ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କ ସମେତ ୫ ଅଧିକାରୀଙ୍କୁ ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,(ଓ୍ବାଇଏନଏସ): ଜାନୁଆରୀ ୨୨ ତାରିଖକୁ ମାମଲା ଶୁଣାଣି ପାଇଁ ଥିଲା । ସେହିଦିନ ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀ ଏବଂ ଅନ୍ୟ ଅଧିକାରୀଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଅଧିକାରୀମାନେ ଅଦାଲତଙ୍କଠାରୁ ପୁଣି ସମୟ ଲୋଡ଼ିଥିଲେ । ଏହାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି । ତାରିଖ ପରେ ତାରିଖ ମାଗିଚାଲିବା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ମତ ଦେବା ସହ ଏହା ଅଦାଲତଙ୍କ ଆଦେଶର ଅବମାନନା ବୋଲି କହିଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ସଚିବ ଉଷା ପାଢ଼ୀଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ପୁଲିସ୍ କମିସନର ସଚିବ, ଉଷା ପାଢ଼ୀ ଓ ଅନ୍ୟମାନଙ୍କୁ ଗିରଫ କରି ଆସନ୍ତା ୩୦ ତାରିଖ ସକାଳ ସାଢ଼େ ୧୦ଟାରେ ଅଦାଲତରେ ହାଜର କରାଇବେ । ଅବଶ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଯଦି ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ ହୋଇଥାଏ ତାହେଲେ ଶ୍ରୀମତୀ ପାଢ଼ୀ ଓ ଅନ୍ୟ ଅଧିକାରୀମାନଙ୍କୁ ହାଜର କରାଇବା ଆବଶ୍ୟକ ନାହିଁ ।ପିଲୋନା ମହାନ୍ତିଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଡି.କେ. ଶ୍ରୀପଦ ଏବଂ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ରୁଜୁ ଅଦାଲତ ଅବମାନନା ମାମଲାର ଶୁଣାଣି ୨୦୨୫ ଡିସେମ୍ବର ୧୨ରେ ହେବାକୁ ଧାର୍ଯ୍ୟ ହୋଇଥିଲା । ପ୍ରତିପକ୍ଷ ଜବାବ ପାଇଁ ସମୟ ଲୋଡ଼ିଥିଲେ । ତେଣୁ ଅଦାଲତ ଜାନୁଆରୀ ୨୨ ତାରିଖକୁ ଧାର୍ଯ୍ୟ କରିଥିଲେ । କିନ୍ତୁ ୨୨ରେ ମଧ୍ୟ ପ୍ରତିପକ୍ଷ ସମୟ ଲୋଡିଥିଲେ । ହାଇକୋର୍ଟ ଆଦେଶରେ କହିଛନ୍ତି ଯେ, ଏହିସବୁ ମାମଲାର ସ୍ୱତନ୍ତ୍ର ଶୁଣାଣି ପାଇଁ ଏହି ସାମ୍ବିଧାନିକ କୋର୍ଟ ବସୁଛି । ଏହି କୋର୍ଟର କାର୍ଯ୍ୟ ନୁହେଁ ବାରମ୍ବାର ସମୟ ଗଡ଼ାଇଚାଲିବ। ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା ଏହି ଅଦାଲତର କାର୍ଯ୍ୟ ବୋଲି ହାଇକୋର୍ଟ କହିଛନ୍ତି । ନଗର ଉନ୍ନୟନ ସଚିବ ଉଷା ପାଢ଼ୀ, ପୌର ନିର୍ଦ୍ଦେଶକ ଗଗନ ବିହାରୀ ସ୍ୱାଇଁ, ଟାଉନ୍ ପ୍ଲାନିଂର ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ର, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ଆଠଗଡ଼ ସ୍ୱତନ୍ତ୍ର ପ୍ଲାନିଂ ଅଥରିଟି ଡ. ପ୍ରଦୀପ କୁମାର ସାହାଙ୍କୁ ପୁଲିସ୍ କମିସନର୍ ହାଜର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋକୁଳାନନ୍ଦ ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ