ଗୋଆରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ : ମୃତଦେହ ଆଣିବାକୁ ସ୍ତ୍ରୀଙ୍କ ଗୁହାରି
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ଗ୍ରାମ ଦଳିତ ସାହିର ତ୍ରିନାଥ ନାଇକ ଙ୍କ ଏକମାତ୍ର ରୋଜଗାରକ୍ଷମ ପୁଅ ଚେରୁ ନାଇକ(୩୫) ଗୋଆ ର ଏକ ଷ୍ଟିଲ କାରଖାନା ରେ କାମ କରୁଥିବା ବେଳେ ଏକ ଷ୍ଟିଲ ଛଡ଼ ତାଙ୍କ ପେଟରେ ପଶି ଯିବାରୁ ବୁଧବାର ସକାଳ ପ୍ରାୟ ସାଢ଼େ ୭ ଟାରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି।ଏନେଇ ଚେରୁ ଙ୍କ ସ୍ତ୍ରୀ ଜୟନ୍ତୀ ଙ୍କୁ ଖବର ମିଳିବା ପରେ ସେ ଦୁଃଖରେ ଭାଙ୍ଗି ପଡିଛନ୍ତି।ଚେରୁୁ ଙ୍କ ୨ ଟି ଛୋଟ ଝିଅ ଓ ଗୋଟିଏ ପୁଅ ଥିବା ଜଣାପଡିଛି। ସ୍ବାମୀ ଙ୍କୁ ହରାଇ ସେ ବାହୁନି ବାହୁନି କାନ୍ଦୁଛନ୍ତି। ସ୍ବାମୀ ଙ୍କ ବିନା କିଭଳି ଚଳିବେ। ୩ ପିଲା ଙ୍କ ଭବିଷ୍ୟତ କଣ ହେବ ସେ ନେଇ ଚିନ୍ତିତ ହୋଇପଡିଛନ୍ତି। ତାଙ୍କ ମୃତଦେହ କୁ ଗାଁ କୁ ଆଣିବା ପାଇଁ ସ୍ତ୍ରୀ ସ୍ଥାନୀୟ ପୋଲିସ ପ୍ରଶାସନିକ ଅଧିକାରୀ ମାନଙ୍କୁ ଗୁହାରି କରିଥିବା ଜଣାଇଛନ୍ତି। ସେ ଏନେଇ ଦିଗପହଣ୍ଡି ଥାନାରେ ଲିଖିତ ଭାବେ ରିପୋର୍ଟ ଦେଇଛନ୍ତି। ବି. ତୁରୁବୁଡ଼ି ଗ୍ରାମର ଜଣେ ଶ୍ରମ ଠିକାଦାର ଙ୍କ ଜରିଆରେ ଗତ ପ୍ରାୟ ୧୦ ବର୍ଷ ହେଲା ଚେରୁ ଗୋଆ ର ସାଲସେଟ୍ କୁନକୋଲିନ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ରେ ଥିବା ଗ୍ଲୋବାଲ ଇସ୍ପାତ ପ୍ରାଇଭେଟ୍ ଲିଃ କମ୍ପାନୀ ରେ କାମ କରୁଥିଲେ ବୋଲି ଜଣାପଡିଛି। କିଛିଦିନ ପୂର୍ବେ ସେ ଘରକୁ ଆସିଥିଲେ।ଘରେ ହସ ଖୁସି ରେ କିଛିଦିନ ରହିବା ପରେ ପୁଣି କର୍ମକ୍ଷେତ୍ର ଗୋଆ କୁ ଯାଇଥିଲେ ବୋଲି ସାହିବାସିନ୍ଦା କହିଛନ୍ତି। ସେହିପରି ଗତ ୨ ବର୍ଷ ପୂର୍ବେ ଉକ୍ତ ଶ୍ରମ ଠିକାଦାର ଙ୍କ ସହାୟତା ରେ ଗୋଆ ରେ କାମ କରିବାକୁ ଯାଇଥିବା ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତ ବାରିତୋଳା ଗ୍ରାମର ରଙ୍କ ନାଇକ(୩୬) ଏବଂ ବି. ତୁରୁବୁଡ଼ି ଗ୍ରାମର ଏସ.ସହଦେବ ରେଡ୍ଡୀ(୪୦) ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ଶ୍ରମ ଠିକାଦାର ଜଣକ ବିନା ଲାଇସେନ୍ସ ରେ ଶ୍ରମିକ ଚାଲାଣ କରି କମିଶନ ବାବଦରେ ପ୍ରଚୁର ଅର୍ଥ ରୋଜଗାର କରୁଥିବା ବେଳେ ଶ୍ରମିକ ମାନଙ୍କ ସୁରକ୍ଷା ଓ ଜୀବନ ଜୀବିକା ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଜିଲା ଶ୍ରମ ବିଭାଗ ଓ ପୋଲିସ ପ୍ରଶାସନିକ ଅଧିକାରୀ ମାନଙ୍କ ପକ୍ଷରୁ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।


