ମଙ୍ଗରାଜପୁର ଫରେଷ୍ଟରଙ୍କ ଅଞ୍ଚଳରେ ହାତୀଙ୍କ ଉପଦ୍ରବ

କଟକ, (ଓ୍ବାଇଏନଏସ): କଟକ ଡାଳିଯୋଡା ରେଞ୍ଜ୍ ତଥା ମଙ୍ଗରାଜପୁର୍ ଫରେଷ୍ଟରଙ୍କ ଅଞ୍ଚଳ ଅଧିନ ମହିସାଲଣ୍ଡା, ମାଛପଙ୍ଗି, ଗହଣ୍ଡା, ଦୁଧିଆନାଳୀ, ଆମ୍ବିଳୀଝରି, ରାମଚନ୍ଦ୍ରପୁର, ବେରେଣା, କୋଚିଲାନୂଆଗାଁ, ମଙ୍ଗରାଜପୁର୍, ରଘୁନାଥପ୍ରସାଦ, ଶଙ୍କରପୁର, କାଂଜିଆ, କମଙ୍ଗ, ବ୍ରହ୍ମପୁର, ଆଦି ଗ୍ରାମର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ସନ୍ଧ୍ୟା ହେଲେ ରାସ୍ତା ପଡିଯାଉଛି। ହାତୀଙ୍କ ଉପଦ୍ରବରେ ଏବେ ଅଞ୍ଚଳ ବାସୀ ଅତିଷ୍ଠ । ଦିନେ ଅଧେ ନୁହେଁ ପ୍ରତିଦିନ ସଞ୍ଜ ନଇଁଲେ ଗାଁ ଦାଣ୍ଡରେ ବୁଲୁଛନ୍ତି ହାତୀ । ଚାଷୀଙ୍କ ରବି ଫସଲ ଉଜାଡୁ ଥିବା ବେଳେ ଖଳାରେ, ବାରଣ୍ଡାରେ, ଅମଳ କରି ରଖିଥିବା ଧାନକୁ ଖାଇବା ସହ ନଷ୍ଟ କରି ଦେଉଛନ୍ତି । ହାତୀଙ୍କୁ ଆକଟ କରିବା ବା ଘଉଡାଇବା ଦିଗରେ ଫରେଷ୍ଟର ଆଦୌ ଧ୍ୟାନ ଦେଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ । ବର୍ଷ ତମାମ ଅଳ୍ପ ବହୁତ ସମସ୍ୟା ଲାଗି ରହୁଥିବା ବେଳେ ଚାରି ମାସରୁ ଅଧିକ ସମୟ ହେବ ହାତୀଙ୍କ ଉତ୍ପାତ ଚରମ ସୀମାରେ ପହଞ୍ଚିଛି । ନଭେମ୍ବର ମାସରେ ଗହଣ୍ଡା ଗ୍ରାମର ଜଣେ ଦିବ୍ୟାଙ୍ଗ ଯୁବକକୁ ହାତୀ ମାରିବା ପରେ ଏପରି ପରିସ୍ଥିତି ଲାଗି ରହିଛି । ଏପରିକି ଗାଁ ମୁଣ୍ଡରେ ଥିବା କାଜୁ ଜଙ୍ଗଲ ମଧ୍ୟରେ ହାତୀ ପଲ ଏବେ ଡେରା ପକାଇ ରହୁଛନ୍ତି । ଫଳରେ ଛେଳି କିମ୍ବା ଗାଈ ଚରାଇବା ପାଇଁ ଜଗୁଆଳି ମାନେ ଯିବା ପାଇଁ ଡରୁଛନ୍ତି । ଏପରିକି ସଞ୍ଜ ହେଲା ମାତ୍ରେ ଏକ କାଳୀନ ଦୁଇ ତିନୋଟି ପଞ୍ଚାୟତରେ ବାହାରୁଛନ୍ତି ହାତୀ ପଲ । ଏହି ଅଞ୍ଚଳ ଗୁଡିକ କୃଷି ପ୍ରଧାନ ଅଞ୍ଚଳ। ଏହି ସମୟରେ ଉଷୁନା ଚାଉଳ ପାଇଁ ପରିବାରର ମହିଳା ମାନେ ଧାନ ବସାଇ ଥାନ୍ତି । ଭୟରେ କେହି ଧାନ ଉଁସାଇ କରି ପାରୁ ନାହାନ୍ତି । ଚଳିତ ବର୍ଷ ହାତୀଙ୍କ ଉତ୍ପାତ ଚରମ ସୀମାରେ ପହଞ୍ଚିଛି। ଏପରି ପରିସ୍ଥିତି ପାଇଁ ସ୍ଥାନୀୟ ମଙ୍ଗରାଜପୁର୍ କାର୍ଯ୍ୟାଳୟରେ ନିଯୁକ୍ତ ଜନୈକ ମହିଳା ଫରେଷ୍ଟରଙ୍କ ଅପାରଗତା ବୋଲି ଚର୍ଚ୍ଚା ବିଷୟ ପାଲଟିଛି । ହାତୀଙ୍କ ଗତି ବିଧି ଉପରେ ଛକ ବଜାର ସବୁଠି ଚର୍ଚ୍ଚା । କଟକ ବନଖଣ୍ଡ ଅଧିକାରୀ ଏହି ଅପାରଗ ଅଧିକାରୀଙ୍କ ସ୍ଥାନରେ ଜଣେ ଦକ୍ଷ ଅଧିକାରୀଙ୍କୁ ନିଯୁକ୍ତି ଦେଇ ସମସ୍ୟାରୁ ମୁକ୍ତି ଦେବାପାଇଁ ସାଧାରଣରେ ଦାବୀ ହେଉଛି । ଅଧିକ ଦିନ ଏପରି ଲାଗି ରହିଲେ କଟକ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟଳୟ ଆଗରେ ଧାରଣା ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ