କାକଟପୁର ଓ ଅସ୍ତରଙ୍ଗ ର ବିଭିନ୍ନ ସ୍ଥାନରେ ଅଗ୍ନିଉତ୍ସବ

କାକଟପୁର/ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ଓଡିଆ ପରମ୍ପରାରେ ଅଗ୍ନି ଉତ୍ସବ ହେଉଛି ଏକ ନିଆରା ପର୍ବ। ଏହି ପର୍ବଟିକୁ ପ୍ରତ୍ୟେକ ଓଡିଆ ମାନେ ନିଜ ନିଜ ଗ୍ରାମରେ,ବସ୍ତିରେ ଏକତ୍ରିତ ହୋଇ ପାଳନ କରିଥାନ୍ତି। ଅଗ୍ନିଙ୍କୁ ଦେବତା ଭାବରେ ଆବାହନ କରି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଅଗ୍ନିକୁ ପ୍ରଜ୍ଵଳନ କରି ଅଗ୍ନି ଉତ୍ସବ ପାଳନ କରାଯାଇଥାଏ। କିନ୍ତୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଗ୍ରାମରେ ପାଳନ କରାଯାଉଥିବା ଅଗ୍ନି ଉତ୍ସବରେ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ । ଆମ ଓଡିଆ ପରମ୍ପରାରେ ବାର ମାସରେ ପାଳନ ହୁଏ ତେର ପର୍ବ। ଓଡିଆ ମାନେ ସେମାନଙ୍କ ବିଶ୍ବାସରେ ଏଠି ପାଣି,ପବନ,ମାଟି,ଅଗ୍ନି,ସୂର୍ଯ୍ଯ,ଚନ୍ଦ୍ରଙ୍କୁ ଦେବତା ଭାବରେ ପୂଜାର୍ଚ୍ଚନା କରିଥାନ୍ତି। ଏଠାରେ ଅଗ୍ନିଙ୍କୁ ଦେବତା ଭାବରେ ଆବାହନ କରାଯାଇ ପୂଜାର୍ଚନା କରାଯାଇଥାଏ। ମାଘ ପୂର୍ଣ୍ଣିମାକୁ ଅଗ୍ନିପୂର୍ଣ୍ଣିମା ବା ଅଗିରା ପୂର୍ଣ୍ଣିମୀ ଭାବରେ ଓଡ଼ିଶାର ପୁର ପଲ୍ଲୀ ରେ ଓଡିଆମାନେ ପାଳନ କରିଥାନ୍ତି। ଏହି ପୂର୍ଣ୍ଣିମା ଦିନ ସନ୍ଧ୍ୟା ସମୟରେ ଗ୍ରାମର ଅଗି ମଣ୍ଡପ ଠାରେ ଗ୍ରାମବାସୀ ମାନେ ନିଜ ନିଜ ଘରୁ ନଡା ,ଛଣ ନେଇ ଏହି ଅଗିମଣ୍ଡପ ଠାରେ ଏକତ୍ର କରି ଅଗି ଗଦା ସ୍ଥାପନ କରିଥାନ୍ତି। ଲୋକମାନେ ହାତରେ ନଡା,ଛଣ ଆଣିବା ସହିତ ସାହାଡା ଗଛର ଡାଳ ଖଣ୍ଡେ ମଧ୍ୟ ଆଣିଥାନ୍ତି। ତା ସହ ଆଳୁ ,ବାଇଗଣ , ନଡିଆ କୁ ମଧ୍ୟ ଲୋକମାନେ ଅଗ୍ନିରେ ପୋଡିବା ପାଇଁ ଆଣିଥାନ୍ତି। ଲୋକମାନେ ଘରୁ ଆଣିଥିବା ନଡା ,ଛଣ ଦ୍ବାରା ଅଗିମଣ୍ଡପ ଠାରେ ଦୁଇଟି ଅଗି ପ୍ରସ୍ତୁତ କରାଯାଇଥାଏ । ସେହି ଅଗିକୁ ପୁରୋହିତଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇ ଅଗ୍ନିଙ୍କୁ ଆବାହନ କରାଯିବା ପରେ ସେଥିରେ ଅଗ୍ନି ସଂଯୋଗ କରାଯାଇ ଅଗ୍ନି ଉତ୍ସବ ପାଳନ କରାଯାଇଥାଏ। କିନ୍ତୁ ଅସ୍ତରଙ୍ଗ ଗ୍ରାମରେ ଏକ ନିଆର ପରମ୍ପରାରେ ଅଗ୍ନି ଉତ୍ସବ ପାଳନ କରାଯାଉଥିବା ଦେଖିବାକୁ ମିଳେ। ଏଠାରେ ସ୍ବତନ୍ତ୍ର ଭାବରେ ଏକ ନିର୍ଦ୍ଧିଷ୍ଟ ଓଝା ପରିବାରଙ୍କ କମାରଶାଳର ସାଅଣ ପଥରରୁ ଅଗ୍ନି ସୃଷ୍ଟି କରାଯାଇ ସେହି ଅଗ୍ନି ଦ୍ବାରା ଅଗ୍ନିଉତ୍ସବ ପାଳନ କରାଯାଇ ସ୍ଥାପନ ହୋଇଥିବା ଅଗି ରେ ଅଗ୍ନି ସଂଯୋଗ କରାଯାଇଥାଏ। ଅସ୍ତରଙ୍ଗ ଗ୍ରାମର ଅଗି ମଣ୍ଡପ ଠାରେ ପାଳନ କରାଯାଉଥିବା ଅଗ୍ନି ଉତ୍ସବରେ ଅସ୍ତରଙ୍ଗ ପଂଚାୟତର ପ୍ରାୟ ସାତ ଗୋଟି ୱାର୍ଡର ଛଅ ଖଣ୍ଡ ଗ୍ରାମର ପ୍ରାୟ ପନ୍ଦର ଶହ ପରିବାର ଏକତ୍ରିତ ହୋଇ ଏହି ଅଗ୍ନି ଉତ୍ସବ ପାଳନ କରିଥାନ୍ତି। ଏହି ଅଗ୍ନି ଉତ୍ସବରେ ଦେଖାଯାଉଥିବା ସ୍ବତନ୍ତ୍ରତା କାହିଁ କେଉଁ ଆବାହନ କାଳରୁ ଚାଲିଆସୁଛି। ଅସ୍ତରଙ୍ଗ ଗ୍ରାମର କେଳୁ ଚରଣ ଓଝା ଙ୍କ ପରିବାର ତାଙ୍କର ପିଢି ପରେ ପିଢି ଅନୁଯାୟୀ ତାଙ୍କ ଜେଜେ ,ବାପା ଅମଳରୁ ଅଗିଦେହରେ ଅଗ୍ନି ସଂଯୋଗ ପାଇଁ ପାରମ୍ପରିକ ଭାବେ ତାଙ୍କ କମାରଶାଳ ର ଶାଣପଥର ରୁ ଅଗ୍ନି ସୃଷ୍ଟି କରି ଯୋଗାଇ ଦେଉଛନ୍ତି। ପରମ୍ପରା ଅନୁଯାୟୀ କେଳୁ ଓଝାଙ୍କ ଘର ନିକଟକୁ ଗ୍ରାମବାସୀ ମାନେ ଢୋଲ ,ମହୁରି ଘଣ୍ଟ ଘଣ୍ଟା ବଜାଇ ଅଗ୍ନୀଙ୍କୁ ପାଛୋଟି ନେବାପାଇଁ ଆସିଥାନ୍ତି। ଏହାପରେ ଓଝା ପରିବାରର ମୁଖ୍ୟ କେଳୁ ଓଝା ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଏକ ନଡା ରେ ପ୍ରସ୍ତୁତ ପାଳଅଟେଇରେ କତା ଏବଂ ଝୁଣା ଦେଇ ଶାଳ ପଥର ରୁ ଏକ ଲୁହାଖଣ୍ଡ ଲଗାଇ ସେଥିରୁ ଅଗ୍ନି ପ୍ରସ୍ତୁତ କରିଥାନ୍ତି। ସେହି ଅଗ୍ନି ଅଟେଇକୁ ଢୋଲ ମହୁରି ସହ ଘଣ୍ଟ ଘଣ୍ଟା ବାଦ୍ୟରେ ବଜା ବଜାଇ ଓଝା ପରିବାରର ମୁଖ୍ୟଙ୍କୁ ଅଗିମଣ୍ଡପ କୁ ପାଛୋଟି ନେଇଥାନ୍ତି। ସେଠାରେ ପହଞ୍ଚିଲା ପରେ ପୁରୋହିତଙ୍କ ଦ୍ବାରା ଅଗି ଗଦାକୁ ପୂଜାର୍ଚନା କରାଯାଇଥାଏ ଏବଂ ସେହି ଅଗ୍ନିକୁ ଅଗିଗଦାର ଚାରିପାଖେ ପ୍ରଦକ୍ଷଣ କରାଯାଇ ସେଠାରେ ଅଗ୍ନି ସଂଯୋଗ କରାଯାଇଥାଏ।ଏହିଭଳି ଭାବରେ ଏକ ସ୍ବତନ୍ତ୍ର ପରମ୍ପରାରେ ଅସ୍ତରଙ୍ଗ ଠାରେ ଅଗ୍ନି ଉତ୍ସବ ପାଳନ କରାଯାଇଥାଏ ।ଅଗ୍ନି ପ୍ରଜ୍ବଳନ ହେବାପରେ ସେହି ଅଗିର ନିଆଁ ରେ ଲୋକମାନେ ଆଣିଥିବା ସାହାଡା ଡାଳକୁ ପୋଡି ଘରକୁ ନେଇ ଚାଳରେ ରଖିଥାନ୍ତି। ସେହିପରି ଲୋକମାନେ ଘରୁ ଆଣିଥିବା ଆଳୁ,ବାଇଗଣ ,ନଡିଆ କୁ ଏହି ଅଗିର ଅଗ୍ନିରେ ପୋଡି ତାହାକୁ ଘରକୁ ନେଇ ଥାନ୍ତି। ଅନ୍ୟପଟେ ବିଶ୍ବାସ ରହିଛି ଏହି ଅଗି ପୋଡା ପରିବା ଏବଂ ନଡିଆ ଖାଇଲେ ଦେହରେ ଚର୍ମରୋଗ ହୁଏ ନାହିଁ । ଓଡ଼ିଶାର ଅନେକ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରାରେ ଅଗ୍ନି ଉତ୍ସବ ପାଳନ କରାଯାଉଥିବା ବେଳେ ଅସ୍ତରଙ୍ଗ ଗ୍ରାମର ଅଗ୍ନି ଉତ୍ସବ ସତରେ ବେଶ ନିଆରା।ଅସ୍ତରଙ୍ଗ ଓ କାକଟପୁର ବ୍ଲକର ବିଭିନ୍ନ ପଂଚାୟତ ରେ ଅଗ୍ନିଉତ୍ସବ ଅନୁଷ୍ଠିତ ହୋଇଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ