‘ପ୍ରଜାପତି’ ଶାଖାର ସୃଜନ ଉଡ଼ାଣ ‘ଉଚ୍ଚାରଣ’ ଅନୁଷ୍ଠିତ
ବାଲେଶ୍ୱର,(ସରୋଜ ପଣ୍ଡା): ଲେଖକ ଓ ପାଠକଙ୍କ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ସୃଷ୍ଟି କରିବାର ଆଭିମୁଖ୍ୟ ନେଇ ‘ପ୍ରଜାପତି’ ସାହିତ୍ୟ ଶାଖା ‘ଅକ୍ଷର’ ତରଫରୁ ସାରସ୍ୱତ କାର୍ଯ୍ୟକ୍ରମ ପାଞ୍ଚ କବିତା-ପାଞ୍ଚ କଥା ‘ଉଚ୍ଚାରଣ’ ସ୍ଥାନୀୟ ଆତିଥ୍ୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମକୁ କୁନ୍ତଳା କୁମାରୀ ସାବତ ମହାବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଫେସର ଡ. ଜୟଦେବ ପରମାଣିକ ଉଦ୍ଘାଟନ କରି କହିଲେ ଯେ ଏହା ଏକ ଅଭିନବ ପରିକଳ୍ପନା। ଲେଖକଙ୍କ ମୁହଁରୁ ନିଜ ଲେଖା ଶୁଣିବା ପାଠକ ପାଇଁ ଆନନ୍ଦର ବିଷୟ। ଉତ୍ତମ ଲେଖାଟିଏ ଲେଖକ ଓ ପାଠକ ମଧ୍ୟରେ ଏକ ସୁନ୍ଦର ଭାବଗତ ସମ୍ପର୍କ ସୃଷ୍ଟି କରିଥାଏ। ‘ପ୍ରଜାପତି’ର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସ ପୌରୋହିତ୍ୟ କରି କହିଲେ ଯେ ଆମ ଭାଷାସାହିତ୍ୟକୁ ପାଠକମାନଙ୍କ ପାଖେ ପହଞ୍ଚାଇବା ପାଇଁ ‘ପ୍ରଜାପତି’ ସର୍ବଦା ପ୍ରୟାସ କରିଥାଏ ଓ ଏହା ମଧ୍ୟ ଏକ କ୍ଷୁଦ୍ର ଆୟୋଜନ। ଆମ ମାଟିର ଓ ଓଡ଼ିଆ ସାହିତ୍ୟର ଗଳ୍ପ କବିତା ବିଭାଗରେ ସଫଳ ପରିଚୟ ସୃଷ୍ଟି କରିଥିବା ୫ ଜଣ କଥାକାର ଓ ୫ ଜଣ କବି ସେମାନଙ୍କ ସୃଷ୍ଟି ଲେଖାକୁ ପାଠକମାନଙ୍କ ସାମନାରେ ପଠନ କରିଥିଲେ। କଥା ସାହିତ୍ୟରେ ନିବାରଣ ଜେନା, ଉଦୟ ନାରାୟଣ ଦାସ, ଗଙ୍ଗାଧର ବିଶ୍ୱାଳ, କନକଲତା ହାତୀ, ଅଞ୍ଜନ ଚାନ୍ଦ ଓ କବିତାରେ ଶ୍ରୀଦେବ, ଅଭୟ ଦାସ, କୃଷ୍ଣ କୁମାର ମହାନ୍ତି, ଉତ୍ପଳ ମହାନ୍ତି ଓ ଶୁଭେନ୍ଦୁ ଦାସ ଏହି ‘ଉଚ୍ଚାରଣ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପ୍ରକାଶିତ ହୋଇଥିବା ‘ଉଚ୍ଚାରଣ’ ସାହିତ୍ୟ ବୁଲେଟିନ୍କୁ ମୁଖ୍ୟଅତିଥି ଡ. ପରମାଣିକ ଉନ୍ମୋଚନ କରିଥିଲେ। ଅତିଥିଭାବେ ଶଶିରଞ୍ଜନ ମଲ୍ଲିକ ଯୋଗଦାନ କରିଥିଲେ। ପ୍ରାରମ୍ଭରେ ଆବାହକ ବିପ୍ଳବ ଦାସ ମହାପାତ୍ର, ରାଜେଶ ଗିରି ସ୍ୱାଗତ କଥା ସହ ଉତ୍ସବ ବିଷୟରେ ସୂଚନା ପ୍ରଦାନ କରିଥିବାବେଳେ ସଂଯୋଜକ କବି ମଧୁସୂଦନ ମିଶ୍ର ପଠନ ଉତ୍ସବକୁ ସଂଚାଳନ କରିଥିଲେ। ‘ଉଚ୍ଚାରଣ’ରେ ଉପସ୍ଥିତ ସମସ୍ତ କଥାକାର ଓ କବିଙ୍କୁ ଉତ୍ତରୀୟ ଓ ଗଛଚାରା ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସରସ୍ୱତୀ ଭୋଇ, ପ୍ରତିମା ତ୍ରିପାଠୀ, ସୁଚିସ୍ମିତା ବେହେରା, ସୁଜାତା ଦାସ ପରିଚାଳନା କରିଥିଲେ। ଓଡ଼ିଆ ସଂସ୍କୃତିକୁ ନେଇ ‘ହେଲୋ କିଡ୍ସ ସାଇକ୍ରିଷ୍ଣା’ ସ୍କୁଲ୍ର ଶିଶୁଶିଳ୍ପୀମାନେ ଏକ ଚିତ୍ତାକର୍ଷକ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ସ୍କୁଲ୍ର ପ୍ରତିଷ୍ଠାତା ଜିତେନ୍ଦ୍ର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲାବେଳେ ସମସ୍ତ ଶିଶୁଶିଳ୍ପୀଙ୍କୁ ଅନୁଷ୍ଠାନ ତରଫରୁ ‘ପ୍ରଜାପତି ଶୁଭାଶିଷ’ ପ୍ରଦାନ କରାଯାଇଥିଲା। ଉତ୍ସବ ପରିଚାଳନାରେ ପ୍ରେୟସୀ ମହାପାତ୍ର, ନନ୍ଦିତା ନାୟକ, ରଶ୍ମିତା ଆଚାର୍ଯ୍ୟ, ରଞ୍ଜନା ଘୋଷ ପ୍ରମୁଖ ସହଯୋଗ କରିଥିବାବେଳେ ଶେଷରେ ପାର୍ଥସାରଥୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


