ୟୁକୋ ବ୍ୟାଙ୍କର ୮୪ତମ ପ୍ରତିଷ୍ଠା ଦିବସ ପାଳିତ
କଟକ, (ଓ୍ବାଇଏନଏସ): ୟୁକୋ ବ୍ୟାଙ୍କର ୮୪ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ କଟକ ସହର ନୂଆପଡା ଶାଖାସ୍ଥିତ ୟୁକୋ ବ୍ୟାଙ୍କ ଆନୁକୂଲ୍ୟରେ ରୋଟାରୀ ଚକ୍ଷୁ ଚିକିତ୍ସାଳୟର ବିଶେଷଜ୍ଞଙ୍କ ସହଯୋଗରେ ନୂଆପଡା ବାଟ ମଙ୍ଗଳା ଯୁବକ ସଂଘ ପ୍ରାଙ୍ଗଣରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା। ଏଥିରେ ଶତାଧିକ ଜନସାଧାରଣଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯିବା ସହିତ ମାଗଣା ଔଷଧ ଓ ଚଷମା ବିତରଣ କରାଯାଇଥିଲା। ଏହି ଅବସରରେ ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀମତୀ ପ୍ରତିଭା ମଞ୍ଜରୀ ସାହୁଙ୍କ ଅଧ୍ୟକ୍ଷତାରେ ପୂର୍ବତନ ଉପ ମହାପ୍ରବନ୍ଧକ ଶ୍ରୀ ପ୍ରିୟବ୍ରତ ଦାସ, ପୂର୍ବତନ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଶ୍ରୀ ଦୁର୍ଗା ପ୍ରଶନ୍ନ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ। ପ୍ରଥମେ ୟୁକୋ ବ୍ୟାଙ୍କର ପ୍ରତିଷ୍ଠାତା ଶ୍ରୀ ଘନଶ୍ୟାମ ଦାସ ବିର୍ଲାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀମତୀ ପ୍ରତିଭା ମଞ୍ଜରୀ ସାହୁ ଓ ଉପ ପ୍ରବନ୍ଧକ ଶ୍ରୀମତୀ ଯଶସ୍ବୀନି ଜଗଦେବ, ଶ୍ରୀମତୀ ତପସ୍ୱିନୀ ସେଠି, ଶ୍ରୀମତୀ ଜିଜ୍ଞାସା ରାୟ, ଶ୍ରୀ ବିଶ୍ୱ ରଞ୍ଜନ ଦାସ, ଶ୍ରୀ ଗଗନ ନାୟକଙ୍କ ସମେତ ଉପସ୍ଥିତ ଗ୍ରାହକ ଓ ଜନସାଧାରଣଙ୍କୁ ବ୍ୟାଙ୍କର ବିଭିନ୍ନ ସ୍କିମ ବିଷୟରେ ଅବଗତ କରାଇଥିଲେ। ଏହି ଅବସରରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମେତ ବୃକ୍ଷରୋପଣ ଆୟୋଜନ କରାଯାଇଥିଲା। ପରିଶେଷରେ ଉପସ୍ଥିତ ଥିବା ସମସ୍ତ ଗ୍ରାହକ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ମିଷ୍ଠାନ୍ନ ବିତରଣ କରାଯାଇଥିଲା।


