ଅମୃତପୁର ଗ୍ରାମରେ ବାଘ ଆତଙ୍କ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଅମୃତପୁର ଗ୍ରାମରେ ବାଘ ଆତଙ୍କ ଦେଖା ଦେଇଛି। ଗତ କିଛିଦିନ ତଳେ ଭୂଇଁପୁର ବଣରେ ବାଘଟିକୁ କିଛି ଲୋକ ଦେଖିଥିବା ବେଳେ ଦୁଇଦିନ ତଳେ ଅମୃତପୁର ବାଲି ଘାଟ ନିକଟରେ ବାଘଟି ବୁଲୁଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଏହି ଭିତରେ ସାତଟି ଛେଳି ଓ ଦୁଇଟି ବାଛୁରୀ ନିଖୋଜ ଥିବାରୁ ବାଘ ଖାଇଥିବା ଲୋକେ ସନ୍ଦେହ କରୁଛନ୍ତି। ଆଜି ଦିନବେଳା ଗଦାଧର ବାରିକଙ୍କ ଏକ ବାଛୁରୀ ଚରିବାକୁ ଯାଇଥିବା ବେଳେ ବାଘ ଆକ୍ରମଣ କରିବାରୁ ବାଛୁରୀଟି ଗଁ ଗଁ ହେବାରୁ ପାଖରେ ଛେଳି ଚରାଉଥିବା ମୁରଲୀଧର ବାରିକ ଦୌଡ଼ି ଆସିବାରୁ ବାଘଟି ନିକଟସ୍ଥ ପାଳ ଭିତରକୁ ଦୌଡ଼ି ପଳାଇଥିବା ଗଦାଧର କହିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି। ଏ ସମ୍ପର୍କରେ ହଡଗଡ଼ ରେଞ୍ଜର ମାର୍ସଲ କିସ୍କୁ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସେ ଅଞ୍ଚଳରେ ବାଘ ଥିବା ନେଇ କୌଣସି ସୂଚନା ନାହିଁ। ଏହା ହେଟା ବାଘ ହୋଇଥାଏ ପାରେ ବୋଲି ସେ କହିଛନ୍ତି। କୌଣସି ଗୁଜବକୁ ବିଶ୍ୱାସ କରନ୍ତୁ ନି ବୋଲି ସେ କହିଛନ୍ତି।


