ଜିଲ୍ଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମୁନୀଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଉପଖଣ୍ଡ ପୋଲିସ ଅଧିକାରୀ ମାଧବ ନନ୍ଦ ନାୟକ, ଆଇନ ସେବା ପ୍ରାଧିକରଣ ସଭାପତି ବିମଳ ରାଉଳ, ମାନସିକ ସ୍ଵାସ୍ଥ୍ୟ ବିଶେଷଜ୍ଞ ପ୍ରାଣ ରଞ୍ଜନ ନାୟକ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ଦେବୀ, ଆଇନ ଯିବି ପ୍ରମୋଦ ରାଉଳ ପ୍ରମୁଖ ମଞ୍ଚାସିନ ରହି ଗୁଣିଗାରେଡ଼ି ଏବଂ ଡାହାଣୀ ପ୍ରଥାକୁ ସଚେତନତା କରି ଅନ୍ଧ ବିଶ୍ବାସ ଦୁରକିବାକୁ ଅବଗତ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅତିଥି ଗଣ ସଚେତନତା ବାର୍ତ୍ତା ମାଧ୍ୟମରେ କହିଥିଲେ ଯେ ପ୍ରାଚୀନ ଯୁଗରେ ଗୁଣିଗାରେଡ଼ି, ଯାଦୁବିଦ୍ୟା, ତନ୍ତ୍ରସାଧନ, ଝଡ଼ାଫୁଙ୍କା ଆଦି ଅନ୍ଧବିଶ୍ୱାସ ଉପରେ ଲୋକମାନେ ଅଧିକ ବିଶ୍ୱାସ କରୁଥିଲେ। ଏବେ ବିଜ୍ଞାନର ଅଗ୍ରଗତି ପରେ ମଧ୍ୟ କେତେ ଲୋକଙ୍କ ମନରୁ ଏହି ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ। ଫଳରେ ଏହାକୁ ନେଇ ବିଭିନ୍ନ ପ୍ରକାର ଅପରାଧ ବୃଦ୍ଧି ପାଉଛି। ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସ ଯୋଗୁ ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି, ଯାହା ଚିନ୍ତାର ବିଷୟ ହୋଇଛି। ପୂର୍ବରୁ ଉପାନ୍ତ ଅଞ୍ଚଳରେ ଏଭଳି ଘଟଣା ନଜରକୁ ଆସୁଥିଲା। ହେଲେ ଏବେ ଅନ୍ୟ ଜିଲ୍ଲାଗୁଡ଼ିକ ଅପେକ୍ଷା ଆମ ଜିଲ୍ଲାରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳୁଛି। କେତେବେଳେ ତନ୍ତ୍ର ସାଧନ ପାଇଁ ନିରୀହ ଶିଶୁଙ୍କୁ ବଳି ଚଢ଼ାଯାଉଛି ତ ଆଉ କେତେବେଳେ ତନ୍ତ୍ର ସାଧନ କରୁଥିବା ବ୍ୟକ୍ତିଙ୍କୁ ଗୁଣିଆ କହି ହତ୍ୟା କରାଯାଉଛି। ଗୁଣିଗାରେଡ଼ି ଯୋଗୁ ଏଭଳି ହିଂସାକାଣ୍ଡ ଘଟୁଥିବାରୁ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରୁଛି।


