ବିବିଧା ଫାଉଣ୍ଡେସନ ଫର ଆର୍ଟ ଆଣ୍ଡ କଲଚରର ନବମ ବାର୍ଷିକ ଉତ୍ସବ

ଛତ୍ରପୁର, (ଓ୍ବାଇଏନଏସ):  ଛତ୍ରପୁରସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ବିବିଧା ଫାଉଣ୍ଡେସନ ଫର ଆର୍ଟ ଆଣ୍ଡ କଲଚରର ନବମ ବାର୍ଷିକ ଉତ୍ସବ ଏବଂ ସ୍ୱତନ୍ତ୍ର ପ୍ରତିଭା ପ୍ରଦର୍ଶନୀ କାର୍ଯ୍ୟକ୍ରମ “ମୋ ପ୍ରତିଭା ମୋ ପରିଚୟ–୨୦୨୬” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଓ ଆଖପାଖ ଅଞ୍ଚଳର ବହୁ କଳାକାର, ନୃତ୍ୟଗୁରୁ, ଅଭିଭାବକ ଓ କଳାପ୍ରେମୀ ଯୋଗଦେଇଥିଲେ। ସନ୍ଧ୍ୟାର ଉଦ୍‌ଯାପନୀ ସମାରୋହରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, ବିଶିଷ୍ଟ ଲୋକନୃତ୍ୟ ଗୁରୁ ଜଗଦୀଶ ପାଣିଗ୍ରାହୀ ମୁଖ୍ୟ ବକ୍ତା ଏବଂ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦେବାଶିଷ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କୁ ଉତ୍ସାହିତ କରିବା ଦିଗରେ ବିବିଧା ଫାଉଣ୍ଡେସନର ଏଭଳି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ସୁନ୍ଦରପୁରର ରାଧା ପ୍ରେମଲୀଳା ଗୁରୁ ଦେବରାଜ ମଣ୍ଡଳଙ୍କୁ କଳା ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ “ସ୍ୱର୍ଗତ ଗୁରୁ ସୀମାଞ୍ଚଳ ମଣ୍ଡଳ ସ୍ମୃତି ସମ୍ମାନ” ପ୍ରଦାନ କରାଯାଇଥିଲା। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଏବଂ ଅଂଚଳ ର ବିଭିନ୍ନ କ୍ଷେତ୍ର ରେ ପ୍ରତିଭା ଦେଖାଇଥିବା ପ୍ରତିଭାଧାରୀ ମାନଙ୍କୁ ମଧ୍ୟ ପୁରସ୍କାର ଓ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା। ପରେ  କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନୃତ୍ୟ, ସଙ୍ଗୀତ ଓ ଲୋକକଳାର ଆକର୍ଷଣୀୟ ପ୍ରଦର୍ଶନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। କାର୍ଯ୍ୟକ୍ରମକୁ ଆଙ୍କର ଶିବାନନ୍ଦ ବାରିକ ସୁନ୍ଦର ଭାବେ ସଂଯୋଜନା କରିଥିଲେ।ପୂର୍ବାହ୍ନରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ନୃତ୍ୟଗୁରୁ କେ. ତରୁଣ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଭାବେ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ଟ୍ରଷ୍ଟି ରାମେଶ୍ୱର ପଣ୍ଡା, ସାନ୍ତୁନୁ କୁମାର ସାହୁ, ସଭାପତି ସିଏଚ୍‌. ପ୍ରକାଶ ରେଡ୍ଡୀଙ୍କ ସମେତ ବହୁ ନୃତ୍ୟଗୁରୁ ଓ କଳାପ୍ରେମୀ ବ୍ୟକ୍ତିବିଶେଷ କାର୍ଯ୍ୟକ୍ରମକୁ ପରିଚାଳନା ରେ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ