ମୁନିଗୁଡାରେ ତିନି ଘର ଉପରକୁ ମାଡ଼ିଗଲା ଟେଙ୍କର: ଅଳ୍ପକେ ବର୍ତ୍ତିଲେ ତିନି ପରିବାର
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲସ୍ଥିତ କନିକା ପରମେଶ୍ଵରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଭାରସାମ୍ୟ ହରାଇ ଏକ ବକ୍ସାଇଟ ବୋଝେଇ ଟେଙ୍କର ତିନୋଟି ଘର ଉପରେ ଓଲଟି ପଡ଼ିଥିବା ଦେଖାଯାଇଥିଲା। ଏହି ଆଲୁମିନା ବୋଝେଇ ଟେଙ୍କର (ୟୁପି-୬୪-ସିଟି-୫୨୯୨) ବିଶାଖାପାଟଣା ଠାରୁ ଝାରସୁଗୁଡା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ସେହି ସମୟରେ ଟେଙ୍କରଟି କିଭଳି ଓ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା କେହି ଜାଣି ନଥିବା ବେଳେ ଭୋର ସମୟ ହୋଇଥିବାରୁ ଡ୍ରାଇଭର ନିଦରେ ଆଖି ଲାଗିଯାଇଥିବା ହେତୁ ସେହି ସ୍ଥାନରେ ଅଳ୍ପ ବୁଲାଣି ଥିବାରୁ ଭାରସାମ୍ୟ ହରାଇ ଥିବା ନେଇ ଅନୁମାନ କରାଯାଉଛି। ତେବେ ଏହି ଦୁର୍ଘଟଣାରେ ତିନୋଟି ପରିବାରର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସେଠାରେ ବସବାସ କରୁଥିବା ପୀତବାସ ବଛା, ପଞ୍ଚୁମତି ଦାସ ଓ ଏସ.ରାଜୁ ଏହି ତିନି ଜଣଙ୍କ ଘରର କାନ୍ଥ,ଆଜବେଷ୍ଟ,ଟିଫିନ ଷ୍ଟାଲ,ଆସବାବପତ୍ର ଓ ସେଠାରେ ଥିବା ବାଇକ ଓ ସ୍କୁଟି ମଧ୍ୟ ଭାଙ୍ଗିଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ମଧ୍ୟ ଅଳ୍ପକେ ବର୍ତ୍ତୀ ଯାଇଥିବା ଜଣାପଡିଛି। ଘଟଣା ପରେ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ତଦନ୍ତ ଜାରିରଖିଛି। ଏଥିସହ କ୍ରେନ ସାହାଯ୍ୟରେ ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ ଉଠାଯିବା ସହ ଡ୍ରାଇଭରକୁ ଅଟକ ରଖିଛି। ଅନ୍ୟପଟେ ତିନୋଟି ଘରର ପରିବାରଙ୍କ ସମେତ ସାହି ବାସିନ୍ଦା ମାନେ ନଷ୍ଟ ହୋଇଥିବା ଘରର କାନ୍ଥ ଗୁଡିକୁ ଅନ୍ୟ ଜିନିଷ ଗୁଡିକ ତିଆରି କରିବା ସହ କ୍ଷତି ପୂରଣ ଦାବି କରିଛନ୍ତି।


