ଏପ୍ରିଲ ୨ ରେ ୧୩୫ଟି ସରକାରୀ ବିଦ୍ୟାଳୟରେ ହେବ ପ୍ରବେଶ ଉତ୍ସବ
ଆସିକା (ୱାଇଏନ୍ଏସ୍): ଜାତୀୟ ଶିକ୍ଷାନୀତି (ଏନ୍ଇପି)-୨୦୨୦ ଅନୁଯାୟୀ ଶିଶୁବାଟିକା ଶ୍ରେଣୀରେ ନାମ ଲେଖାଇବା ଓ ପିଲାଙ୍କୁ ବିଦ୍ୟାଳୟ ଅଭିମୁଖେ ଆସିବା ଲାଗି ଆକୃଷ୍ଟ କରିବା ସକାଶେ ଆସନ୍ତା ଏପ୍ରିଲ ମାସ ୨ ତାରିଖରେ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଆରମ୍ଭ ହେବ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଏବଂ ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ଆସନ୍ତା ଏପ୍ରିଲ ମାସ ୨ ତାରିଖରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ହରିଡାପଦର, ନିମିନା, କେନ୍ଦୁପଦର, ବାଲିସିରା, ଆସିକା ଏନ୍ଏସି, ଖାରିଆ, ବାବନପୁର, ଗଙ୍ଗାପୁର, କେ.ନୁଆଁପଲ୍ଲୀ, ବଡଖୋଲି, ଭେଟନଇ, ନଳବଣ୍ଟା, କାଳଷଣ୍ଢପୁୁର କ୍ଳଷ୍ଟର ଅଧୀନସ୍ଥ ୧୩୫ଟି ସରକାରୀ ବିଦ୍ୟାଳୟରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ପାଇଁ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଦିବସ ପାଳନ କାର୍ଯ୍ୟକ୍ରମ ଯେପରି ଶତପ୍ରତିଶତ ସଫଳତାର ସହ କାର୍ଯ୍ୟକାରୀ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଶିବରାମ ବେହେରା ଏବଂ ଭଂଜ ବେହେରାଙ୍କ ମାର୍ଗଦର୍ଶନ ସାଙ୍ଗକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାଧାମୋହନ ଡାକୁଆ, ଶିଶିରକାନ୍ତ ବେହେରା, ରଂଜିତା ପାତ୍ର, ଟୁଲୁ ସେଠୀ, ନାରାୟଣ ସାହୁଙ୍କ ସମେତ ସମସ୍ତ ସିଆର୍ସିସି, ସରକାରୀ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଓ ଶିକ୍ଷକମାନଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ୨୦୨୬-୨୭ ଶିକ୍ଷାବର୍ଷ ସକାଶେ ନାମଲେଖା ପୂର୍ବରୁ ଏହି କାର୍ଯ୍ୟକ୍ରମକୁ ପ୍ରଚାର ଓ ପ୍ରସାର ପାଇଁ ଆସିକାରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିବା ଜଣାପଡିଛି । ଆସନ୍ତା ଏପ୍ରିଲ ମାସ ୨ ତାରିଖରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩୫ଟି ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଅଭିଭାବକ, ନିର୍ବାଚିତ ଜନପ୍ରତିନିଧି, ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ରହିଛି । ଶିଶୁବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ପିଲାଙ୍କ ପରିବାରବର୍ଗଙ୍କୁ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ ମଧ୍ୟ କରାଯିବ ଏବଂ ସମସ୍ତ ଅଞ୍ଚଳରେ ଏହି ଅବସରରେ ଶିକ୍ଷା ସଚେତନତା ରଥ ବୁଲିବ ବୋଲି ଜଣାପଡିଛି । ବିଦ୍ୟାଳୟ ବାହାରେ ଥିବା ବା ବିଦ୍ୟାଳୟ ଛାଡିଦେଇଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ବିଦ୍ୟାଳୟକୁ ଫେରାଇ ଆଣିବା ଲାଗି ଶିକ୍ଷାବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ଦେଖିବାକୁ ମିଳୁଛି । ଆସନ୍ତା ୨୦୨୬-୨୭ ଶିକ୍ଷାବର୍ଷ ସକାଶେ ଏପ୍ରିଲ ମାସ ୨ ତାରିଖରୁ ଏପ୍ରିଲ ମାସ ୫ ତାରିଖ ମଧ୍ୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉତ୍ସବ ପାଳନ କରାଯିବ । ଆସନ୍ତା ସେପ୍ଟେମ୍ବର ମାସ ୧ ତାରିଖ ପର୍ଯ୍ୟନ୍ତ ଯେଉଁ ଶିଶୁମାନେ ୫ ରୁ ୬ ବର୍ଷ ମଧ୍ୟରେ ହୋଇଥିବେ ସେମାନେ ଶିଶୁବାଟିକାରେ ନାମ ଲେଖାଇବେ ଏବଂ ଯେଉଁ ଶିଶୁମାନଙ୍କୁ ୬ ବର୍ଷ ହୋଇଥିବ ସେମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ବୋଲି ଜଣାପଡିଛି ଶିଶୁବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀମାନେ ଯେପରି ନିୟମିତ ଭାବେ ବିଦ୍ୟାଳୟକୁ ଆସିବେ ଓ ଶ୍ରେଣୀଗୃହରେ ସକ୍ରିୟ ଅଂଶଗ୍ରହଣ କରି ଉତ୍ସାହିତ ହେବେ ସେଥିପାଇଁ ଆସିକା ଶିକ୍ଷାବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିବା ଜଣାପଡିଛି ।


