ନାବାଳିକା ଦୁଷ୍କର୍ମ ମାମଲା, ଆସାମୀକୁ ୨୦ବର୍ଷ ଜେଲଦଣ୍ଡ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ): ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ ଆସାମୀ ପିତାମ୍ବର ମଳିକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜେଲ ଦଣ୍ଡ ସହ ଆସାମୀକୁ ୫୦ ହଜାର ଟଙ୍କାର ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଅର୍ଥ ଅନାଦେୟ ଅଭିଯୁକ୍ତ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେବ ବୋଲି ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ, ୨୦୨୪ ମସିହା ଜାନୁୟାରୀ ୨୯ ତାରିଖରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ଜଣେ ନାବାଳିକା ଘର ନିକଟରେ ବାସନ ମାଜୁଥିବା ବେଳେ ପିତାମ୍ବର ମଳିକ ନାବାଳିକାଙ୍କ ମୁହଁରେ ଏକ ଗାମୁଛା ଦେଇ ତାଙ୍କୁ ଅପହରଣ କରି ନେଇଥିଲେ। ଏକ ବାଉଁଶ ବୁଦା ମୂଳରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ନାବାଳିକା ଜଣକ ଏ କଥା କାହାକୁ କହିଲେ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଜୀବନରୁ ମାରିଦେବ ବୋଲି ଅଭିଯୁକ୍ତ ଧମକ ଦେଇଥିଲା। ଫଳରେ ନାବାଳିକା ଜଣକ ଭୟରେ କାହାକୁ ଏ କଥା କହି ନଥିଲେ। ହେଲେ କିଛି ଦିନ ପରେ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ହେବା ଦେଖି ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ଫଳରେ ପରିବାର ଲୋକେ ନାବାଳିକାକୁ ଡାକ୍ତରଖାନା ନେଇ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତରଖାନାରେ ପରୀକ୍ଷାରୁ ଜଣାପଡିଥିଲା ଯେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଛନ୍ତି। ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ୨୦୨୫ ମସିହା ଏପ୍ରିଲ ୩୦ ତାରିଖରେ ପୋଲିସ ଅଭିଯୋଗଫର୍ଦ୍ଦ କୋର୍ଟରେ ଦାଖଲ କରିବା ପରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ପୋକସୋ କୋର୍ଟର ଅତିରିକ୍ତ ଜିଲ୍ଲାଜଜ ପ୍ରଜ୍ଞା ପରମିତା ରାଉଳ ଆସାମୀ ବିରୋଧରେ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସେହିପରି ନାବାଳିକାଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜଜ୍ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ନେହେରୁ କୁମାର ସାହୁ କୋର୍ଟରେ ମାମଲା ପରିଚାଳନା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ