ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ପାଇଁ ସ୍ମାରକପତ୍ର ପ୍ରଦାନ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ପ୍ରତିନିଧି ବୃନ୍ଦ ବ୍ରହ୍ମପୁର ଜିଲ୍ଲା ଜଜଙ୍କ ଚ୍ଯାମ୍ବରରେ ହାଇକୋର୍ଟ ବିଚାରପତି ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ସାକ୍ଷାତ କରି ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଅଭିନନ୍ଦନ ଜଣାଇବା ସହ ଦିଗପହଣ୍ଡିରେ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ଖୋଲିବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦୀର୍ଘ ଦିନ ହେଲା ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ଫୌଜଦାରୀ ମକଦ୍ଦମା ଗୁଡ଼ିକ ବ୍ରହ୍ମପୁର ଜିଲ୍ଲା ଜଜଙ୍କ କୋର୍ଟରେ ପରିଚାଳିତ ହୋଇ ଆସୁଥିବା ବେଳେ ଦିଗପହଣ୍ଡି ଠାରେ ସବଜଜ୍ କୋର୍ଟ ଖୋଲିବା ପରେ ଓକିଲ ଏବଂ ମହକିଲଙ୍କ ଅସୁବିଧା ଦୂର ହେବାର ଆଶା କରାଯାଉଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ଭାବେ ପ୍ରଚଳିତ ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ସବଜଜଙ୍କ ଠାରୁ ପୂର୍ବରୁ ରହିଥିବା ସହକାରୀ ଦୌରା ଜଜ୍ କ୍ଷମତା ପ୍ରତ୍ୟାହାର କରି ନେଇଥିବା କାରଣରୁ ବିଭିନ୍ନ ଫୌଜଦାରୀ ମାମଲା ଗୁଡିକର ପରିଚାଳନା ସମୟରେ ଲୋକଙ୍କୁ ପୂର୍ବଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ଓକିଲ ସଂଘ ପକ୍ଷରୁ ବିଚାରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ଦିଗପହଣ୍ଡି ଠାରେ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ଖୋଲିବା ପାଇଁ ଅନୁରୋଧ କରାଯାଇଛି। ଏହି ସାକ୍ଷାତ ଆଲୋଚନା ସମୟରେ ଗଞ୍ଜାମ ଜିଲ୍ଲା ଜଜ୍ ଅଶାନ୍ତ କୁମାର ଦାସଙ୍କ ସମେତ ଖେମୁଣ୍ଡି ଓକିଲ ସଂଘର ସଭାପତି ହୃଦୟ ରଞ୍ଜନ ମେକାପ, ପୂର୍ବତନ ସଭାପତି ରସାନନ୍ଦ ରାଉତ, ପରେଶ ଚନ୍ଦ୍ର ରଥ, ଏ. ସୋମେଶ୍ୱର ରାଓ, ହରପ୍ରସାଦ ରଥ, ସମ୍ପାଦକ ପ୍ରଦୀପ କୁମାର ନାୟକ, ଉପସଭାପତି ସନ୍ତୋଷ କୁମାର ସାହୁ, କୋଷାଧ୍ୟକ୍ଷ ସିମାଞ୍ଚଳ ପ୍ରଧାନ,ଏପିପି ବିଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ