ଅଭାବି ଧାନ ବିକ୍ରୀ : କେନ୍ଦ୍ରାଞ୍ଚଳ ଆର୍.ଡି.ସିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ସ୍ମାରକପତ୍ର

କଟକ, (ଓ୍ବାଇଏନଏସ) : ଚଳିତ ବର୍ଷ ଧାନ କିଣା ପାଇଁ ରାଜ୍ଯ ସରକାରଙ୍କ ସହଯୋଗ ରାଶି ସମେତ ନ୍ୟୁନତମ ମୂଲ୍ଯ ୩୧୬୯ ଟଙ୍କା ସ୍ଥିର ହୋଇଛି କିନ୍ତୁ ରାଜ୍ଯର କୌଣସି ସ୍ଥାନରେ ମିଲରଙ୍କ ଦଲାଲ ବ୍ୟତୀତ କେହି ଚାଷୀ ଏ ରାଶି ପାଉନାହାଁନ୍ତି। ଅର୍ଥାତ୍ ମଣ୍ଡିରେ ଚାଷୀ ଧନ ନ ବିକି ଏକ ହଜାରରୁ ଅଧିକ କୁଇଣ୍ଟାଲ ପିଛା କମ ଦରରେ ଘରୋଇ ଭାବେ ସ୍ଥାନୀୟ ମିଲର ଦଲାଲକୁ ବିକିବା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ମିଲରଙ୍କ ଚକ୍ରାନ୍ତ ସଫଳ ହୋଇଛି। ଶାସନ ବ୍ୟବସ୍ଥାରେ ମିଲର ତଥା ଧାନ ଚୋରା ବେପାରୀଙ୍କ ଲବି କେତେ ଶକ୍ତିଶାଳୀ ତାହା ସ୍ପଷ୍ଟ ହୋଇଯାଇଛି। ଧାନ ଅମଳବେଳେ ମଣ୍ଡି ନ ଖୋଲିବା, ତା’ ପୂର୍ବରୁ ମିଲ୍ ବନ୍ଦ କରି ବ୍ଲାକମେଲ୍ କରିବା, ଧାନ ଗ୍ରହଣ କରାଇ ଓ ଉଚିତ ମୂଲ୍ଯ ଏକ ସମୟରେ ନ ଦେବା, କଟନୀ-ଛଟନୀ ବାହାନାରେ ଚାଷୀକୁ ହତାଶ ଓ ନିର୍ଯ୍ୟାତିତ କରିବା, ଯୋଜନାବଦ୍ଧ ଚକ୍ରର ପ୍ରକ୍ରିୟା ଫଳରେ ଚାଷୀ ନାଁରେ ମିଲର ମାଲାମାଲ ହେଉଛି। ଏହାକୁ ପ୍ରତିବାଦ କରି ଚାଷୀ ଓ ଚାଷ ବଞ୍ଚାଅ ଅଭିଯାନ ପକ୍ଷରୁ କେନ୍ଦ୍ରାଞ୍ଚଳ ଆର୍.ଡି.ସିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୬ ଦଫା ସମ୍ବଳିତ ଏକ ସ୍ମାରକପତ୍ର ଦିଆଯାଇଛି। ଭାରତୀୟ ଖାଦ୍ୟନିଗମ (ଏଫ୍ ସି ଆଇ) ଚାଷୀଙ୍କ ଠାରୁ ଧାର୍ଯ୍ୟ ନ୍ୟୁନତମ ସହାୟକ ମୂଲ୍ୟରେ ସିଧା ସଳଖ ଧାନ କିଣୁ ଓ ଭିତ୍ତିଭୂମି ତଥା ଆନୁସଙ୍ଗିକ ଆବଶ୍ଯକତା ରାଜ୍ଯ ସରକାର ଯୋଗାଇ ଦେବା, ପ୍ରତି ପଞ୍ଚାୟତରେ ସୁରକ୍ଷିତ ମଣ୍ଡି ଖୋଲିବା, ଫସଲର ଅଭାବି ବିକ୍ରୀ ରୋକିବାକୁ ଅମଳ ପୂର୍ବରୁ ମଣ୍ଡି ଖୋଲିବା, ଚାଷୀକୁ ଯଥା ସମୟରେ ଟୋକନ ଦେବା ସହ ନାମମାତ୍ର ଚାଷୀ ଓ ଭାଗଚାଷୀଙ୍କୁ ପ୍ରାଥମିକତା ଦେବା ଓ ଚାଷୀଙ୍କ ଠାରୁ ଫସଲ ସଂଗ୍ରହ ଓ ବିତରଣ କେବଳ ସରକାର ନିୟନ୍ତ୍ରଣ କରିବା ପ୍ରମୁଖ ଦାବି କରାଯାଇଛି। ଏହି ପ୍ରତିନିଧି ଦଳରେ ଚାଷୀ ଓ ଚାଷ ବଞ୍ଚାଅ ଅଭିଯାନ ପକ୍ଷରୁ ଯୁଗଳ କିଶୋର ନାୟକ, ଚିତ୍ତରଞ୍ଜନ ମହାନ୍ତି, ପ୍ରଶାନ୍ତ ଦାସ, ଖଗେଶ୍ୱର ସେଠୀ, କ୍ଷିରୋଦ ମହାପାତ୍ର, ରାଜକିଶୋର ମଲ୍ଲିକ, ସୁକାନ୍ତ ନାୟକ, ଅରବିନ୍ଦ ମଲ୍ଲିକ, ଅକ୍ଷୟ ରାଉଳ, ବବି ବଳବନ୍ତରାୟ, ଶରତ କୁମାର କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ