ହାଟଡିହି(ଓ୍ବାଇଏନଏସ): ହାଟଡିହି ବ୍ଲକ ବଞ୍ଚୋ ନାଇକ ସାହିରେ ଜଣ୍ଡିସି ବ୍ୟାପିବାରେ ଲାଗିଛି। ଗତକାଲି ଜଣେ ଶିଶୁର ଜଣ୍ଡିସି ରୋଗରେ ମୃତ୍ୟୁ ଘଟିଥିବା ବେଳେ ଅନେକ ଆକ୍ରାନ୍ତ ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ଖବର ପ୍ରକାଶ ପାଇବା ପରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ର ଅଧିକାରୀ ମାନେ ଗାଁ ରେ ପହଞ୍ଚିଛନ୍ତି। ବଞ୍ଚୋ ନାଇକ ସାହିରେ ୩୦ ରୁ ଉର୍ଦ୍ଧ୍ଵ ପରିବାର ବସବାସ କରୁଥିବା ବେଳେ ସେମାନଙ୍କ ପାଇଁ ୩ଟି ନଳକୂପ ଅଛି। ମାତ୍ର ଗତ କିଛିଦିନ ହେଲା ନଳକୂପର ପାଣି ଦୂକ୍ଷିତ ହୋଇଯାଇ ଥିବାରୁ ଲୋକେ ବିଭିନ୍ନ ରୋଗରେ ପିଡିତ ହେଉଛନ୍ତି। ଏହି ସାହିର ୱାର୍ଡସଭ୍ୟ ମାଗୁଣି ନାଇକଙ୍କ ୯ ବର୍ଷର ପୁଅ ଅନିଲ ଧନଞ୍ଜୟ ନାଇକ ଲିଭର ଜଣ୍ଡିସି ରୋଗରେ ୨୨ଦିନ ହେଲା ପୀଡିତ ଥାଇ ଚିକିତ୍ସିତ ହେଉଥିବା ବେଳେ ଗତକାଲି ତାକୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାର ମୃତ୍ୟୁ ଘଟିଥିଲା। ଗାଁରେ ଥିବା ନଳକୂପର ପାଣି ଦୂଷିତ ଯୋଗୁଁ ଅନେକ ଶିଶୁ ଜଣ୍ଡିସିରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ଗତକାଲି ରାଜସ୍ବ ନିରୀକ୍ଷକ ଦୀପ୍ତିମୟୀ ସାହୁ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ଆଜି ଆଜି ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ମାନସ ରଞ୍ଜନ ପରିଡା, କନିଷ୍ଠ ଯନ୍ତ୍ରୀ ନିଲ କମଲ ରାଉତ, ଗୋପାଳ ଚନ୍ଦ୍ର ବେହେରା ପ୍ରମୁଖ ଗ୍ରାମରେ ପହଞ୍ଚି ସମସ୍ତ ନଳକୂପ ଗୁଡିକୁ ସିଲ କରିବା ସହ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ଗ୍ରାମକୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇବାର ବ୍ୟବସ୍ଥା କରିଛନ୍ତି। ତୁରନ୍ତ ଡାକ୍ତରୀ ଦଳ ଗାଁ କୁ ପଠାଇ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି।