କଟକ ଏଲଆଇସି ଅଫିସରେ ଅଗ୍ନିକାଣ୍ଡ

କଟକ, (ଓ୍ବାଇଏନଏସ): କଟକରେ ପୁଣି ଅଗ୍ନିକାଣ୍ଡ । କଟକ ଲିଙ୍କ୍ ରୋଡ୍ ସ୍ଥିତ ଏଲଆଇସି କାର୍ଯ୍ୟାଳୟରେ ଆଜି ଭୋର ପ୍ରାୟ ୫ଟା ସମୟରେ ନିଆଁ ଲାଗିଥିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ଜଣା ପଡିଛି । ଖବର ପାଇ ଚାଉଳିଆଗଞ୍ଜ ଫାୟାର ଷ୍ଟେସନ୍ ପକ୍ଷରୁ ଦୁଇଟା ଟିମ୍ ଓ ବକ୍ସି ବଜାର ଫାୟାର ଷ୍ଟେସନ୍ ର ଗୋଟିଏ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏବଂ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ତିନିଟି ଦମକଳ ଗାଡ଼ି ଏହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ୨୨ ଜଣ ଫାୟାର କର୍ମଚାରୀଙ୍କ ଦୁଇ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରଯାଇଥିଲା । ନିଆଁର ଭୟାବହତା ଏତେ ଅଧିକ ନଥିଲେ ମଧ୍ୟ ପ୍ରାଥମିକ ସୂଚନାରୁ ଯାହା ଜଣାପଡ଼ିଛି ଯେ, ଏଲଆଇସି କାର୍ଯ୍ୟାଳୟରେ ଦୁଇଟି ରୁମରେ ଥିବା ସମସ୍ତ କାଗଜପତ୍ର ଏଥିରେ ପୋଡ଼ି ଜଳି ନଷ୍ଟ ହୋଇଯାଇଛି । ତେବେ ଏହାରି ଭିତରେ ସବୁଠାରୁ ବଡ଼ କଥା ହେଉଛି ଏଲଆଇସି କାର୍ଯ୍ୟାଳୟ ଭିତରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିଲା ବୋଲି ଫାୟାର ଅଫିସର ସିଧାସଳଖ ଭାବେ କହିଛନ୍ତି । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଏଲଆଇସି ଅଫିସ୍ ର ଉପରିସ୍ଥ ଅଧିକାରୀ । ଅଗ୍ନିକାଣ୍ଡରେ କେତେ କ’ଣ କ୍ଷୟ କ୍ଷତି ହୋଇଛି ତାହାର ସଠିକ୍ ରିପୋର୍ଟ୍ ଆସି ନଥିବା ବେଳେ ବହୁତ୍ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ତ ନଷ୍ଟ ହୋଇଛି, ଏଥିରେ ସନ୍ଦେହ ନାହିଁ । ସତେ ଯେମିତି ଏବେ ପ୍ରତ୍ୟେକ ଦିନ କଟକକୁ ନିଆଁ ଡରାଉଛି । କଟକରେ ଥିବା ସମସ୍ତ ଅଫିସ୍ ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ନଥିବା ସତ୍ତ୍ୱେ ମଧ୍ୟ ଏହା ଉପରେ କେହି ଗୁରୁତ୍ଵ ଦେଉ ନାହାନ୍ତି । ଯାହା ଫଳରେ ଆଜି ଏଲଆଇସି କାର୍ଯ୍ୟାଳୟରେ ଏଭଳି ଘଟଣା ଘଟିଛି ବୋଲି କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ