ଛାଡ଼ପତ୍ର ପାଇଥିବା ଝିଅଙ୍କୁ ମିଳିବ ପରିବାର ପେନସନ୍ : ହାଇକୋର୍ଟ
କଟକ, (ଓ୍ବାଇଏନଏସ): ଛାଡ଼ପତ୍ରପ୍ରାପ୍ତ ପାଇଥିବା ଝିଅଙ୍କୁ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ଉପରେ ନିର୍ଭର କରୁଥିବା ଛାଡ଼ପତ୍ର ପାଇଥିବା ବିବାହିତ ଝିଅ ପରିବାର ପେନସନ ପାଇବେ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । ଛାଡ଼ପତ୍ର ମିଳିବାରେ ବିଳମ୍ୱ କାରଣରୁ ପେନସନଭୋଗୀ ଅଭିଭାବକଙ୍କ ମୃତ୍ୟୁ ପରେ ନିର୍ଭରଶୀଳ ଝିଅକୁ ପରିବାର ପେନସନରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଏଥିସହିତ ବାପା-ମାଙ୍କ ମୃତ୍ୟୁ ପରେ ନିର୍ଭରଶୀଳ ଝିଅକୁ ୮ ସପ୍ତାହ ଭିତରେ ପରିବାର ପେନସନ୍ ମଞ୍ଜୁର କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ପକ୍ଷରୁ ଆବେଦନକାରୀଙ୍କ ପରିବାର ପେନସନ୍ ଦାବିପତ୍ର ଉପରେ ୨୦୨୧ ଅଗଷ୍ଟ ୧୭ରେ ଜାରି କରାଯାଇଥିବା ପ୍ରତ୍ୟାଖ୍ୟାନ ଆଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ଆବେଦନକାରୀଙ୍କୁ ୮ ସପ୍ତାହ ମଧ୍ୟରେ ବକେୟା ପ୍ରାପ୍ୟ ସହିତ ପରିବାର ପେନସନ ପ୍ରଦାନ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ୪ଟି ମାମଲାର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି । ମାମଲାର ବିବରଣୀର ପ୍ରକାଶ ଯେ, ପ୍ରଥମ ମାମଲାରେ ଆବେଦନକାରୀଙ୍କ ବାପା କୃଷି ବିଭାଗରେ ଓଭରସିଅର ଭାବେ କାର୍ଯ୍ୟ କରି ୧୯୯୭ରେ ଅବସର ଗ୍ରହଣ କରିବା ପରେ ପେନସନ ପାଉଥିଲେ । ବାପାଙ୍କ ୨୦୧୧ ଡିସେମ୍ୱର ୩୧ରେ ପରଲୋକ ହେବା ପରେ ଆବେଦନକାରୀଙ୍କ ମା’ ପରିବାର ପେନସନ୍ ପାଇଥିଲେ । ଆବେଦନକାରୀଙ୍କ ମା’ ଙ୍କର ୨୦୧୯. ନ୍ ୯ରେ ପରଲୋକ ହୋଇଥିଲା । ବିବାହ ପରେ ଆବେଦନକାରୀ ଶ୍ୱଶୁର ଘରେ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ୨୦୧୦ରୁ ଆବେଦନକାରୀ ବାପାଙ୍କ ଘରେ ରହି ଆସୁଥିଲେ । ବାପଘର ଉପରେ ସେ ଚଳିବା ପାଇଁ ନିର୍ଭର କରୁଥିଲେ । ୨୦୧୯ରେ ଆବେଦନକାରୀଙ୍କ ବିବାହ ବିଚ୍ଛେଦ ନିର୍ଦ୍ଦେଶ ଅଦାଲତ ପ୍ରଦାନ କରିଥିଲେ । ମାଙ୍କ ମୃତ୍ୟୁ ପରେ ସେ ପରିବାର ପେନସନ୍ ପାଇଁ ଦରଖା ଦାଖଲ କରିଥିଲେ । ତାଙ୍କ ଦରଖାସ୍ତକୁ କର୍ତ୍ତୃପକ୍ଷ ଗ୍ରହଣ କରିବାକୁ ମନା କରିଥିଲେ । ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।


