ବ୍ଲକରେ ଶିକ୍ଷା ଅଧିକାରୀଙ୍କ ମନମାନି, ବଢୁଛି ଅସନ୍ତୋଷ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକରେ ଶିକ୍ଷା ଅଧିକାରୀଙ୍କ ମନମାନି କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶିକ୍ଷକ ବଦଳି ସମ୍ପୂର୍ଣ୍ଣ ବନ୍ଦ ଥିବା ସ୍ଥଳେ ଶିକ୍ଷା ଅଧିକାରୀ ମନ ଇଛା ବଦଳି କରୁଥିବା, ବଦଳି ବାତିଲ କରିବା ଭଳି ଘଟଣାକୁ ନେଇ ଶିକ୍ଷକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁଯାଇ ଶିକ୍ଷା ବିଭାଗ କାର୍ଯ୍ୟାଳୟ ର କିଛି କର୍ମଚାରୀ ଏବେ ଦଲାଲ ସାଜି ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଚର୍ଚ୍ଚା ହେଉଛି। ଛାତ୍ରଛାତ୍ରୀ ଅନୁପାତରେ ଶିକ୍ଷକ ନିଯୁକ୍ତି କରିବାର ବ୍ୟବସ୍ଥା ଥିବାବେଳେ ତାହା କରା ଯାଉନି। କେଉଁଠି ମେଞ୍ଚେ ତ କେଉଁଠି କେଞ୍ଚେ। ଗୋଟିଏ ଗୋଟିଏ ସ୍କୁଲରେ ଛାତ୍ରଛାତ୍ରୀ ଅନୁପାତରୁ ଢେର ଅଧିକ ଶିକ୍ଷକ ଥିବାବେଳେ କେଉଁଠି ଅଧିକ ଛାତ୍ରଛାତ୍ରୀ ଥାଇବି କମ ଶିକ୍ଷକନିଯୁକ୍ତି ଅଛନ୍ତି। ଜଣେ ଶିକ୍ଷକ ଥିବା ସ୍କୁଲ ମାନଙ୍କରେ ତୁରନ୍ତ ଶିକ୍ଷକ ନିଯୁକ୍ତି ଦେଇ ଶିକ୍ଷାଦାନ ବ୍ୟବସ୍ଥାରେ ସୁଧାର ଆଣିବାକୁ ନିର୍ଦେଶ ଥିବାବେଳେ ଏଠାରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଜଣେ ଶିକ୍ଷକ ସ୍କୁଲ କରାଯାଉଛି। ଲଇଛଣପୁର ପ୍ରାଥମିକ ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ନିଯୁକ୍ତ ଥିବାବେଳେ ବ୍ଲକ ଶିକ୍ଷା ଅଧିକାରୀ ଜଣେ ଶିକ୍ଷୟତ୍ରୀଙ୍କୁ ବାର୍ଷିକ ପରୀକ୍ଷା ପୂର୍ବରୁ ଏଠାରୁ ବଦଳି କରିନେଲେ। ଆଜି ପର୍ଯ୍ୟନ୍ତ ସେହି ସ୍କୁଲରେ ଆଉ ଶିକ୍ଷକ ନିଯୁକ୍ତି ଦେଲେନି। ଯାହା ଫଳରେ ୫ଟି ଶ୍ରେଣୀ ଥିବା ଏହି ବିଦ୍ୟାଳୟ ରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି। ସେହିପରି ରମ୍ପାସ ଗ୍ରାମର ଜଣେ ଶିକ୍ଷୟିତ୍ରୀ ନିଜ ସ୍ୱାସ୍ଥ୍ୟଗତ କାରଣରୁ କେନ୍ଦୁଝରରୁ ବଦଳି ହୋଇ ନିଜ ଅଞ୍ଚଳକୁ ଆସିଥିବା ବେଳେ ତାଙ୍କୁ ୧୫ କିଲୋମିଟର ଦୂର ଏକ ସ୍କୁଲରେ ନିଯୁକ୍ତି ଦେଲେ। ଏପରିକି ତାଙ୍କୁ ତାଙ୍କ ଗାଁ ପାଖ ସ୍କୁଲକୁ ନିଯୁକ୍ତି ଦେବାପାଇଁ ଜଣେ କର୍ମଚାରୀ ମୋଟା ଅଙ୍କର ଟଙ୍କା ନେଇଥିଲେ ବି ତାଙ୍କୁ ପାଖ ସ୍କୁଲରେ ନିଯୁକ୍ତି ମିଳି ପାରିଲାନି। ସେହିପରି ଇଶଳା ସ୍କୁଲରେ ଅନେକ ଦିନ ଧରି ଜଣେ ଶିକ୍ଷକ ଥିବାବେଳେ ସେଠାରେ ଅଧିକ ଶିକ୍ଷକ ନିଯୁକ୍ତି କରା ଯାଉନି। ଚମ୍ପୁଆ ଅଞ୍ଚଳରୁ ଜଣେ ଶିକ୍ଷୟତ୍ରୀ ଗତ ଜୁନ ମାସରେ ବଦଳି ହୋଇ ହାଟଡିହି ବ୍ଲକକୁ ଆସିଥିବା ବେଳେ ତାଙ୍କୁ ଭିନ୍ନ ଭିନ୍ନ ସ୍କୁଲକୁ ଦୁଇ ଦୁଇ ଥର ବଦଳି କରା ଗଲାଣି। ଯାହାକୁ ନେଇ ସେ ଗତକାଲି ଦିନ ତମାମ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏଭଳି ବେନିୟମ ବଦଳି ସମ୍ପର୍କରେ ଅଭିଯୋଗ କରିବାକୁ ବସି ରହିଥିଲେ। ସେହିପରି ତେମଳା ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତାରିଣୀ କିଙ୍କର ଧଳ ବି.ଏଲ.ଓ କାର୍ଯ୍ୟରେ ନିୟୋଜିତ ଥିବାବେଳେ ତାଙ୍କୁ ବିଇଓ ଙ୍କ ଚିଠି ନଂ ୯୫୮ ତା ୨/୪। ୨୦୨୬ରେ ରାତି ଅଧିଆ ସମଣା ସ୍କୁଲକୁ ବଦଳି ନିର୍ଦେଶ ହୋଇଥିଲା। ଯାହାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇବା ସହ ପ୍ରଧାନଶିକ୍ଷକ ଜଣକ ଏନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏପରି ଅସନ୍ତୋଷ ପରେ ଆଜି ହାଟଡିହି ବ୍ଲକ ର ବିଡ଼ିଓ ତାଙ୍କ ଚିଠି ନଂ ୧୧୧୧ ତା ୬/୪/୨୦୨୬ରେ ଏହି ବଦଳି ଆଦେଶ କୁ ବାତିଲ କରିବାକୁ ନିର୍ଦେଶ ଦେଇଛନ୍ତି। ଏପରି ଅନେକ ବେଆଇନ ବଦଳି ଓ ଡେପୁଟେସନକୁ ନେଇ ଏବେ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରେ ସେ କିଛି କହିବାକୁ ମନା କରିଦେଇଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।


