ରାସ୍ତା ତିଆରିରେ କୋଟି କୋଟି ଖର୍ଚ୍ଚ: ତଥାପି ଖାଲ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ୍ ଅଣା-ସମଣା ରାସ୍ତାରେ ବଡ଼ବଡ଼ ଖାଲ ହୋଇ ମରଣଯନ୍ତା ପାଲଟିଛି। ରାସ୍ତାରେ ଦୁଇ ତିନୋଟି ସ୍ଥାନ ଏପରି ହୋଇଛି ଯେ ସେଠାରେ ନିୟମିତ ଦୁର୍ଘଟଣା ଘଟି ଲୋକେ ଆହତ ହେଉଛନ୍ତି | ପୂର୍ବ ବିଭାଗ ପକ୍ଷରୁ ରାସ୍ତା ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଅଣା ସମଣା ରାସ୍ତା ଉପରେ ୮ଟି ପଞ୍ଚାୟତର ଲୋକେ ନିର୍ଭର କରୁଛନ୍ତି। ହାଟଡିହି ବ୍ଲକ୍ର ଏହା ଅନ୍ୟତମ ପ୍ରମୁଖ ରାସ୍ତା । ରାସ୍ତାରେ ଶହଶହ ବାଲି ବୋଝେଇ ଭାରୀଯାନ ଚଳାଚଳ କରୁଥିବାରୁ ଅବସ୍ଥା ଶୋଚନୀୟ ହୋଇଛି| ବଡ଼ରମ୍ପାସ-ଲକ୍ଷ୍ମୀବଜାର ଠାରୁ ଶନି ମନ୍ଦିର ପଯ୍ୟନ୍ତ ମଧ୍ୟରେ ପୋଖରୀ ଭଳି ଖାଲ ହୋଇଛି। ଜାନୁଆରି ପୂର୍ବରୁ ଏହି ଖାଲ ହୋଇଥିବା ବେଳେ ମାର୍ଚ୍ଚରେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାର ଅନେକ ସ୍ଥାନରେ ମରାମତି କରାଯାଇଥିଲା। ସେହିପରି ଡଙ୍କୁରୀ ଠାରୁ ରମ୍ପାସ ମଧ୍ୟରେ ବିରାଟ ବିରାଟ ଖାଲ ହୋଇଥିବା ବେଳେ ମାର୍ଚ୍ଚ ମାସରେ କୋଟି କୋଟି ଟଙ୍କାର ଚିଠା କାମ ହୋଇଥିଲେ ବି ଭଲଥିବା ରାସ୍ତାରେ ପିଚୁ ପକାଗଲା, କିନ୍ତୁ ଏହି ଖାଲ ଖମା ରାସ୍ତାକୁ ପୋତା ଯାଇନଥିଲା। ତିନିଦିନ ହେଲା କାଳ ବୈଶାଖୀ ବର୍ଷା ଯୋଗୁଁ ଖାଲରେ ପାଣି ଜମିଛି। ପ୍ରତିଦିନ ଦୁର୍ଘଟଣା ଘଟୁଛି| ଆଜି ଜଣେ ବାଇକ୍ ଆରୋହୀ ଏଠାରେ ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି | ପୂର୍ତ୍ତ ବିଭାଗ ରାସ୍ତା ମରାମତି ନକଲେ ଅଞ୍ଚଳବାସୀ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି ।


