭାଗ ପକ୍ଷରୁ କେଉଁ ପଂଚାୟତରେ କି ପ୍ରକାର ପ୍ରକଳ୍ପ ହୋଇଛି ଏହି ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି । ଏହାସହିତ ପ୍ରତି ପଂଚାୟତରେ କେତେକ ପୋଖରୀ ଏବଂ ଗଛ ଲଗାଯାଇଛି ତାହାରି ତାଲିକା ପ୍ରଦାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବ୍ଲକ୍ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ମତ୍ସ୍ୟଚାଷ, ପଶୁପାଳନ, କୃଷି, ସାମାଜିକ ସୁରକ୍ଷା, ଓଡିଶା ଜୀବିକା ମିସନ୍‌, ଗ୍ରାମ୍ୟ ପାନୀୟ ଜଳ, ସାଧାରଣ ବଂଟନ, ଅନୁସୂଚିତ ଜାତି ଓ ଜନଜାତି ଆଦି ବିଷୟରେ ଆଲୋଚନା ହୋଇଥିଲା । ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୁର୍ତ ବିଭାଗ ଅଧିକାରୀଙ୍କ ଅନୁପସ୍ଥିତ ନେଇ ପଂଚାୟତ ସମିତି ବୈଠକ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପାଇଁ ସ୍ଥିର ହୋଇଥିଲା । ସେହିପରି ଭୀମଭୋଇ ଦିବ୍ୟାଙ୍ଗ ସାମର୍ଥ୍ୟ ଶିିବିରରେ ଯେଉଁ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପ୍ରମାଣପତ୍ର ପାଇଁ ଆବେଦନ ହୋଇଥିଲା ତାହା ଆଜି ସୁଦ୍ଧା କାର୍ଯ୍ୟକାରୀ ହୋଇନଥିବା ନେଇ ପଂଚାୟତ ପ୍ରତନିଧିମାନେ ଅଭିଯୋଗ କରିଥିଲେ । ସୁନ୍ଦରପୁର ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ବର୍ତମାନ ସୁଦ୍ଧା ହସ୍ତାନ୍ତର ହୋଇନଥିବା ବେଳେ ଡାକ୍ତର ନିଯୁକ୍ତି ବିଷୟରେ ଆଲୋଚନା ହୋଇଥିଲା । ମୁନିଷିପେଣ୍ଠ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡାକ୍ତର ସ୍ୱାଧୀନ ରଥ ଏଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ସେହିପରି କିଛି ପଂୟାଚତ ପ୍ରତିନିଧିଙ୍କ ଅଭିଯୋଗରେ ଛତ୍ରପୁର ବିଡିଓ ସମ୍ବିତ୍ ସଂଗ୍ରାମଜିତ୍ ସାହୁ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ବିକାଶ ମୂଳକ ଯୋଜନା ସଠିକ୍ ନିୟମାନୂବଳୀ ମଧ୍ୟରେ ହେଉଅଛି । ଏହାସହିତ ଜନସାଧାରଣଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦିଆଯାଇ କେତେକ ପ୍ରକଳ୍ପ ମଧ୍ୟ ହାତକୁ ନିଆଯାଉଛି । ପ୍ରତି ଯୋଜନାର ଗାଇଡ୍ ଲାଇନ୍ ଏବଂ ପରବର୍ତୀ ପରିବର୍ତନ ବିଷୟରେ ଜନପ୍ରତିନିଧିମାନଙ୍କୁ ଅବଗତ କରାଯାଇ ସେମାନଙ୍କ ସହ ଆଲୋଚନା କରାଯାଇ ପଂଚାୟତ ଗୁଡିକର ବିକାଶରେ ବିଭିନ୍ନ ପ୍ରକଳ୍ପ ଗୁଡିକ ଆଗତ କରାଯାଉଛି । ଏହାସହ ନିର୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାମ ଶେଷ କରିବା ପାଇଁ ପରାମର୍ଶ ଦିଆଯାଉଛି । ବ୍ଲକ ଉପାଧ୍ୟକ୍ଷା ଏସ୍‌.ଶାରଦା ରେଡ୍ଡୀ, ଏବିଡିଓ ଜୟଶ୍ରୀ ନାୟକ, ସାଂସଦ ପ୍ରତିନିଧି ଆର୍‌.ସନ୍ତୋଷ ରେଡ୍ଡୀ, ଛତ୍ରପୁର ବିଧାୟକ ପ୍ରତିନିଧି ସରୋଜ କୁମାର ଦାସ ମଂଚାସୀନ ଥିଲେ । ସେହିପରି ବୈଠକରେ ସୁନ୍ଦରପୁର ସରପଂଚ ଗଗନ ବେହେରା, ମହାନାଦପୁର ସରପଂଚ ରବୀନ୍ଦ୍ର ରାଉଳ, ବିପୁଳିଙ୍ଗି ସରପଂଚ ହିନା ସେଠୀ, ଶ୍ରୀରାମଚନ୍ଦ୍ରପୁର ସରପଂଚ ସଞ୍ଜିବ୍ ରେଡ୍ଡୀ, ଚିକଲଖଣ୍ଡି ସରପଂଚ ଭଗବାନ ବେହେରା, ଚମାଖଣ୍ଡି ସରପଂଚ ସିଏଚ୍‌.ମନୋଜ ରେଡ୍ଡୀ, ସମିତିସଭ୍ୟା ସୁଜ୍ଞାନୀ ସେଠୀ, ସମିତିସଭ୍ୟ ଏନ୍‌.ରମେଶ ରେଡ୍ଡୀ, ଶମ୍ବୁନାଥ ସ୍ୱାଇଁ ଓ ରାମଚନ୍ଦ୍ର ପରିଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ