ହନୁମାନଙ୍କ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବଞ୍ଚୋ ଗ୍ରାମରେ ଶ୍ରୀରାମ କମିଟି ପକ୍ଷରୁ ହନୁମାନଜୀଙ୍କ ବାର୍ଷିକ ଉତ୍ସବ ସହ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଆଜି ମନ୍ଦିର ପରିସରରେ ପୂଜାର୍ଚ୍ଚନା ଓ ପ୍ରସାଦ ବିତରଣ ହୋଇଥିବାବେଳେ ଏହି କାର୍ଯ୍ୟକ୍ରମରେ ଅନେକ ଶ୍ରଦ୍ଧାଳୁ ଓ ଅତିଥିମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ରାଜ୍ୟ କୃଷକ ମୋର୍ଚ୍ଚା ପୂର୍ବତନ ସଭାପତି ମହେଶ୍ୱର ସାହୁ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହି ଯୁବ ପିଢ଼ୀଙ୍କୁ ସଂସ୍କୃତି ଓ ଶିକ୍ଷାରେ ଆଗୁଆ କରିବାକୁ ପ୍ରେରଣା ଦେଇଥିଲେ। ବିଶେଷ ଅତିଥି ଡା. ଜୟନ୍ତ କୁମାର ଦାଶ ସମାଜ ସେବା ଓ ଶିକ୍ଷାର ଗୁରୁତ୍ୱ ବିଷୟରେ ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ହାଟଡ଼ିହି ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ରତିକାନ୍ତ ରାଉତ ଏବଂ ସେଣ୍ଟ ଜାଭିୟର ହାଇସ୍କୁଲ୍ ଚଣ୍ଡୀ ବିରଞ୍ଚିପୁର ର ପ୍ରତିଷ୍ଠାତା ଇଂ. ଉଦୟନାଥ କର ଯୋଗଦେଇ ନିଜର ଓଡ଼ିଶାର ପରମ୍ପରା ଓ ସଂସ୍କୃତି ଅନ୍ୟ ରାଜ୍ୟ ଠାରୁ ଭିନ୍ନ ବୋଲି କହିଥିଲେ। ଏଣୁ ଏହାକୁ ବଜାୟ ରଖିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ମତ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିଲା। ଶିକ୍ଷାବିତ ସୁଧାଂଶୁ ରାଉତ ମଞ୍ଚ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମରେ ଗ୍ରାମବାସୀ, ଯୁବ ସମାଜ ଓ ଶ୍ରୀରାମ କମିଟିର ସଦସ୍ୟ ମାର୍କଣ୍ଡ ଓଝା, ପ୍ରଦୀପ ବିଶ୍ୱାଳ, ଜ୍ୟୋତି ରଞ୍ଜନ ବରାଳ, ବିଶ୍ୱଜିତ ବରାଳ, ବନମାଳୀ ପଟ୍ଟନାୟକ, ସୁନୀଲ ନାୟକ, ବିନୋଦ ବରାଳ, ସଂଜିତ ନାୟକ, ବିଶ୍ୱନାଥ ବରାଳ ଏବଂ ସକ୍ରିୟ ସହଯୋଗ କରିଥିଲେ।


