ଉତ୍କଳ ଦିବସ କାର୍ଯ୍ୟକ୍ରମରେ ପ୍ରୋଟୋକଲ ଭଙ୍ଗ: ଆଗଧାଡିରେ ବସିବା ବଦଳରେ ଷଷ୍ଠଧାଡିରେ ବସିଲେ ବିଧାୟକ
କେନ୍ଦ୍ରାପଡ଼ା,:ଜିଲ୍ଲା ସଂସ୍କୃତି ଭବନରେ ଆଜି ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଅତିଥି ଭାବରେ ଯୋଗଦେବାକୁ ଆସି ପୂର୍ବାହ୍ନ ସାଢେ ୧୦ଟାରେ ସଂସ୍କୃତିଭବନରେ ପହଞ୍ଚିବା ବେଳେ ଦେଖିଲେ ମଞ୍ଚ ସମ୍ମୁଖ ଆଗଧାଡି ବିଜେପି ଦଳର ଦଳୀୟ କର୍ମକର୍ତ୍ତାଙ୍କ ଦ୍ୱାରା ସଂପୂର୍ଣ୍ଣ ପୁରଣ ହୋଇଯାଇଛି। ଏହାର ପଛଧାଡି ଗୁଡିକ ମଧ୍ୟ ପୁରଣ ହୋଇାଇଯାଇଛି। ବିଧାୟକ ଶ୍ରୀ ବେହେରା ବାଧ୍ୟ ହୋଇ ମଞ୍ଚ ସମ୍ମୁଖ ବାମପାଶ୍ୱର୍ର ଷଷ୍ଠ ଧାଡିରେ ଯାଇ ବସିଲେ। ତାଙ୍କ ସହିତ ସେଠାରେ ପହଞ୍ଚିଥିବା ଅନ୍ୟତମ ଅତିଥି ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ ଓ କେନ୍ଦ୍ରାପଡା ପୈାରାଧ୍ୟକ୍ଷା ସରିତା ସାହୁ ମଧ୍ୟ ସେହି ଷଷ୍ଠଧାଡିରେ ବିଧାୟକ ଶ୍ରୀ ବେହେରାଙ୍କ ନିକଟରେ ଯାଇ ବସିଲେ। ମୁଖ୍ୟଅତିଥି ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ପ୍ରାୟ ୧୨ଟା ପରେ ପହଞ୍ଚିବା ପରେ ବିଧାୟକ ଶ୍ରୀ ବେହେରା ଓ ତାଙ୍କ ନିକଟରେ ବସିଥିବା ଅନ୍ୟ ଅତିଥିମାନେ ମଞ୍ଚାସୀନ ହୋଇଥିଲେ। ବିଧାୟକ ଓ ଅନ୍ୟ ଜନ ପ୍ରତିନିଧିମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରାଯିବାକୁ ରାଜ୍ୟ ସରକାର ପ୍ରୋଟକଲ ଜାରି କରିଥିବା ବେଳେ ସେହି ସରକାରୀ ପ୍ରୋଟକଲ ଆଜି ସରକାରୀ କାର୍ଯ୍ୟକ୍ରମରେ ଭଙ୍ଗ ହୋଇଥିବା ଦେଖିବାକୁ ମିଳିଥିଲା।


