ଶିକ୍ଷା ସମୀକ୍ଷା ବୈଠକ
ନୂଆପଡ଼ା, (ଲିଲାମ୍ବର ନାଗ): ନୂଆପଡ଼ାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ଆରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତି ସମସ୍ତ ଉପସ୍ଥିତ ଅଧିକାରୀଙ୍କୁ ସ୍ୱାଗତ କରିଥିବା ସହ ବିଭାଗ ପକ୍ଷରୁ ଚାଲୁଥିବା ବିଭିନ୍ନ ଯୋଜନା ଓ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।
ବୈଠକରେ ଜିଲ୍ଲାପାଳ ଜନଶୁଣାଣି ପୋର୍ଟାଲରେ ଆସୁଥିବା ଶିକ୍ଷା ସମ୍ପର୍କିତ ସମସ୍ତ ଅଭିଯୋଗକୁ ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଶିକ୍ଷା ବିଭାଗରେ ଗୁଣାତ୍ମକ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ। ସମୀକ୍ଷାରୁ ଜଣାପଡ଼ିଛି ଯେ, ଜିଲ୍ଲାର ସମସ୍ତ ବ୍ଲକରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ–୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୋଟ ୪୨୫୦ ଜଣ ଶିଶୁ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ଭର୍ତ୍ତି ହୋଇଛନ୍ତି। ବୋଡ଼େନ ବ୍ଲକରେ ୪୮୮, ଖଡିଆଳରେ ୯୯୮, କୋମନାରେ ୬୭୮, ସିନାପାଳିରେ ୮୮୩ ଏବଂ ନୂଆପଡ଼ା ବ୍ଲକରେ ସର୍ବାଧିକ ୧୨୦୩ ଜଣ ଭର୍ତ୍ତି ହୋଇଥିଲେ। ଭର୍ତ୍ତି ସଂଖ୍ୟାକୁ ଆହୁରି ବୃଦ୍ଧି କରିବାକୁ ଜିଲ୍ଲାପାଳ ଜୋର ଦେଇଥିଲେ। ସେହିପରି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଦ୍ୟାଳୟଗୁଡ଼ିକରେ ପିଇବା ପାଣି, ପରିଷ୍କାର ଶୌଚାଳୟ, ମାସିକ ଋତୁସ୍ରାବ ସମ୍ବନ୍ଧୀୟ ସ୍ୱଚ୍ଛତା ବ୍ୟବସ୍ଥା ଓ ବର୍ଜ୍ୟବସ୍ତୁ ପରିଚାଳନାକୁ ସୁନିଶ୍ଚିତ କରିବାକୁ କୁହାଯାଇଛି। ସମସ୍ତ ବିଦ୍ୟାଳୟରେ ସ୍ୱଚ୍ଛତା ଓ ଛାତ୍ରଛାତ୍ରୀଙ୍କ ସୁବିଧାକୁ ପ୍ରାଥମିକତା ଦେବାକୁ ଜୋର ଦିଆଯାଇଥିଲା। ଚଳିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବୈଠକରେ ବିଦ୍ୟାଳୟଗୁଡ଼ିକରେ ପିଇବା ପାଣିର ବ୍ୟବସ୍ଥା, ଓଆରଏସ ପ୍ୟାକେଟ ମହଜୁତ ରଖିବା, ଛାତ୍ରଛାତ୍ରୀଙ୍କୁ ପାଣି ବୋତଲ ନେବାକୁ କହିବା ଓ ଅତ୍ୟଧିକ ତାପ ସମୟରେ ବାହାର କାର୍ଯ୍ୟକଳାପ ସୀମିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ବୈଠକରେ ସମ୍ଭାବନା–୨୦୨୬ କାର୍ଯ୍ୟଯୋଜନା, ଏକ ଶିକ୍ଷକ ବିଦ୍ୟାଳୟ, ବକେୟା ପେନ୍ସନ୍ ମାମଲା, ପିଏମ୍ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା, ଶିକ୍ଷା ସେବିକା ନିଯୁକ୍ତି, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଖାଲି ପଦ ପୂରଣ, ପିଏମ୍ ଶ୍ରୀ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ରେଶମଲାଲ ନାୟକ ସହିତ ବିଭିନ୍ନ ବ୍ଲକ୍ ଶିକ୍ଷା ଅଧିକାରୀ, ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।


