‘ଓଡ଼ିଆ ପକ୍ଷ’ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା): ‘ଓଡ଼ିଆ ପକ୍ଷ’ ର ଦ୍ଵିତୀୟ ଦିନ ପାଳିତ ହୋଇଯାଇଛି। ଏହି ଦିବସ କୁ ବାଲେଶ୍ୱର ପ୍ରଶାସନ ତଥା ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଅତି ଉତ୍ସାହର ସହିତ ପାଳନ କରାଯାଇଛି । ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏପ୍ରିଲ ୨ ଓ ୩ ତାରିଖ ଦିନ ‘ଓଡ଼ିଆ ପକ୍ଷ’ କୁ ‘ ‘ପାରମ୍ପରିକ ପୋଷାକ ପରିଧାନ ଦିବସ – ଆମ ପୋଷାକ ଆମ ପରିଚୟ’ ଦିବସ ପାଳନ କରାଯିବାର ସ୍ଥିର ହୋଇଛି । ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ବାଲେଶ୍ୱର ଜିଲ୍ଳାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅବଗତ କରାଇଥିଲେ ।ଏହି ଅବସରରେ ଆଜି ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାଏକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ମାଲବ୍ୟ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ମଧୁସ୍ମିତା ସାମନ୍ତରାୟ ଏବଂ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ପୂର୍ବାହ୍ନ ୧୧.୦୦ ଘଟିକାରେ ଓଡ଼ିଶାର ପାରମ୍ପରିକ ପୋଷାକ ପରିଧାନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଥିଲେ । ସମସ୍ତେ ଏକତ୍ର ହୋଇ ଓଡ଼ିଶାର ଗୌରବମୟ ହସ୍ତତନ୍ତ ପରମ୍ପରାକୁ ପ୍ରସାର କରିବାକୁ ସମସ୍ତ ଅଧିକାରୀ/ଅଧିକାରିଣୀ ଓ କର୍ମଚାରୀ ମାନଙ୍କୁ ଜିଲ୍ଲାପାଳ ମହୋଦୟ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ମନସ୍ଵିନୀ ରାଉତଙ୍କ ତତ୍ତ୍ୱାବଧାନରେ ହୋଇଥିଲା ।


