ଶେଷ ହେଲା କୋଦଳା ଓକିଲ ସଂଘର ନିର୍ବାଚନ
କୋଦଳା,(ବାପୁନି କୁମାର ମାଲୁ): ଶନିବାର ଦିନ ବାର୍ ଆସୋସିଏସନରେ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା କୋଦଳା ଓକିଲ ସଂଘ ନିର୍ବାଚନ ଶେଷ ହୋଇଛି। ଆଜି ସକାଳ ସାଢ଼େ ୭ ଘଣ୍ଟା ସମୟରୁ ଭୋଟଦାନ ଆରମ୍ଭ ହୋଇ ଅପରାହ୍ନ ୩ ଘଣ୍ଟା ସମୟରେ ଶେଷ ହୋଇଛି। ଏହି ବାର୍ ଆସୋସିଏସନରେ କେବଳ ସଂପାଦକ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ଆଇନଜୀବୀ ସନ୍ଯାସୀ ସାହୁ ଓ ଗୋପାଳକୃଷ୍ଣ ସାହୁଙ୍କ ମଧ୍ଯରେ ସଂପାଦକ ପଦବୀ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ଏଥିରେ ବାଜି ମାରିଛନ୍ତି ଆଇନଜୀବୀ ଗୋପାଳକୃଷ୍ଣ ସାହୁ।ମୋଟ ୪୩ ଜଣ ଆଇନଜୀବୀ ଭୋଟ ଦେବା ପାଇଁ ସ୍ଥିର ହୋଇଥିବା ବେଳେ ୪୦ ଆଇନଜୀବୀ ଭୋଟ ଦେଇଥିଲେ। ୩ ଆଇନଜୀବୀ ଅନୁପସ୍ଥିତ ଥିଲେ। ଗୋପାଳକୃଷ୍ଣ ସାହୁଙ୍କୁ ୩୬ ଟି ଭୋଟ ମିଳିଥିବା ବେଳେ ସନ୍ଯାସୀ ସାହୁଙ୍କୁ ମାତ୍ର ୪ ଖଣ୍ଡ ଭୋଟ୍ ମିଳିଥିଲା। ଫଳରେ ଗୋପାଳକୃଷ୍ଣ ସାହୁ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ମିଶ୍ର ପୁଣି ଥରେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ସେହିପରି ଉପ ସଭାପତି ଭାବେ ଆଇନଜୀବୀ ଅବନୀ ଶଂକର ମିଶ୍ର ଓ କୋଷାଧ୍ୟକ୍ଷ /ଯୁଗ୍ମ ସଂପାଦକ ଭାବେ ଭାସ୍କର ସ୍ବାଇଁ ମଧ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜୟୀ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ନିର୍ବାଚନ ଅଧିକାରୀ ବାଳକୃଷ୍ଣ ପଣ୍ଡା, ସହ ଅଧିକାରୀ ରତିକାନ୍ତ ମହାରଣା, ବାମଦେବ ପଣ୍ଡା ଉପସ୍ଥିତ ରହି ପରିଚାଳନା କରିଥିଲେ।


