ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ

କଟକ, (ଓ୍ବାଇଏନଏସ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ମୋଟ୍ ୭ଟି ସେବାର ୩୧୪ଟି ପଦବି ପୂରଣ ପାଇଁ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ହେଲେ ଓଡ଼ିଶା ସିଭିଲ୍ ସର୍ଭିସ୍‌ ଯେଉଁମାନେ ଦିଅନ୍ତି ସେମାନଙ୍କର ଲକ୍ଷ୍ୟ ଥାଏ ଓଏଏସ୍‌ ହେବେ। ଆଶ୍ଚର୍ଯ୍ୟର ବିଷୟ ଏଥର ଗୋଟିଏ ବି ଓଏଏସ୍‌ ପଦବି ନାହିଁ। କେବଳ ଓଏଏସ୍‌ ନୁହେଁ, ଓଏଫ୍‌ଏସ୍‌, ଓଆର୍‌ଏସ୍‌ ପାଇଁ ମଧ୍ୟ କୌଣସି ଗୋଟିଏ ପଦ ନାହିଁ। ଯାହାକୁ ନେଇ ରାଜ୍ୟର ଲକ୍ଷାଧିକ ଅାଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅପାରଗତା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖାମଖିଆଲ ଗୁଣ ଯୋଗୁ ରାଜ୍ୟର ଲକ୍ଷାଧିକ ଆଶାୟୀ ହତାଶ ହୋଇଯାଇଛନ୍ତି। ଏପରିକି ଦୁଇ ବିଭାଗ ମଧ୍ୟରେ ସମନ୍ବୟ ଅଭାବ, ରାଜସ୍ବ ବିଭାଗର ନିଷ୍କ୍ରିୟତା ଯୋଗୁ ଆସନ୍ତା ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଆଶାୟୀଙ୍କ ପାଇଁ ଓଏଏସ୍‌ ପଦବି ରହିବନି ବୋଲି ‘ସମ୍ବାଦ’ରେ ଗତ ଅକ୍ଟୋବରରେ ଖବର ପ୍ରକାଶିତ ହୋଇଥିଲା। କିପରି ୩୦୦ରୁ ଅଧିକ ଓଏଏସ୍‌ଙ୍କୁ ପଦୋନ୍ନତି ଦିଆଯାଉନଥିବାରୁ ନୂଆ ପଦବି ସୃଷ୍ଟି ହେଉନି, ସେ ନେଇ ସମସ୍ତ ସୂଚନା ଦିଆଯାଇଥିଲା। ଏହାପରେ ବି ସାଧାରଣ ପ୍ରଶାସନ ବିଭାଗ ଓଏଏସ୍‌, ଓଆର୍‌ଏସ୍‌, ଓଏଫ୍ଏସ୍ ପଦ ଖାଲି ନଥିବା ଦର୍ଶାଇ ଓପିଏସ୍‌ସିକୁ ତାଲିକା ଦେବା ପରେ ଏବେ ଏହାକୁ ବାଦ୍‌ ଦେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ଲକ୍ଷାଧିକ ଆଶାୟୀ ଆଜି ଓଏଏସ୍‌, ଓଏଫ୍‌ଏସ୍‌, ଓଆର୍‌ଏସ୍ ଚାକିରିରୁ ବଞ୍ଚିତ ହେବାର ବଡ଼ କାରଣ ହେଉଛି ପ୍ରଶାସନିକ ଅବ୍ୟବସ୍ଥା। ମିଳିଥିବା ସୂଚନା ଅନୁଯାୟୀ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଓଡ଼ିଶା ସିଭିଲ୍ ସର୍ଭିସ୍ ମଡେଲ୍ କ୍ୟାଡର୍‌ ରୁଲ୍‌କୁ ଅର୍ଥ ବିଭାଗ ଓ ରାଜସ୍ବ ବିଭାଗ ମାନିନାହାନ୍ତି। ନିୟମକୁ ଉଲ୍ଲଂଘନ କରି ମନଇଚ୍ଛା ବିଭିନ୍ନ କ୍ୟାଡର୍‌କୁ ପଦୋନ୍ନତି ଦେଇଥିବାରୁ ବିବାଦ କୋର୍ଟରେ ପହଞ୍ଚିଛି। ଓଏଏସ୍‌ର ଫିଡର୍‌ କ୍ୟାଡର୍‌ ଓଆର୍‌ଏସ୍‌ କ୍ଷେତ୍ରରେ ଗୋଟିଏ ନିୟମ ଏବଂ ଓଏଫ୍‌ଏସ୍‌ର ଫିଡର୍‌ କ୍ୟାଡର୍‌ ଓଟିଏଏସ୍‌ କ୍ଷେତ୍ରରେ ଆଉ ଗୋଟିଏ ନିୟମ ଲାଗୁ କରିଛନ୍ତି। ମାମଲା କୋର୍ଟରେ ଥିବା ଦର୍ଶାଇ ରାଜସ୍ବ ବିଭାଗ ପଦୋନ୍ନତି ଦେଉନି। ଯେଉଁଥି ପାଇଁ ମୂଳ ପଦବି ଖାଲି ହେଉନଥିବାରୁ ସାଧାରଣ ପ୍ରଶାସନ ବିଭାଗ ଏବେ ଓଏଏସ୍‌, ଓଏଫ୍‌ଏସ୍‌, ଓଆର୍‌ଏସ୍ ଖାଲିନଥିବା ଦର୍ଶାଇଛି। ଅପରପକ୍ଷେ ଏବେ ମୋଟ୍ ୩୧୪ଟି ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଗ୍ରୁପ୍‌-ଏରେ କେବଳ ଓପିଏସ୍‌ ପାଇଁ ୧୨ଟି ପଦବି ରହିଛି। ସେହିପରି ଗ୍ରୁପ୍‌-ବିର ଓଟିଏଏସ୍‌ ପାଇଁ ସର୍ବାଧିକ ୧୭୬ଟି ପଦବି ରହିଛି। ଗତବର୍ଷଗୁଡ଼ିକରେ ଏହି ପଦବିରେ ସର୍ବାଧିକ ୫୭ ଜଣ ନିଯୁକ୍ତି ପାଇବା ପରେ ବି ଚାକିରିରୁ ଯୋଗ ଦେଇନଥିବାରୁ ଖାଲି ପଡ଼ିଥିଲା। ଓଡ଼ିଶା ଲେବର ସର୍ଭିସ୍‌ରେ ବି ୩୨ଟି ପଦବି ପୂର୍ବରୁ ପୂରଣ ହୋଇନଥିଲା। ଚଳିତବର୍ଷ ମୋଟ୍ ୩୧୪ଟି ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଏଥିରୁ ୧୧୫ଟି ପଦବି ବିଗତବର୍ଷଗୁଡ଼ିକରେ ପୂରଣ ହୋଇନଥିଲା। ଅର୍ଥାତ୍ ଚାକିରି ପାଇଥିବା ଲୋକ ସେମାନଙ୍କ ପଦରେ ଯୋଗ ଦେଇନଥିଲେ। କିନ୍ତୁ ୧୯୯ଟି ପଦବି କେବଳ ଅବସର ପରେ ଖାଲି ପଡ଼ିଥିବା ଦର୍ଶାଯାଇଛି। ବାସ୍ତବରେ ଅଧିକ ପଦବି ଖାଲି ପଡ଼ିଥିଲେ ହେଁ ବିଭାଗ ସ୍ତରରେ ପଦୋନ୍ନତି ଦେବାରେ ବିଳମ୍ବ ହେଉଥିବାରୁ ମୂଳ ପଦବି ଖାଲି ହେଉନି। ଏହି ପରିସ୍ଥିତିରେ ଲକ୍ଷାଧିକ ଆଶାୟୀଙ୍କ ଭବିଷ୍ୟତକୁ ନଜରରେ ରଖି ସରକାରଙ୍କୁ କିଛି ଠୋସ୍ ପଦକ୍ଷେପ ନେବାକୁ ହେବ। ନଚେତ୍ ଏହାକୁ ନେଇ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିପାରେ।
ଓଡ଼ିଶା ସିଭିଲ୍‌ ସର୍ଭିସ୍ ପରୀକ୍ଷା-୨୦୨୫ ବିଜ୍ଞପ୍ତିରେ ଓଏଏସ୍‌, ଓଏଫ୍‌ଏସ୍‌ ଓ ଓଆର୍‌ଏସ୍ ପାଇଁ କୌଣସି ପଦବି ନ ରହିବା ନେଇ ଓପିଏସ୍‌ସି ଅଧ୍ୟକ୍ଷ ଅରୁଣ ଷଡ଼ଙ୍ଗୀ କହିଛନ୍ତି ଯେ ଆମକୁ ସାଧାରଣ ପ୍ରଶାସନ ବିଭାଗ ଯେଉଁ ବିଭାଗରେ ଯେତେ ପଦବି ଖାଲି ଅଛି ବୋଲି ତାଲିକା ଦେଇଥିଲା ତାକୁ ନେଇ ଆମେ ବିଜ୍ଞପ୍ତି ପ୍ରକାଶ କରିଛୁ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ