ଚଳନ୍ତା ଯାତ୍ରୀବାହୀ ବସରୁ ଛିଡି ପଡ଼ିଲା ଚକ: ଅଳ୍ପକେ ବର୍ତ୍ତିଲେ ୪୦ ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର ଗଣିଆନାଳ ଛକ ପୂର୍ବରୁ ମୁସ୍କାନ ନାମକ ଏକ ଚଳନ୍ତା ଯାତ୍ରୀବାହୀ ବସ ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ବୁଧବାର ମଧ୍ୟାହ୍ନ ପ୍ରାୟ ୧ ଟାରେ ୪୦ ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ଙ୍କୁ ନେଇ ଘରୋଇ ଯାତ୍ରୀବାହୀ ବସ୍ ଟି ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ରୁ ଭାୟା ଦିଗପହଣ୍ଡି ଦେଇ ପୁରୀ ଅଭିମୁଖେ ଯାଉଥିବା ବେଳେ ବସ୍ ର ସମ୍ମୁଖ ଭାଗ ରେ ଥିବା ବାମ ଚକଟି ଛିଡି ଯିବା ଫଳରେ ବସଟି ପ୍ରାୟ ୨ ଶହ ମିଟର ପର୍ଯ୍ୟନ୍ତ ରାସ୍ତାରେ ଘୋଷାଡି ହୋଇ ଯାଇଥିଲା । ବସରେ ଥିବା ପର୍ଯ୍ୟଟକ ମାନେ ଭୟଭୀତ ହୋଇ ଚିତ୍କାର କରିଥିଲେ। କିନ୍ତୁ ଅଘଟଣ ପୂର୍ବରୁ ଚାଳକ ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବସ ଟି ଅଟକି ଥିଲା। ପର୍ଯ୍ୟଟକ ମାନେ ସୁରକ୍ଷିତ ଅବସ୍ଥାରେ ବସ ରୁ ଓହ୍ଲାଇ ପଡ଼ିଥିଲେ। ସୂଚନା ପ୍ରକାରେ ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରୁ ୪୦ ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ନୂଆବର୍ଷ ନିମନ୍ତେ ବିଭିନ୍ନ ଜିଲା ର ପର୍ଯ୍ୟଟନ କ୍ଷେତ୍ର ବୁଲିବା ପରେ ସକାଳୁ ଗଞ୍ଜାମ ଜିଲା ତପ୍ତପାଣି ଉଷ୍ଣପ୍ରସ୍ରବଣ ରେ ପହଞ୍ଚି ବଣଭୋଜି କରିବାସହ ସେଠାରେ ଗରମ ପାଣି କୁଣ୍ଡ ରେ ଗାଧୋଇ ମଜା ଉଠାଇଥିଲେ । ପରେ ସେମାନେ ପୁରୀ ଶ୍ରୀମନ୍ଦିର ଅଭିମୁଖେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ଆବଶ୍ୟକ ଫିଟନେସ ନଥାଇ ବସ ଗୁଡ଼ିକ ଚଳାଚଳ କରୁଛି। ଏଥି ନିମନ୍ତେ ପରିବହନ ବିଭାଗ ପକ୍ଷରୁ ଧରପଗଡ କରାଯାଉନାହିଁ। ଘଟଣା ଯଦି ତପ୍ତପାଣି ଘାଟି ରାସ୍ତା ରେ ଘଟି ଥାଆନ୍ତା ତେବେ ବଡ଼ ଧରଣର ଦୁର୍ଘଟଣା କୁ ଏଡ଼ାଇ ହୋଇନଥାନ୍ତା ବୋଲି ସ୍ଥାନୀୟ ଅଞ୍ଚଳରେ ଲୋକେ ଚର୍ଚ୍ଚା କରିଥିଲେ। ବସ କୁ ଆବଶ୍ୟକ ମରାମତି ନକରି ଭଡ଼ା ମିଳିବା ଆଶାରେ ବସ ମାଲିକ ମାନେ ଆବଶ୍ୟକ ଫିଟନେସ ନକରି ଭଡ଼ା ଛାଡୁଥିବାରୁ ରାସ୍ତାରେ ଦୁର୍ଘଟଣା ଘଟୁଥିବା ନେଇ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


